ଗୋଲ୍ଡେନ ଡକ୍‌ ପରେ ଜିମ୍ବାଓ୍ବେରେ ଅଭିଷେକ୍ ତୁଫାନ; ୪୬ ବଲରେ ଶତକ, ଭାଙ୍ଗିଲା ରେକର୍ଡ

Published By : Prameya-News7 Bureau | July 08, 2024 IST

ମୁମ୍ବାଇ: ଗୋଲ୍ଡେନ ଡକ୍‌ ପରେ ଅଭିଷେକ୍ ତୁଫାନ । ୬, ୬, ୬ ର ବିସ୍ଫୋରଣ । ୪୬ ବଲ୍‌ରେ ମେଡେନ୍ ଶତକ । ଶହେ ରନରେ ଭାରତର ବଡ଼ ବିଜୟ । ପ୍ରଥମ ଟି-୨୦ରେ ଶୂନରେ ଆଉଟ୍ ହୋଇ ସମାଲୋଚନାର ଶିକାର ହୋଇଥିବା ଅଭିଷେକ୍ ଶର୍ମା ଦ୍ବିତୀୟ ମ୍ୟାଚରେ ବ୍ୟାଟିଂ ବିସ୍ଫୋରଣ କରିଛନ୍ତି । ଜିମ୍ବାଓ୍ବେ ବିରୋଧରେ ୬, ୬, ୬ ମାରି ଶତକ ଡିଲ୍ କରିଛନ୍ତି ଟିମ୍ ଇଣ୍ଡିଆର ଏହି ଯୁବ ବ୍ୟାଟିଂ ତାରକା । ମାତ୍ର ୪୬ ବଲରେ ଶତକୀୟ ଇନିଂସ ଖେଳି ଟି-୨୦ ଇଣ୍ଟର ନ୍ୟାସନାଲରେ ଭାରତ ପାଇଁ ଓପନର ଭାବେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ମାରିଛନ୍ତି । ଅଭିଷେକଙ୍କ ଏହି ଦୁର୍ଦ୍ଦଶ ଇନିଂସରେ ୮ଟି ଛକା ଓ ୭ଟି ଚୌକା ରହିଛି । 

ଜିମ୍ବାଓ୍ବେ ସହ ଦ୍ବିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨ ଓ୍ବିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଜିମ୍ବାଓ୍ବେ ଟିମ୍ ମାତ୍ର ୧୩୪ ରନ୍ ସଂଗ୍ରହ କରିପାରିଥିଲା । ୧୮.୪ ଓଭରରେ ଟିମ୍ ଅଲଆଉଟ୍ ହୋଇଥିଲା ସିକରନ୍ଦର ସେନା । ଫଳରେ ଶୁବମନ ବାହିନୀ ଶହେ ରନ୍‌ର ବୃହତ୍ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଅଭିଷେକ୍ ଶର୍ମାଙ୍କ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ପ୍ରଥମ ମ୍ୟାଚରେ ଗୋଲ୍ଡେନ ଡକରେ ହେବା ପରେ ଦ୍ବିତୀୟ ମୁକାବିଲାରେ କ୍ରିକେଟ୍ ପ୍ରେମୀଙ୍କ ହୋସ୍ ଉଡ଼ାଇ ଦେଇଥିଲେ । ଗର୍ଜିଥିଲା ତାଙ୍କ ବ୍ୟାଟ୍, କିଛି ସମୟ ପାଇଁ ଗୁରୁ ଯୁବରାଜ ସିଂହ ବ୍ୟାଟିଂ ମନେ ପକାଇ ଦେଇଥିଲେ । ୩୩ ବଲରେ ଅର୍ଦ୍ଧଶତକ ପୂରଣ ପରେ ବ୍ୟାଟିଂ ଆକ୍ସଲରେଟ୍ ଦବାଇଥିଲେ ଏହି ଦୁର୍ଦ୍ଦଶ ଓପନର । ଅନ୍ତିମ ୧୩ଟି ବଲରେ ଧମାଲ ମଚାଇ ଟି-୨୦ ଅନ୍ତରାଷ୍ଟ୍ରୀୟରେ ପ୍ରଥମ ଶତକ ହାସଲ କରିଥିଲେ ।  


ଇତିହାସ ରଚିଲେ ଅଭିଷେକ୍ ଶର୍ମା । ଲଗାତାର ୩ଟି ଛକା ମାରି ସେଞ୍ଜୁରୀ ଡିଲ୍ । ଟି-୨୦ ଇଣ୍ଟନ ନ୍ୟାସନାଲର ଡେବ୍ୟୁ ମ୍ୟାଚ୍ ପରେ ଦ୍ରୁତତମ ଶତକ ମାରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ଅଭିଷେକ୍ ଶର୍ମା । ଏହା ପୂର୍ବରୁ ଦୀପକ ହୁଡ୍ଡାଙ୍କ ନାଁରେ ତୃତୀୟ ମ୍ୟାଚରେ ଦ୍ରୁତ ଶତକ ରହିଛି । ଟି-୨୦ କ୍ରିକେଟରେ ଦ୍ରୁତ ଶତକୀୟ ଇନିଂସ ଖେଳିବାରେ ସର୍ବେଗ୍ରେ ରହିଛନ୍ତି ରୋହିତ୍ ଶର୍ମା । ସେ ୨୦୧୭ରେ ଶ୍ରୀଲଙ୍କା ବିରୋଧରେ ମାତ୍ର ୩୫ଟି ବଲ୍ ଖେଳି ସେଞ୍ଜୁରୀ ମାରିଥିଲେ । ତାଙ୍କ ପରେ ସୂର୍ଯ୍ୟକୁମାର ଯାଦବ ସମାନ ଦଳ ବିରୋଧରେ ୪୫ବଲରେ ଶତକ ମାରିଛନ୍ତି । ଓ୍ବେଷ୍ଟ ଇଣ୍ଡିଜ୍ ବିରୋଧରେ କେ.ଏଲ ରାହୁଲ ୪୬ ବଲରେ ଶତକୀୟ ପାଳି ଖେଳିଥିଲେ । ଏବେ ଅଭିଷେକ୍ ଶର୍ମା ଏହି ଗ୍ରୁପରେ ସାମିଲ୍ ହୋଇଛନ୍ତି । 

ଦ୍ବିତୀୟ ଟି-୨୦ରେ ଜିମ୍ବଓ୍ବେ ବିରୋଧରେ ଟିମ୍ ଇଣ୍ଡିଆ ଶହେ ରନରେ ବିଜୟୀ ହୋଇଛି । ଏହି ବୃହତ ବିଜୟ ସହିତ ଭାରତୀୟ ୫ଟିକିଆ ସିରିଜକୁ ୧-୧ରେ ବରାବର୍ କରିଛି । ଶତକୀୟ ପାଳି ଖେଳିଥିବା ଅଭିଷେକ୍ ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.