ଦିଲ୍ଲୀ ଡେପୁଟି ମେୟର ନିର୍ବାଚିତ ହେଲେ ଆପ୍ର ଆଲେ ମହମ୍ମଦ ଇକବାଲ୍
22/02/2023 at 5:02 PM

ନୁଆଦିଲ୍ଲୀ: ତିନି ଥର ବିଫଳ ହେବା ପରେ ଶେଷରେ ଦିଲ୍ଲୀକୁ ମେୟର ଓ ଡେପୁଟି ମେୟର ମିଳିଛନ୍ତି। ଉଭୟ ପଦରେ ଆପ୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆପ୍ର ଶୈଲୀ ଓବରୟ ମେୟର ନିର୍ବାଚିତ ହୋଇଥିବା ବେଳେ ଆଲେ ମହମ୍ମଦ ଇକବାଲ ଡେପୁଟି ମେୟର ହୋଇଛନ୍ତି।
ଆପ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏମ୍ଡି ଇକବାଲ ୧୪୭ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ କମଲ ବାଗ୍ରୀଙ୍କୁ ୧୧୬ ଭୋଟ୍ ମିଳିଥିଲା। ଉପନିର୍ବାଚନ ପାଇଁ ମୋଟ ୨୬୫ ଭୋଟ୍ ପଡ଼ିଥିଲା। ସେଥିମଧ୍ୟରୁ ୨ଟି ଭୋଟକୁ ରଦ୍ଦ କରାଯାଇଥିଲା। ଆପ୍ ପ୍ରାର୍ଥୀ ଏମ୍ଡି ଇକବାଲ ବିଜେପୀ ପ୍ରାର୍ଥୀ କମଲଙ୍କୁ ୩୧ ଖଣ୍ଡ ଭୋଟ୍ରେ ହରାଇ ବିଜୟୀ ହୋଇଛନ୍ତି।
ପଢ଼ନ୍ତୁ- ‘ଭାରତର ସମର୍ଥନ ଅତ୍ୟନ୍ତ ଜରୁରୀ’, ୟୁଏନରେ ଭୋଟିଂ ପୂର୍ବରୁ ସହଯୋଗ ଲୋଢିଲା ୟୁକ୍ରେନ; ଡୋଭାଲଙ୍କ ସହ କଲା ଆଲୋଚନା
ଦିଲ୍ଲୀ ଉପନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି ଇକବାଲଙ୍କୁ ବଧେଇ ଜଣାଇଛନ୍ତି। କେଜରିୱାଲ୍ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି ” ଦିଲ୍ଲୀ ନଗର ନିଗମରେ ଡେପୁଟି ମେୟର ନିର୍ବାଚିତ ହେବା ପରେ ଆଲେ ଇକବାଲ ଓ ଦିଲ୍ଲୀ ଜନତାଙ୍କୁ ବହୁତ ବହୁତ ଧନ୍ୟବାଦ। ଜନତାଙ୍କ ବିଜୟ ହୋଇଛି।”
ସେହିପରି ମନୀଷ ସିସୋଦିଆ ଟ୍ୱିଟ୍ କରି ଲେଖିଛନ୍ତି ” ଦିଲ୍ଲୀ ନଗର ନିଗମରେ ଆମ ଆଦ୍ମୀ ପାର୍ଟିର ଡେପୁଟି ମେୟର ନିର୍ବାଚିତ ହେବା ପରେ ଆଲେ ଇକବାଲଙ୍କୁ ବହୁତ ବହୁତ ବଧେଇ। ବିଜେପି, କେନ୍ଦ୍ର ସରକାର ଓ ଏଲ୍ଜି ସାହେବ ପର୍ଯ୍ୟନ୍ତ ସମସ୍ତ ସମ୍ବିଧାନ ବିରୋଧରେ ଯାଇ ଅଟକାଇବାକୁ ଚେଷ୍ଟା କରି ଚାଲିଥିଲେ। କିନ୍ତୁ… ଦିଲ୍ଲୀ ଜନତା କରି ଦେଖାଇ ଦେଲେ ଯେ ଏମ୍ସିଡିରେ ବି କେଜରିୱାଲ୍। “
ଏହା ପୂର୍ବରୁ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଥିଲେ ଆପ୍ର ଶୈଲୀ ଓବରୟ। ୨୨ ଫେବୃଆରୀ ବୁଧବାର ଅନୁଷ୍ଠିତ ହୋଇଥିବା ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ଡ. ଶୈଲୀ ଓବରୟଙ୍କୁ ୧୫୦ଟି ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ମାତ୍ର ୧୧୬ଟି ଭୋଟ ମିଳିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଭୋଟ ଗ୍ରହଣରେ କୌଣସି ପ୍ରକାର ବିରୋଧ କି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା।।
ମେୟର ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉଭୟ ଶୈଲୀଙ୍କୁ ବଧେଇ ଜଣାଇଥିଲେ। ବିଜୟୀ ହେବା ପରେ ଶୈଲୀ ତାଙ୍କ ପ୍ରତିକ୍ରିୟାରେ ଦିଲ୍ଲୀ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ନିଷ୍ଠାର ସହ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପଢ଼ନ୍ତୁ-ଉଦ୍ଧବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା: ଏବେ ଏକନାଥ ସିନ୍ଦେ ଗୋଷ୍ଠୀ ପାଖରେ ହିଁ ରହିବ ଶିବସେନାର ନିର୍ବାଚନୀ ଚିହ୍ନ ଏବଂ ନାମ
ଶୈଲୀ କହିଥିଲେ ” ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ସାମ୍ବିଧାନିକ ନିୟମ ଅନୁସାରେ ମୁଁ ଗୃହକୁ ଚଳାଇବି। ମୁଁ ଆପଣମାନଙ୍କ ଠାରୁ ଏହା ଆଶା କରିବି ଯେ ଆମେ ସମସ୍ତେ ପରସ୍ପର ସହଯୋଗ କରି ଗୃହର ମର୍ଯ୍ୟାଦା ରଖିବା। ଗୃହ କାର୍ଯ୍ୟ ସୁରୁଖୁରରେ ଚାଲିବାକୁ ସହଯୋଗ କରିବା।”
ଦିଲ୍ଲୀ ନଗର ନିଗମ ହାଉସର ୨୭୪ଟି ଭୋଟ୍ ମଧ୍ୟରୁ ଆପ୍ ୧୫୦ ଆସନ ବିଜୟୀ ହୋଇଥିବା ବେଳେ ବିଜେପିକୁ ୧୧୩ ଭୋଟ ମିଳିଥିଲା। ଯଦି ବୟସ୍କ ପ୍ରାର୍ଥୀ କିମ୍ବା ମନୋନୀତ ପ୍ରାର୍ଥୀଙ୍କୁ ଭୋଟ୍ ପାଇଁ ଅନୁମତି ମିଳିଥାନ୍ତା ତେବେ ବିଜେପିର ସଂଖ୍ୟା ୧୨୩ ହୋଇଥାନ୍ତା। ତଥାପି ବିଜେପି ଏହି ନିର୍ବାଚନ ହାରିଥାନ୍ତା। କାରଣ ମେୟର ପଦ ପାଇଁ ମ୍ୟାଜିକ୍ ନମ୍ବର ୧୩୮ ରହିଛି।