ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ୱାୱେ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲାରେ ଯୁବ ବ୍ରିଗେଡ୍ ନିରାଶ କରିଛନ୍ତି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ଏବଂ ଜିମ୍ୱାୱେ ୯ ୱିକେଟ୍ ହରାଇ ୧୧୫ ରନ୍ କରିଥିଲା । ଏହାପରେ ଭାରତୀୟ ଟିମ୍ ପାଇଁ ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମା ଓପନିଂ କରିବା ପାଇଁ ଆସିଥିଲେ । ତେବେ ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେଜର୍ଡକୁ ନିଜ ନାଁରେ କରିଛନ୍ତି ।
ଜିମ୍ୱାୱେ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ଅଭିଷେକ ଶର୍ମା ବିନା ଖାତା ଖୋଲି ଆଉଟ୍ ହୋଇଥିଲେ । ଅଭିଷେକ ଶର୍ମା ଏହି ମ୍ୟାଚରେ ୪ ବଲ୍ ଖେଳି ଶୂନରେ ଆଉଟ୍ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହା ଅଭିଷେକ ଶର୍ମାଙ୍କ ଟି-୨୦ ଇଣ୍ଟରନ୍ୟାସନାଲ ଡେବ୍ୟୁ ଥିଲା । ଅଭିଷେକ ଶର୍ମା ଆଉଟ୍ ହେବା ସହ ଏକ ଲଜ୍ଜାଜନକ ରେକର୍ଡକୁ ନିଜ ନାଁରେ କରିଛନ୍ତି । ଏପରି ଏକ ରେକର୍ଡ କରିବାରେ ସେ ଚତୁର୍ଥ ଖେଳାଳି ହୋଇଛନ୍ତି । ସେ ନିଜର ଡେବ୍ୟୁ ମ୍ୟାଚରେ ୦ ରନ୍ରେ ଆଉଟ୍ ହେବାରେ ଚତୁର୍ଥ ଭାରତୀୟ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ୍ ଧୋନୀ, କେଏଲ୍ ରାହୁଲ, ପୃଥ୍ୱୀ ଶ’ ନିଜ ଟି-୨୦ ଡେବ୍ୟୁରେ ଶୂନ ରନ୍ରେ ଆଉଟ୍ ହୋଇଥିଲେ ।
ଜିମ୍ୱାୱେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତର ଯୁବ ବ୍ରିଗେଡ୍ ଶୋଚନୀୟ ପରାଜୟର ସାମନା କରିଛନ୍ତି । ଜିମ୍ୱାୱେ ଦେଇଥିବା ୧୧୬ ରନ୍ର ଟାର୍ଗେଟକୁ ଟିମ୍ ଇଣ୍ଡିଆ ଯୁବ ବ୍ୟାଟର ହାସଲ କରିବାରେ ବିଫଳ ହୋଇଥିଲେ । ଟିମ୍ ଇଣ୍ଡିଆ ୧୯.୫ ଓଭରରେ ୧୦ ୱିକେଟ୍ ହରାଇ କେବଳ ୧୦୨ ରନ୍ କରିବାରେ ସଫଳ ହେଲା ।