ଝାରପଡା ଜେଲରୁ ଆସି ଗୃହ କମିଟିରେ ହାଜର ହେଲେ ଆୟାର ମିତ୍ର, କିନ୍ତୁ ଦାଖଲ କରିପାରିଲେନି ସତ୍ୟପାଠ, କାଲି ଶେଷ ସୁଯୋଗ

Published By : Prameya-News7 Bureau | November 02, 2018 IST

ଭୁବନେଶ୍ବର୨|୧୧: ବିଧାନସଭା ଗୃହ କମିଟିରେ ଆଜି ସତ୍ୟପାଠ ଦାଖଲ କରିଲେନି ଅଭିଜିତ ଆୟାର ମିତ୍ର । ଯେହେତୁ ତାଙ୍କୁ ସିଧା ସଳଖ ଜେଲ୍ ରୁ ଅଣାଗଲା ଏବଂ ତାଙ୍କ ଓକିଲ ସତ୍ୟପାଠ ପ୍ରସ୍ତୁତ କରିବାରେ ବିଳମ୍ବ କଲେ ସେଥିପାଇଁ କାଲି ସତ୍ୟପାଠ ଦେବାକୁ ନିର୍ଦେଶ କଲେ ବିଧାନସଭା ଗୃହ କମିଟି । କାଲି କିନ୍ତୁ ତାଙ୍କୁ ଶେଷ ସୁଯୋଗ ଦିଆଯାଇଛି । କାଲି ସତ୍ୟପାଠ ପାଇବା ପରେ ତାଉପରେ ତର୍ଜମା କରି କମିଟି ରିପୋର୍ଟ ପ୍ରସ୍ତୁତ କରିବ । ଯାହାକୁ ଶିତ ଅଧିବେଶନରେ ଗୃହରେ ଉପସ୍ଥାପିତ କରିବା ଯୋଜନା ଅଛି ।…. ଆଜି ଗୃହ କମିଟି ଆଗରେ ସିନା ହାଜର ହେଲେ ଅଭିଜିତ୍ ଆୟାର ମିତ୍ର । କିନ୍ତୁ ସତ୍ୟପାଠ ଦାଖଲ କରିପାରିଲେନି । ଜେଲ୍ ରେ ଥିବାରୁ ସେ ସତ୍ୟପାଠ ପ୍ରସ୍ତୁତ କରିପାରିଲେ ନାହିଁ ବୋଲି କହିଛନ୍ତି ଆୟାର । ଯଦିବା ତାଙ୍କ ଓକିଲ ଆଜି ସତ୍ୟପାଠ ଦେଇଦେବେ ବୋଲି କହିଥିଲେ କିନ୍ତୁ ଶେଷମୂହୁର୍ତ୍ତରେ କମିଟି ଆଗରେ ପହଁଚିପାରି ନଥିଲେ । ସେଥିପାଇଁ ଗୃହକମିଟି ମଧ୍ୟ ୧୦ ମିନିଟ୍ ଅପେକ୍ଷା କରିଥିଲା । କିନ୍ତୁ ଆୟାରଙ୍କ ଓକିଲ ଆସିନଥିଲେ । ଆସନ୍ତାକାଲି ତାଙ୍କୁ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି । ସତ୍ୟପାଠ ଦାଖଲ ପାଇଁ କାଲି ଶେଷ ସୁଯୋଗ ବୋଲି ମଧ୍ୟ ଗୃହ କମିଟି ରୋକଠୋକ୍ ଶୁଣାଇ ଦେଇଛି । କାଲି ଦିନ ୧୧ଟାରେ ଆୟାର ଉପସ୍ଥିତ ରହି ଗୃହକମିଟିକୁ ତାଙ୍କ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି । ବିଧାୟକମାନଙ୍କ ପ୍ରତି ଆୟାର ଦେଇଥିବା ଅପମାନସୂଚକ ମନ୍ତବ୍ୟ ପାଇଁ ତାଙ୍କୁ ଗୃହ କମିଟି ଆଗରେ ହାଜର ନିର୍ଦେଶ ଦିଆଯାଇଥିଲା । ଆସନ୍ତାକାଲି ସେ ତାଙ୍କ ସତ୍ୟପାଠ ଦାଖଲ କଲେ ଏହାକୁ ତର୍ଜମାକରି ଗୃହ କମିଟି ରିପୋର୍ଟ ପ୍ରସ୍ତୁତ କରିବ । ସେହି ରିପୋର୍ଟକୁ ଆସନ୍ତା ଶିତ ଅଧିବେଶନରେ ଉପସ୍ଥାପନ କରାଯିବ ବୋଲି କୁହାଯାଉଛି । ତେବେ ଅଭିଜିତ ଆୟାରଙ୍କ ବିରୋଧରେ ବିଭିନ୍ନ ଥାନାରେ ଯେଉଁ ଏତଲା ରହିଛି ତା ଆଧାରରେ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ କରିବ ସେଥିରେ ଗୃହ କମିଟିର କିଛି କରିବାର ନାହିଁ । ୨୩ ତାରିଖରେ ପ୍ରଥମେ ଗୃହ କମିଟି ଆଗରେ ହାଜର ହେବାପରେ ଓଡିଶା ପୋଲିସ ଆୟାରଙ୍କୁ ଗିରଫ କରି ଜେଲ ପଠାଇଥିଲା । ଏବେ ବି ଆୟାର ଝାରପଡା ଜେଲରେ ଅଛନ୍ତି । ଆଜି ଦିନ ୧୧ ରେ ଗୃହ କମିଟି ବସିବାର ଥିଲେ ବି ପ୍ରାୟ ୨ ଘଣ୍ଟା ଆଗରୁ ପୋଲିସ ତାଙ୍କୁ ଝାରପଡା ଜେଲରୁ ବିଧାନସଭାକୁ ଆଣି ଦେଇଥିଲା । ଗୃହ କମିଟିରେ ହାଜର ହେବାପରେ ପୁଣି ଆୟାରଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.