ଲାଇନ୍ରେ ରାହୁଲ, ମମତା ଏବଂ ନୀତିଶ, ହେଲେ ଆପ୍ର ଘୋଷଣା- ୨୦୨୪ରେ ‘କେଜ୍ରିଓ୍ଵାଲ ବନାମ ମୋଦୀ’ ଲଢେଇ
19/08/2022 at 9:59 PM

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ପାଗ ଭିଡା ଆରମ୍ଭ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେଉଁ ଦଳ ଏବଂ କେଉଁ ନେତା ଟକ୍କର ଦେବେ ତାକୁ ନେଇ କସରତ ଆରମ୍ଭ ହୋଇ ଯାଇଛି। ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ଦଳ। ଏପରିକି ବିଜେପିର ମୁକାବିଲା ପାଇଁ ଲାଇନ୍ରେ ଅଛନ୍ତି ରାହୁଲ, ମମତା ଏବଂ ନୀତିଶ ସମେତ ତମା ବିରୋଧୀ। ଏହି କ୍ରମରେ ଆମ୍ ଆଦମୀ ପାର୍ଟି(ଆପ୍) ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନାମ ଘୋଷଣା କରିଛି। ଅପରପକ୍ଷେ ଆପ୍ର ଦ୍ଵିତୀୟ ସବୁଠୁ ବଡ ନେତା ତଥା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆାଙ୍କ ବାସଭବନରେ ସିବିଆଇ ଚଢାଉ କରିଛି। ଏଥିରେ ଆକ୍ରୋଶିତ ହୋଇ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହ କେଜ୍ରିଓ୍ଵାଲଙ୍କୁ ଆପ୍ର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଅନ୍ୟ ରାଜ୍ୟଗୁଡିକରେ ଆପ୍ର ବଢୁଥିବା ପ୍ରଭାବକୁ ରୋକି ପାରିବେ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ‘କେଜ୍ରିଓ୍ଵାଲ ବନାମ ମୋଦୀ’ ହେବ।
ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୨୦୨୪ରେ ପରବର୍ତ୍ତୀ ସାଧାରଣ ନିର୍ବାଚନ ଆପ୍ ବନାମ ବିଜେପି ହେବ। ମୋଦୀ ବନାମ କେଜ୍ରିଓ୍ଵାଲ ହେବ। ଆମେ ବିଜେପିର ମୁକାବିଲା କରିବୁ। ବିଜେପି ଆମକୁ ଅଟକାଇ ପାରିବ ନାହିଁ। ବିଜେପି କେଜ୍ରିଓ୍ଵାଲ କିମ୍ବା ଆମର ଶିକ୍ଷା, ସ୍ଵାସ୍ଥ୍ୟ ମୋଡେଲକୁ ରୋକି ପାରିବ ନାହିଁ। ଆପଣ ଆମର ସ୍ଵାସ୍ଥ୍ୟ ମନ୍ତ୍ରୀ କିମ୍ବା ଶିକ୍ଷା ମନ୍ତ୍ରୀଙ୍କୁ ଗିରଫ କରି ପାରିବେ, ମାତ୍ର ଦିଲ୍ଲୀର କୌଣସି କାମ ଅଟକାଇ ପାରିବେ ନାହିଁ। ଆପଣ କେଜ୍ରିଓ୍ଵାଲ ଏବଂ ଆପ୍କୁ ଟାର୍ଗେଟ୍ କରିବାକୁ ଚାହାନ୍ତି ଯଦି କରନ୍ତୁ। ଦେଶବାସୀ ସବୁ କିଛି ଦେଖୁଛନ୍ତି। ଭାରତକୁ ଦୁନିଆରେ ନମ୍ବର ଓ୍ଵାନ କରିବାର ମିଶନ ଅଟକିବ ନାହିଁ ବୋଲି ସଞ୍ଜୟ ସିଂହ କହିଛନ୍ତି।
ଦିଲ୍ଲୀର ଅବକାରୀ ନୀତିରେ କଥିତ ଦୁର୍ନୀତିର ଯାଞ୍ଚ ପାଇଁ ଉପ ରାଜ୍ୟପାଳଙ୍କ ସୁପାରିଶ ପରେ ଶୁକ୍ରବାର ସିସୋଦିଆଙ୍କ ସରକାରୀ ବାସଭବନ ସମେତ ୭ ରାଜ୍ୟର ୨୧ଟି ଠିକଣାରେ ସିବିଆଇ ଚଢାଉ କରିଛି। ଯାଞ୍ଚ ସମୟରେ ସିବିଆଇ ଅନେକ ଡିଭାଇସ୍ ଏବଂ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୫ ଜଣଙ୍କ ନାମରେ ଏଫଆଇଆର ରୁଜୁ ହୋଇଛି। ଚଢାଉକୁ ନେଇ ଆପ୍ କ୍ଷୁବ୍ଧ ହୋଇ ଉଠିଛି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି।