ଆସାମରେ ପୁଣି ତେଜିଲା ସିଏଏ ବିରୋଧ ହ୍ୱାୱା: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ଅନ୍ନଶନ କରିବ ଏଏଏସ୍‌ୟୁ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ଆସାମରେ ପୁଣିଥରେ ନାଗରିକ ସଂଶୋଧନ ଅଧିନିୟମ(ସିଏଏ) ବିରୋଧର ନିଆଁ ତେଜିଛି। ମାର୍ଚ୍ଚ ୯ ତାରିଖରେ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଥିବା ବେଳେ ସିଏଏକୁ ବିରୋଧ କରିବାକୁ ଅଲ୍ ଆସାମ ଷ୍ଟୁଡେଣ୍ଟ ୟୁନିୟନ(ଏଏଏସ୍‌ୟୁ) ଓ ଅନ୍ୟ ୩୦ ସଂଘ ଏକାଠି ହୋଇଛନ୍ତି। ମୋଦୀଙ୍କ ଗସ୍ତ ଦିନ ରାଜ୍ୟର ସମସ୍ତ ଜିଲ୍ଲାର ଏମାନେ ୧୨ ଘଣ୍ଟା ପର୍ଯ୍ୟନ୍ତ ଅନଶନ କରିବେ ବୋଲି ସୂଚନା ମିଳିଛି।

ଏଏଏସ୍‌ୟୁ ଅଧ୍ୟକ୍ଷ ଉତ୍ପଳ ଶର୍ମା ଗୁଆହାଟୀରେ ବିଭିନ୍ନ ସଂଗଠନର ପ୍ରତିନିଧୀଙ୍କ ସହ ବୈଠକ କରିବା ପରେ ସିଏଏ କାର୍ଯ୍ୟକାରୀ କରିବା ଲୋକଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି। ଆସାମର ଲୋକ ସିଏଏକୁ ସ୍ୱୀକାର କରି ନାହାନ୍ତି। ତେଣୁ ଏହାକୁ ଲାଗୁ କରିବାରେ ସରକାରଙ୍କ ସମସ୍ତ ପଦକ୍ଷେପକୁ ବିରୋଧ କରାଯିବ ବୋଲି ଉତ୍ପଳ ଶର୍ମା କହିଛନ୍ତି। ଶ୍ରୀ ଶର୍ମା କହିଛନ୍ତି  “କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଆମେ ଗଣତାନ୍ତ୍ରିକ ତଥା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବା ସହିତ ଆଇନଗତ ସଂଗ୍ରାମ ଜାରି ରଖିବୁ।”

ସୂଚନା ଥାଉକି ସିଏଏ ଲାଗୁ କରିବା ନେଇ ଫେବ୍ରୁଆରୀ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂକେତ ଦେଇଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଏହାର ନିୟମ ବିଷୟରେ ସୂଚନା ଦିଆଯିବ ବୋଲି ଶାହ କହିଥିଲେ।

ପଢ଼ନ୍ତୁ-୧୯୯୩ ସିରିଜ୍‌ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ କରୀମ ତୁଣ୍ଡା ବିରୋଧରେ ସୁପ୍ରିମକୋର୍ଟ ଯିବ ସିବିଆଇ

ଏହାପୂର୍ବରୁ ଗୁରୁବାର (ଫେବୃଆରୀ ୨୯) ରେ ଆସାମ ବିରୋଧୀ ମିଳିତ ମଞ୍ଚ (ୟୁଓଏଫ୍ଏ) ମଧ୍ୟ ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆଙ୍କ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ସ୍ମାରକପତ୍ର ଦେଇ ସିଏଏ ରଦ୍ଦ କରିବାକୁ ଏବଂ ଆସାମରେ ଏହାକୁ କାର୍ଯ୍ୟକାରୀ ନକରିବାକୁ ଦାବି କରିଛି। ଯଦି ଏହାକୁ ରାଜ୍ୟରେ ରଦ୍ଦ କରା ନଯାଏ ତେବେ ଆସାମରେ ଜନ ଆନ୍ଦୋଳନ ଜାରି ରହିବ ବୋଲି ମେଣ୍ଟ ଦାବି କରିଛି। ସୂଚନା ଥାଉକି ଏହା ପୂର୍ବରୁ ୨୦୧୯ରେ ଆସାମୀର ସିଏଏକୁ ନେଇ ହିଂସା ସୃଷ୍ଟି ହୋଇଥିଲା। ମୁସଲିମଙ୍କୁ ଏହି ନିୟମରୁ ବାହାର କରାଯାଇଥିବା ଦାବି କରି ଏହି ଆନ୍ଦୋଳନ ତେଜିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.