AAPର ମହେଶ ଖିଚି ଦିଲ୍ଲୀର ନୂଆ ମେୟର, ବିଜେପି ପ୍ରାର୍ଥୀଙ୍କୁ ୩ ଭୋଟ୍‌ରେ ହରାଇଲେ

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ: ଦିଲ୍ଲୀରେ ଗୁରୁବାର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏମ୍‌ସିଡି ମେୟର ଏବଂ ଡେପୁଟୀ ମେୟର ପାଇଁ ନିର୍ବାଚନ ହୋଇଛି । ଦିଲ୍ଲୀ ନଗର ନିଗମରେ ପୁଣି ଥରେ ଆମ୍ ଆଦାମୀ ପାର୍ଟିର କବଜା ହୋଇଛି । ଆପ୍ କର୍ପୋରେଟର ମହେଶ ଖିଚି ନୂଆ ମେୟର ନିର୍ବାଚିତ ହୋଇଛନ୍ତି । ଆପ୍ ପ୍ରାର୍ଥୀଙ୍କୁ ୧୩୩ ଖଣ୍ଡ ଭୋଟ୍ ମିଳିଛି । ଅନ୍ୟପଟେ ବିଜେପି କର୍ପୋରେଟର କିଷନ ଲାଲଙ୍କୁ ୧୩୦ ଖଣ୍ଡ ଭୋଟ୍ ମିଳିଛି । ବିଜେପି କର୍ପୋରେଟର ସଂଖ୍ୟା ୧୨୦ ଥିଲା, କିନ୍ତୁ ଏହାର ପ୍ରାର୍ଥୀଙ୍କୁ ୧୦ ଭୋଟ୍ ଅଧିକ ମିଳିଛି । 

ଗୁରୁବାର ଏମ୍‌ସିଡିର ମେୟର ପାଇଁ ନିର୍ବାଚନ ହୋଇଛି । ମେୟର ପଦ ପାଇଁ ୨୬୫ ଭୋଟ୍ ପଡ଼ିଥିଲା । ଏଥିରୁ ୨ଟି ଭୋଟ୍ ଅମାନ୍ୟ ହୋଇଥିଲା । ୨୬୩ ଭୋଟ୍ ମଧ୍ୟରୁ ଆପ୍ ପ୍ରାର୍ଥୀ ମହେଶ ଖିଚି ୧୩୩ ଖଣ୍ଡ ଭୋଟ୍ ପାଇଁ ମେୟର ହୋଇଛନ୍ତି । କଂଗ୍ରେସର ୭ କର୍ପୋରେଟର ଭୋଟିଂକୁ ବୟକଟ୍ କରିଥିଲେ । ସେଲି ଓବରୟଙ୍କ ପରେ ଏବେ କରୋଲବାଗର ଦେବନଗରରୁ କର୍ପୋରେଟର ମହେଶ ଖିଚି ଏମ୍‌ସିଡି ମେୟର ପଦ ସମ୍ଭାଳିବେ । 

ଏମ୍‌ସିଡି ମେୟର ନିର୍ବାଚନ ପ୍ରତିବର୍ଷ ଏପ୍ରିଲ୍‌ରେ ହୋଇଥାଏ । ୨୦୨୨ ଡିସେମ୍ୱରରେ ଏମ୍‌ସିଡି ନିର୍ବାଚନରେ ଆପ୍ ୧୩୪ ଆସନରେ ବିଜୟୀ ହୋଇଥିଲା । ଏହାପରେ ଆପ୍ କର୍ପୋରେଟର ଡ.ସେଲି ଓବରୟ ମେୟାର ହୋଇଥିଲେ । ଆର୍ଥିକ ବର୍ଷ ଶେଷ ହେବାପରେ ୨୦୨୩ ଏପ୍ରିଲ୍‌ରେ ମେୟର ନିର୍ବାଚନରେ ପୁଣି ସେଲି ମେୟର ହୋଇଥିଲେ । ଏପ୍ରିଲ୍ ୨୦୨୪ରେ ମେୟର ନିର୍ବାଚନ ହୋଇପାରି ନଥିଲା । ଏମ୍‌ସିଡି ଆକ୍ଟ ଅନୁସାରେ ମେୟର ପଦ ପ୍ରଥମ ବର୍ଷ ମହିଳା କର୍ପୋରେଟରଙ୍କ ପାଇଁ ସଂରକ୍ଷିତ, ଦ୍ୱିତୀୟ ବର୍ଷ ଜେନେରାଲ୍ ଏବଂ ତୃତୀୟ ଅନୁସୂଚିତ ଜାତିର କର୍ପୋରେଟରଙ୍କ ପାଇଁ ସଂରକ୍ଷିତ ହୋଇଥାଏ । ଶେଷ ଦୁଇ ବର୍ଷ ପୁଣି ଥରେ ଜେନେରାଲ୍ ଶ୍ରେଣୀ ପାଇଁ ରହିଥାଏ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.