ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫% ଅଧିକ, ଗିରଫ ପରେ ସସ୍‌ପେଣ୍ଡ, ଏବେ ବାପ-ପୁଅଙ୍କ ଠିକଣା ଝାରପଡା ଜେଲ୍

Published By : Prameya-News7 Bureau | November 27, 2020 IST

ଭୁବନେଶ୍ଵର ୨୭।୧୧: ବିପୁଳ ଆୟବର୍ହିଭୂତ ସଂପତ୍ତି ଠୁଳ ଓ  ଅନିୟମିତତା ମାମଲାରେ ଗିରଫ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଜେଲ୍‌ ଯାଇଛନ୍ତି। ଉଭୟଙ୍କ ନୂତନ ଠିକଣା ଝାରପଡା ଜେଲ୍‌ ହୋଇଛି। ଅନ୍ୟପଟେ ଏହି ଦୁର୍ନୀତିଗ୍ରସ୍ତ କୁବେର ଅଧିକାରୀ ଅଭୟଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାର ପାଠକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।

ଆଜି ଉଭୟ ବାପ-ପୁଅଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବା ପରେ ଦୁହିଁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ  ହାଜତକୁ ପଠାଇ ଦିଆଯାଇଛି। ଅଭୟ ଓ ଆକାଶଙ୍କୁ ଝାରପଡା ଜେଲ୍‌ରେ ରଖାଯାଇଛି। ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫ ପ୍ରତିଶତ ଅଧିକ ରହିଛି।

୩ ଦିନ ମାରାଥନ ଜେରା ପରେ ଶେଷରେ IFS ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ବନ୍ଧା ହୋଇଛନ୍ତି। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ବାପ-ପୁଅଙ୍କୁ ଗିରଫ କରାଯାଇଛି । ଗତକାଲି ଆକାଶ ପାଠକଙ୍କୁ ପୁନେରୁ ଭିଜିଲାନ୍ସ ଆଣିଥିଲା। ଏହା ପରେ ବାପା ଅଭୟକାନ୍ତ ଏବଂ ପୁଅ ଆକାଶଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରା କରିଥିଲେ ବଛା ବଛା ଭିଜିଲାନ୍ସ ଅଧିକାରୀ। IFS ଅଭୟକାନ୍ତ ପାଠକଙ୍କ ବେହିସାବ ସମ୍ପତ୍ତି ଦେଖି ଭିଜିଲାନସ୍ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଗଣି ଗଣି ହାଲିଆ ହୋଇଯାଇଛନ୍ତି। ଏବେ ସୁଦ୍ଧା ଅଭୟକାନ୍ତ ପାଠକଙ୍କ ପ୍ରାୟ ୯କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଠାବ କରାଯାଇଛି ।

ଅଭୟକାନ୍ତଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ମିଳିଥିବା ବେଳେ ଏହି ପରିମାଣ ଆହୁରି ବଢିପାରେ। ସମ୍ପତ୍ତି ପରିମାଣ ଏତେ ଯେ, ହିସାବ ପାଇଁ ଏକାଧିକ ଚାଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କ ଅଧିକାରୀ, ଓ ନଥିପତ୍ର ଯାଞ୍ଚ କରୁଥିବା ସଂସ୍ଥାର ସହାୟତା ନେଇଛି ଭିଜିଲାନ୍ସ। କେବଳ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ନୁହନ୍ତି, ପୁଅ ଆକାଶ ମଧ୍ୟ କୋଟି କୋଟି ଟଙ୍କାରେ ଖେଳୁଥିଲେ । ଆକାଶ ବ୍ୟାଙ୍କ ଆକାଉଣ୍ଟରେ ୯.୪ କୋଟି ଟଙ୍କା ଜମା ଥିବା ଜଣାପଡ଼ିଛି। ୩ ବିଳାସପୂର୍ଣ୍ଣ ଗାଡ଼ି ଟାଟା ହ୍ୟାରିୟର, ମର୍ସିଡିଜ୍ ଏବଂ ବିଏମଡବ୍ଲୁ କାର ମାଲିକାନା ଆକାଶ ନାଁରେ ରହିଛି। ଆକାଶ ନାଁରେ ୩ଟି ଦାମୀ ୟମାହା ଏଫଜେଡ୍ଏସ୍ ବାଇକ୍ ମଧ୍ୟ ରହିଛି। ଏତେ ସବୁ ଗୁମର ଫିଟିବା ପରେ ବି ଅଭୟକାନ୍ତ କହିଛନ୍ତି, କିଛି ଠକେଇ ହୋଇନି, ସବୁ ଠିକ୍ ଅଛି, ବିଭାଗରେ ଥାଇ ସେ କୌଣସି ଅର୍ଥ ହଡ଼ପ କରିନାହାନ୍ତି । ପୁଣି କହିଛନ୍ତି, ପୁଅ ଆକାଶ ତାଙ୍କ ଟଙ୍କାରେ ଅୟସ କରୁ ନଥିଲା, କାରଣ ପୁଅର ମାସିକ ଦରମା ଏକ କୋଟି ଟଙ୍କା ।

ପୁଅ ଆକାଶ ବି ବାପା ଅଭୟକାନ୍ତ ପାଠକଙ୍କ ସହ ପାଳି ଧରିଛନ୍ତି । ଆକାଶ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି, ଆମେ କୋର୍ଟରେ ସବୁ ତଥ୍ୟ ରଖିବୁ ।

ପଞ୍ଚ ତାରକା ହୋଟେଲରେ ରହିବା ଓ ବିଦେଶରେ ବୁଲିବା ଥିଲା ପାଠକ ପରିବାରର ସଉକ। ସେହିପରି ମୁମ୍ବାଇ ତାଜ ପ୍ୟାଲେସରେ ଆକାଶ ଅୟସ କରି ୯୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ବିଲ୍ ଭିଜିଲାନ୍ସ ହାତରେ ଲାଗିଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ଆକାଶର ବିବାହ ପାଇଁ ରାଜସ୍ଥାନ ଉଦୟପୁରର ତାଜ୍ ଲେକ୍ ପ୍ୟାଲେସ ବୁକିଂ ହୋଇ ସାରିଥିଲା। ଯାହାର ଖର୍ଚ୍ଚ ପାଖାପାଖି ୫ କୋଟି ଟଙ୍କା ହେବ । ଜୁହୁ ବିଚ୍ ନିକଟରେ ଏକ ରେସ୍ତୁରାଁ ମଧ୍ୟ ଖୋଲିଥିଲା ଆକାଶ। ଆଉ କିଛି ଫ୍ଲାଟ୍ କିଣିବାକୁ ଆକାଶ ଯୋଜନା ରଖିଥିଲା । ୪ଟି ରାଜ୍ୟର ୧୩ଟି ସ୍ଥାନରେ ଛାପା ମାରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏସବୁ କୋର୍ଟରେ ପ୍ରମାଣ ଭାବରେ ରଖିବ ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.