ଆମେରିକାରେ ଗର୍ଭପାତ କରିବା ଏବେ ସାମ୍ବିଧାନିକ ଅଧିକାର ନୁହେଁ, ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

Published By : Prameya-News7 Bureau | June 24, 2022 IST

ନୂଆଦିଲ୍ଲୀ: ଆମେରିକାରେ ଗର୍ଭପାତ କରିବା ଏବେ ଆଉ ସାମ୍ବିଧାନିକ ଅଧିକାର ନୁହେଁ। ଶୁକ୍ରବାର ଆମେରିକାର ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତିରେ  ଗର୍ଭପାତ ଅଧିକାରକୁ ସମାପ୍ତ କରିଛନ୍ତି। ୟୁଏସ ସୁପ୍ରିମକୋର୍ଟ ୧୯୭୩ର 'ରୋଏ ବନାମ ଓ୍ଵେଡ୍' ନିଷ୍ପତ୍ତିକୁ ସମାପ୍ତ କରି ଏହି ରାୟ ଶୁଣାଇଛନ୍ତି। ପ୍ରାୟ ୫୦ ବର୍ଷ ପୂର୍ବେ 'ରୋଏ ବନାମ ଓ୍ଵେଡ୍' କେସରେ ଜଣେ ମହିଳାଙ୍କ ଗର୍ଭପାତର ଅଧିକାର ସୁନିଶ୍ଚିତ କରିଥିଲେ ସୁପ୍ରିମକୋର୍ଟ। ଏଥିରେ କୁହାଯାଇଥିଲା ଯେ, ଆମେରିକାରେ ଅଲଗା ଅଲଗା ରାଜ୍ୟରେ ଏହି ପ୍ରକ୍ରିୟାକୁ ନିଜ ଅନୁସାରେ ଅନୁମତି ନେଇ ଲାଗୁ କରି ପାରିବେ। ମାତ୍ର ଏବେ ଅଦାଲତ ପୂରା ଦେଶରେ ଗର୍ଭପାତ ଅଧିକାରକୁ ହଟାଇ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସମ୍ବିଧାନ ଗର୍ଭପାତ ଅଧିକାର ପ୍ରଦାନ କରେ ନାହିଁ।

ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ଗର୍ଭପାତକୁ ବିରୋଧ କରୁଥିବା ଗୋଷ୍ଠୀଙ୍କ ଦଶନ୍ଧି ଧରି ପ୍ରୟାସକୁ ସଫଳ କରିଛି। ବିଚାରପତି ସାମୁଏଲ ଅଲିଟୋଙ୍କ ଏକ ଡ୍ରାଫ୍ଟ ଆଶ୍ଚର୍ଯ୍ୟଜନକ ଭାବେ ଲିକ୍ ହେବାର ଗୋଟିଏ ମାସପରେ କୋର୍ଟଙ୍କ ଏହି ନିଷ୍ପତ୍ତି ଆସିଛି। ବିଚାରପତିଙ୍କ ରାୟ ସଂପର୍କିତ ଡ୍ରାଫ୍ଟ ଲିକ୍ ହେବାପରେ ଆମେରିକାରେ ଲୋକେ ସଡକକୁ ଓହ୍ଲାଇଥିଲେ।

ତେବେ ଅଦାଲତଙ୍କ ଏହି ନିଷ୍ପତ୍ତି ଆମେରିକାବାସୀଙ୍କ ରାୟ ବୀପରିତ ରହିଛି। ଲୋକଙ୍କ ମତ ସୁପ୍ରିମକୋର୍ଟଙ୍କୁ 'ରୋଏ ବନାମ ଓ୍ଵେଡ୍' ନିଷ୍ପତ୍ତିକୁ ବଜାୟ ରଖିବା ଉଚିତ୍ ଥିଲା। ସେଥିରେ କୁହାଯାଇଥିଲା ଯେ, ଗର୍ଭପାତ କରିବା କିମ୍ବା ନକରିବା ଏହା ସ୍ଥିର କରିବା ମହିଳାଙ୍କ ଅଧିକାର। ଏଥିରେ ଆମେରିକା ମହିଳାଙ୍କୁ ସୁରକ୍ଷିତ ଗର୍ଭପାତର ଅଧିକାର ମିଳିଥିଲା।

ହେଲେ ସୁପ୍ରିମକୋର୍ଟଙ୍କ ଆଜିର ରାୟ ପରେ ଆମେରିକାର ଅଲଗା ଅଲଗା ରାଜ୍ୟ ନିଜ ଅନୁସାରେ ଗର୍ଭପାତ ଉପରେ କଟକଣା ଲଗାଇ ପାରନ୍ତି। ଏଥିସହ ପ୍ରାୟ ଅଧା ରାଜ୍ୟରେ ଗର୍ଭପାତ ଉପରେ କଟକଣା ଲାଗିପାରେ। ଆମେରିକା ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କୋର୍ଟଙ୍କ ରାୟ ପରେ ଅଲବାନା, ଜର୍ଜିଆ, ଇଣ୍ଡିଆନା ସମେତ ଆମେରିକାର ୨୪ ରାଜ୍ୟ ଗର୍ଭପାତ ଉପରେ କଟକଣା ଲଗାଇ ପାରନ୍ତି। କିନ୍ତୁ ଆମେରିକାର ଅଧିକାଂଶ ଜନତାଙ୍କ ମତରେ ଗର୍ଭପାତ ହେଉଛି ସେମାନଙ୍କର ମୌଳିକ ଅଧିକାର। ସୁପ୍ରିମକୋର୍ଟ ତାଙ୍କଠୁ ଏହି ଅଧିକାର ଛଡାଇ ପାରିବେ ନାହିଁ।

ସର୍ବୋଚ୍ଚ ନ୍ୟାୟାଳୟର ଏହି ନିଷ୍ପତ୍ତି ସହିତ ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଛି। ବହୁ ସଂଖ୍ୟାରେ ମହିଳା ସୁପ୍ରିମକୋର୍ଟ ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ଗୋଟିଏ ବର୍ଗ କୋର୍ଟଙ୍କ ଏହି ରାୟକୁ ସମର୍ଥନ କରିବା ସହିତ ଉତ୍ସବ ମନାଉଛନ୍ତି। ଗର୍ଭପାତକୁ ବିରୋଧ କରୁଥିବା ଲୋକେ ସୁପ୍ରିମକୋର୍ଟ ବାହାରେ ଭାବୁକ ହୋଇ ନିଜର ଖୁସି ବ୍ୟକ୍ତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.