ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଠାରୁ ତାତିବ ଧରା। ଏହି ମାସରେ ଯେତିକି ଗରମ ରହିବା କଥା ଠାରୁ ସାମାନ୍ୟ ଅଧିକ ତାପମାତ୍ରା ରହିବ। ପୂରା ମୌସୁମୀରେ ଅଲ୍ନିନୋର ପ୍ରଭାବ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଗକୁ ଗହମ ଫସଲ ଅମଳ କରିବାରେ ସମୟ ଥିବା ବେଳେ ପାଣିପାଗର ମୋଡ଼ ଚିନ୍ତା ସୃଷ୍ଟି କରିଛି।
ମାର୍ଚ୍ଚର ପ୍ରଥମାର୍ଦ୍ଧରେ ଦେଶର ଉତ୍ତର-ପଶ୍ଚିମ ଭାଗରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ। ସେହିପରି ଦ୍ୱିୟାର୍ଦ୍ଧରେ ତାପମାତ୍ରା ସାମାନ୍ୟ ଠାରୁ ଅଧିକ ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଉତ୍ତର-ପୂର୍ବ ଉପଦ୍ୱୀପୟ ଅଞ୍ଚଳ ଯଥା- ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ,ମହାରାଷ୍ଟ୍ର ଓ ଓଡ଼ିଶାର ଅନେକ ସ୍ଥାନରେ ସାଧାରଣ ଅପେକ୍ଷା ଅଧିକ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗରମ ସହ ବର୍ଷା ହେବାର ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମାର୍ଚ୍ଚ ମାସରେ ସାମାନ୍ୟ ଠାରୁ ଅଧିକ(୧୧୭ ପ୍ରତିଶତରୁ ଅଧିକ) ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
ମାର୍ଚ୍ଚରୁ ମେ ମାସ ମଧ୍ୟରେ ସମଗ୍ର ଦେଶରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହେବାର ସମ୍ଭାବନା ରହିଛି। ତେବେ ଚଳିତ ଥର ହିଟ୍ ୱେଭ୍ ଧାରା ଅଧିକ ଦିନ ପର୍ଯ୍ୟନ୍ତ ଜାରି ରହିବ। ମୋଟାମୋଟି କହିବାକୁ ଗଲେ ଏଥର ଗରମ ପୂର୍ବ ବର୍ଷ ଠାରୁ ଅଧିକ ରହିବ। ଏଲ୍ନିନୋ ସ୍ଥିତି ଯୋଗୁ ସାମାନ୍ୟ ଠାରୁ ଅଧିକ ଗରମ ରହିବ ବୋଲି ପାଣିପାଗ ବିଭାଗ କହିଛି।