ଏଡିଆର୍ ରିପୋର୍ଟ: ୩୬% ରାଜ୍ୟସଭା ପ୍ରାର୍ଥୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା, ଯୁବକଙ୍କ ଠାରୁ ଅଧିକ ବୟସ୍କ ଯିବେ ରାଜ୍ୟସଭା

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ: ୩୬ ପ୍ରତିଶତ ରାଜ୍ୟସଭା ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ସେହିପରି ବିଶ୍ଳେଷଣ ଅନୁସାରେ ମୋଟ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି  ୧୨୭.୮୧ କୋଟି ରହିଛି। ଆସୋସିଏସନ୍ ଅପ୍ ଡେମୋକ୍ରାଟିକ୍ସ ରିଫର୍ମ(ଏଡିଆର୍)ରୁ ତଥ୍ୟ ନେଇ ଇଂରାଜୀ ଗଣମାଧ୍ୟମ ‘ଦ ହିନ୍ଦୁ’ ଏହି ରିପୋର୍ଟ ପ୍ରକାଶ କରିଛି।  

୧୫ଟି ରାଜ୍ୟରେ ଖାଲିଥିବା ୫୬ ଆସନ ପାଇଁ ଫେବ୍ରୁଆରୀ ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ ହେବ। ଏନେଇ ନାମାଙ୍କନ ଦାଖଲ କରିଥିବା ୫୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୮ ଜଣଙ୍କ ନିଜସ୍ୱ ସତ୍ୟପାଠକୁ ଏଡିଆର୍ ଓ ଇଲେକ୍ସନ ୱାଚ୍‌ ବିଶ୍ଳେଷଣ କରିଥିଲେ। ତେବେ କର୍ଣ୍ଣାଟକର କଂଗ୍ରେସ ପ୍ରାର୍ଥୀ ଜି.ସି ଚନ୍ଦ୍ରଶେଖରଙ୍କୁ ଏହି ରିପୋର୍ଟରେ ସାମିଲ୍ କରାଯାଇ ନାହିଁ। କାରଣ ତାଙ୍କର ତଥ୍ୟ ଠିକ୍ ଭାବରେ ହସ୍ତଗତ ହୋଇ ନଥିବାରୁ ତାଙ୍କୁ ଏଥିରୁ ବାଦ୍ ଦିଆଯାଇଛି।

ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଯାଞ୍ଚ ହୋଇଥିବା ୩୬ପ୍ରତିଶତ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ପ୍ରତିଶତଙ୍କ ନାଁରେ ସାଂଘାତିକ ଅପରାଧିକ ମାମଲା ରହିଛି। ଜଣଙ୍କ ବିରୋଧରେ ହତ୍ୟା ଉଧ୍ୟମର ମାଧ୍ୟ ମାମଲା ରହିଛି ବୋଲି ଏଡିଆର କହିଛି।

ପଢ଼ନ୍ତୁ-ମାର୍ଚ୍ଚ ୧୩ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା, ୨୦୧୯ ତୁଳନାରେ ଏଥର ୬ପ୍ରତିଶତ ବଢ଼ିଛି ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା

ଦଳଗତ ଅପରାଧ ରିପୋର୍ଟ

ଏଡିଆର୍ ରିପୋର୍ଟ ଅନୁସାରେ, ବିଜେପିର ୩୦ ପ୍ରାର୍ଥୀଙ୍କ ମଧ୍ୟରୁ ୮(୨୭ ପ୍ରତିଶତ)ଜଣ ଓ କଂଗ୍ରେସର ୯ ଜଣଙ୍କ ମଧ୍ୟରୁ ୬(୬୭ ପ୍ରତିଶତ) ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ବୋଲି ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ଟିଏମ୍‌ସିର ୪ ପ୍ରାର୍ଥୀଙ୍କ ମଧ୍ୟରୁ ୧(୨୫ ପ୍ରତିଶତ), ସମାଜବାଦୀ ପାର୍ଟିର ୩ ପ୍ରାର୍ଥୀ ମଧ୍ୟରୁ ୨(୬୭ ପ୍ରତିଶତ),ୱାଇଏସ୍‌ଆର୍‌ସିପିର ୩ ପ୍ରାର୍ଥୀ ମଧ୍ୟରୁ ଜଣେ(୩୩%), ଆର୍‌ଜେଡିର ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ(୫୦%), ବିଜେଡିର ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ(୫୦%) ଓ ଜଣେ ବିଆର୍‌ଏସ୍‌ ପ୍ରାର୍ଥୀ(୧୦୦%)ଙ୍କ ବିରୋଧରେ ଅପରାଧିକ ମାମଲମା ରହିଛି।

ପ୍ରାର୍ଥୀମାନଙ୍କର ଆର୍ଥିକ ସ୍ଥିତି

ଅପରାଧିକ ରିପୋର୍ଟ ସହ ପ୍ରାର୍ଥୀମାନଙ୍କର ସମ୍ପତ୍ତି ବିଷୟରେ ମଧ୍ୟ ସୂଚନା ଦେଇଛି ଏଡିଆର୍‌। ପାଖାପାଖି ୨୧ % ପ୍ରାର୍ଥୀ ଆରବପତି ହୋଇଥିବା ବେଳେ ତାଙ୍କ ପାଖରେ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ରାଜ୍ୟସଭା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୧୨୧.୮୧ କୋଟି ହେବ ବୋଲି କୁହାଯାଇଛି।

ଟପ୍-୩ ଧନୀ ପ୍ରାର୍ଥୀ-

ହିମାଚଳ ପ୍ରଦେଶ ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀଙ୍କର ୧୮୭୨ କୋଟି, ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ପ୍ରାର୍ଥୀ ଜୟା ଅମିତାଭ ବଚ୍ଚନଙ୍କ ସମ୍ପତ୍ତି ୧,୫୭୮ କୋଟି, କର୍ଣ୍ଣାଟକ ଜେଡିଏସ୍‌ ପ୍ରାର୍ଥୀ କୁପେନ୍ଦ୍ର ରେଡ୍ଡୀଙ୍କର ସମ୍ପତ୍ତି ୮୭୧ କୋଟି ରହିଛି।

ଗରିବ ପ୍ରାର୍ଥୀ-

ବିଜେପି ମଧ୍ୟପ୍ରଦେଶ ବାଲ୍‌ୟୋଗୀ ଉମେଶ ନାଥ ୪୭ ଲକ୍ଷ, ପଶ୍ଚିମବଙ୍ଗ ବିଜେପି ପ୍ରାର୍ଥୀ ସାମିକ ଭଟ୍ଟାଚାର୍ଯ୍ୟ ସମ୍ପତ୍ତି ୧ କୋଟି, ଉତ୍ତର ପ୍ରଦେଶ ପ୍ରାର୍ଥୀ ସଂଗୀତାଙ୍କର ୧ କୋଟିର ସମ୍ପତ୍ତି ରହିଛି।

୧୭ ପ୍ରତିଶତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୭୯ ପ୍ରତିଶତଙ୍କର ଯୋଗ୍ୟତା ସ୍ନାତକ ରହିଛି। ସେହିପରି  ୭୬ ପ୍ରତିଶତ ପ୍ରାର୍ଥୀଙ୍କ ବୟସ ୫୧-୭୦ ଭିତରେ ରହିଥିବା ବେଳେ ମାତ୍ର ୧୬ ପ୍ରତିଶତ ପ୍ରାର୍ଥୀଙ୍କ ବୟସ ୩୧-୫୦ ମଧ୍ୟରେ ରହିଛି। ସେହିପରି ମାତ୍ର ୧୯ ପ୍ରତିଶତ ମହିଳା ପ୍ରାର୍ଥୀ ରହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.