ମୁମ୍ବାଇ ୧୦।୦୭ : ସରିଛି କୋଚ୍ ହିସାବରେ ରାହୁଲ୍ ଦ୍ରାବିଡଙ୍କ କାର୍ଯ୍ୟକାଳ । ନୂଆ ମଙ୍ଗ ଧରିଲେ ଗୌତମ ଗମ୍ଭୀର । ଟିମ୍ ଇଣ୍ଡିଆ ନୂଆ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କୁ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ୨୦୨୭ ଯାଏଁ ରହିବ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ । ତେବେ ଗୌତମ ଗମ୍ଭୀରଙ୍କ କୋଚ୍ ହେବା ପରେ ସପୋର୍ଟ ଷ୍ଟାଫ କିଏ ହେବ । ସେନେଇ ଚର୍ଚ୍ଚା ଆଲୋଚନା ଜୋରସୋରରେ ଚାଲିଛି ।
ତେବେ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଗୌତମ ଗମ୍ଭୀର କୋଚ୍ ହେବା ପରେ ଅଭିଷେକ ନାଏର ବ୍ୟାଟିଂ କୋଚ୍ ହିସାବରେ ସମ୍ଭାଳିପାରନ୍ତି ଦାୟିତ୍ୱ । ଅଭିଷେକ ନାଏର ଏବେ କୋଲକାତା ନାଇଟ ରାଇଡର୍ସର ବ୍ୟାଟିଂ କୋଚ୍ ଭାବେ କାର୍ଯ୍ୟ ତୁଲାଉଛନ୍ତି । ସେହିପରି ଫିଲ୍ଡିଂ କୋଚ୍ ହିସାବରେ ଟି.ଦିଲ୍ଲୀପଙ୍କ କାର୍ଯ୍ୟକାଳକୁ ବଢା ଯାଇପାରେ । ନୂତନ ଫିଲ୍ଡିଂ କୋଚ ବଦଳରେ ଟି. ଦିଲ୍ଲୀପଙ୍କୁ ହିଁ ଦାୟିତ୍ୱ ଦେବା ପାଇଁ ଚର୍ଚ୍ଚା ଚାଲିଛି । ବାକି ବୋଲିଂ କୋଚ୍ ପାଇଁ ବୋର୍ଡ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ହେଲେ ଚର୍ଚ୍ଚାରେ ଅନେକ ନାଁ ଚାଲିଛି । ଜାହିର ଖାନ୍, ଆଶିଷ ନେହେରା, ଭି. ବିନୟ କୁମାରଙ୍କ ନାଁ ମଧ୍ୟ ଆଗରେ ରହିଛି । ତେବେ ଦେଖାଯାଉ ବୋର୍ଡ କିମ୍ବା ଗମ୍ଭୀର କାହାକୁ ବୋଲିଂ କୋଚ ହିସାବରେ ଚୟନ କରୁଛନ୍ତି । ପୂର୍ବରୁ ବୋଲିଂ କୋଚ୍ ହିସାବରେ ଦଳରେ ଥିବା ପାରସ୍ ହାମ୍ବରେଙ୍କୁ ଆଉ ଥରେ ନିଯୁକ୍ତି ମିଳୁଛି ନା ନୂଆ ମୁହଁଙ୍କୁ ଦାୟିତ୍ୱ ଦେଉଛି ବୋର୍ଡ ।
ସୂଚନାଯୋଗ୍ୟ ଯେ, ୨୦୨୪ ଟି-୨୦ ବିଶ୍ୱକପ୍ ଯାଏଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିଲେ ରାହୁଲ ଦ୍ରାବିଡ। ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଠୋର, ଫିଲ୍ଡିଂ କୋଚ୍ ଭାବେ ଟି ଦିଲ୍ଲୀପ, ବୋଲିଂ କୋଚ୍ ଭାବେ ପାରସ ହାମ୍ବରେ ଦାୟିତ୍ୱ ସମ୍ଭାଳିଥିଲେ । ଚଳିତ ଟି-୨୦ ବିଶ୍ୱକପ୍ ସରିବା ପରେ ସମସ୍ତଙ୍କ କାର୍ଯ୍ୟକାଳ ସରିଛି । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କୁ ଦାୟିତ୍ୱ ମିଳିଛି । ବାକି ଅନ୍ୟ ସପୋର୍ଟ ଷ୍ଟାଫ୍ ଲାଗି ଖୁବଶୀଘ୍ର ଆବେଦନ ହେବ ବୋଲି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି ।