ଅଭିଜିତ ଆୟାର ପ୍ରସଙ୍ଗ: କ୍ରାଇମବ୍ରାଞ୍ଚ ତଦନ୍ତ ଓ ତୁରନ୍ତ ହାଇକୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ଓକିଲଙ୍କୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ
27/09/2018 at 6:45 PM

ଦିଲ୍ଲୀ ୨୭/୯ : ଓଡିଶା ସମ୍ପର୍କରେ ଅଭିଜିତ ଆୟାର ମିତ୍ରଙ୍କ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ | କ୍ରାଇମ ବ୍ରାଞ୍ଚ ଆଇଜି ଘଟଣାର ତଦନ୍ତ କରିବେ ବୋଲି ଅଦାଲତ ଓଡିଶା ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି | ଏଥିସହ ଅଭିଜିତ ଆୟାର ଚାହିଁଲେ ତାଙ୍କୁ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀ ସୁରକ୍ଷା ଯୋଗେଇ ଦେବେ ବୋଲି ମଧ୍ୟ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି |
ଅନ୍ୟ ପକ୍ଷରେ ତୁରନ୍ତ ହାଇକୋର୍ଟକୁ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି | ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ବନ୍ଦ ଥିବା ଯୋଗୁଁ ଏହି ମାମଲାରେ ଅଭିଜିତ ତାଙ୍କ ନ୍ୟାୟ ପାଇବା ଅଧିକାରରୁ ବଂଚିତ ହେଉଛନ୍ତି | ଅଭିଜିତଙ୍କ ଭଳି ଅନ୍ୟ ଲୋକମାନେ ମଧ୍ୟ ସମାନ ଅସୁବିଧା ଭୋଗୁଛନ୍ତି | ତେଣୁ ହାଇକୋର୍ଟକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଦାଲତଙ୍କ ନିର୍ଦେଶ ହାଇକୋର୍ଟର ରେଜିଷ୍ଟାର, ହାଇକୋର୍ଟ ବାର ଆସୋସିଏସନର ସଭାପତି ଏବଂ ଅନ୍ୟାନ୍ୟ ଅଦାଲତରାଓକିଲ ସଂଘ କର୍ମକର୍ତ୍ତାଙ୍କ ପାଖରେ ପହଂଚିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପକ୍ଷ ରଖୁଥିବା ଓକିଲଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି |
ଅପର ପକ୍ଷରେ ଅଭିଜିତ ଆୟାର ମିତ୍ର ମାମଲାରେ ଦିଲ୍ଲୀର ସକେତ ମେଟ୍ରୋ ପଲିଟାନ ଅଦାଲତର ମଧ୍ୟବର୍ତ୍ତୀ କାଳୀନ ନିର୍ଦେଶ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି |
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୮ ତାରିଖ ଅର୍ଥାତ ଆସନ୍ତାକାଲି କୋଣାର୍କ ଥାନାରେ ହାଜର ହେବା ପାଇଁ ଦିଲ୍ଲୀ ସକେତ ମେଟ୍ରୋ ପଲିଟାନ ଅଦାଲତ ଅଭିଜିତ ଆୟାରଙ୍କୁ ମଧ୍ୟବର୍ତ୍ତୀ କାଳୀନ ନିର୍ଦେଶ ଦେଇଥିଲେ | ଏ ପ୍ରସଙ୍ଗରେ ଅଭିଜିତ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଲାଗି ଚାହିଁଥିଲେ | କିନ୍ତୁ ଓଡିଶା ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସେଥିରୁ ସେ ବଂଚିତ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ |