ଦିଲ୍ଲୀରେ ଝାଡୁ ମ୍ୟାଜିକ୍, MCD ହାତେଇଲା ‘ଆପ୍’, ଭାଙ୍ଗିଲା ୧୫ ବର୍ଷର ବିଜେପି ଗଡ଼

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଲୀ ୭।୧୨:  ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ୍)କୁ ବିପୁଳ ବିଜୟ ସହ ବହୁମତ  ମିଳିଛି। ଏମସିଡିର ୨୫୦ ଆସନରେ ୪ ଡିସେମ୍ବର ରବିବାର ଭୋଟ ଗ୍ରହଣ ହୋଇଥିଲା। ଚଳିତ ନିର୍ବାଚନରେ ୨୫୦ ୱାର୍ଡରେ ୧୩୪୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ଗତ ୧୫ ବର୍ଷ ହେଲା ଦିଲ୍ଲୀ ଏମସିଡିକୁ ବିଜେପି ନିଜ ନିୟନ୍ତ୍ରଣରେ ରଖିଥିଲା। ତେବେ ବୁଧବାର ଭୋଟ ଗଣନା ପରେ ଆସୁଥିବା ରିପୋର୍ଟରୁ  ଆମ ଆଦମୀ ପାର୍ଟିକୁ ସର୍ବାଧିକ ୧୩୪ଟି  ଆସନ ମିଳିଥିବା ବେଳେ ଏବେ ଏମସିଡିରେ ଆପ୍‌ର ମେୟର ହେବେ।  

ଦିଲ୍ଲୀ ଏମସିଡି ନିର୍ବାଚନର ଭୋଟ ଗଣନା ପାଇଁ ନିର୍ବାଚନ ଆୟୋଗ ମୋଟ ୪୨ଟି ଭୋଟ ଗଣନା କେନ୍ଦ୍ର ସ୍ଥାପନା କରିଥିଲେ। ଭୋଟ ଗଣନା ଲାଗି ୬୮ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ମୁତୟନ ହୋଇଥିବା ବେଳେ ରିଟର୍ଣ୍ଣିଂ ଅଫିସରମାନଙ୍କ ଦ୍ୱାରା ପ୍ରାର୍ଥୀ ଅଥବା ସେମାନଙ୍କ ପ୍ରତିନିଧିଙ୍କ  ଆଗରେ ଭୋଟ ଗଣନା କରାଯାଇଥିଲା। ୨୫୦ଟି ଆସନରୁ ଆପକୁ ସର୍ବାଧିକ ୧୩୪ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୦୪, କଂଗ୍ରେସ  ୯ ଓ ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ୱାର୍ଡରେ ବିଜୟୀ ହୋଇଛନ୍ତି।

ବଡ଼ ନେତାମାନଙ୍କ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳିରେ ବିଜେପି ଓ ଆପର ହାଲ
ଆପ ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଶକୁର ବସ୍ତିରେ ବିଜେପି ପ୍ରାର୍ଥୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ତେବେ ଏଠାରେ ଆପ୍‌କୁ ନିରାଶ ହେବାକୁ ପଡିଛି। ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନିର୍ବାଚନ ମଣ୍ଡଳିର ୪ଟି ୱାର୍ଡରୁ ବିଜେପି ୩ଟିରେ ବିଜୟୀ ହୋଇଥିବା ବେଳେ ଆପକୁ ଗୋଟିଏ ଆସନ ମିଳିଛି। ସେହିପରି ବିଜେପି ପ୍ରଦେଶ ସଭାପତି ଆଦେଶ ଗୁପ୍ତାଙ୍କ ଅଞ୍ଚଳରେ ବିଜେପିକୁ ଗୋଟିଏ ବି ଆସନ ମିଳି ନାହିଁ।

ବିଜେପି ସାଂସଦ ରମେଶ ବିଧୁଡିଙ୍କ ଲୋକସଭା ନିର୍ବାଚନମଣ୍ଡଳିରେ ବିଜେପିକୁ ୧୩ଟି ୱାର୍ଡ ମିଳିପାରିଥିବା ବେଳେ ଆପକୁ ୨୩ଟି ୱାର୍ଡ ମିଳିଛି। ସେହିପରି ପ୍ରବେଶ ବର୍ମାଙ୍କ ଲୋକସଭା ନିର୍ବାଚନମଣ୍ଡଳିରେ ବିଜେପିକୁ ୧୪ଟି ୱାର୍ଡରେ ବିପୁଳ ଜନମତ ମିଳିଥିବା ବେଳେ ୨୪ ୱାର୍ଡ ଆପ ହାତେଇ ନେଇଛି। ସେହିପରି ବିଜେପି ସାଂସଦ ହଂସରାଜ ହଂସଙ୍କ ଲୋକସଭା କ୍ଷେତ୍ରର ୧୪ଟି ୱାର୍ଡ ବିଜେପିକୁ ମିଳିଥିବା ବେଳେ ଆପ୍ ୨୬ଟି ସିଟ୍ ହାତେଇଛି। ତେବେ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ନିର୍ବାଚନ ମଣ୍ଡଳିରେ ବିଜେପିକୁ ବେଶ୍ ସଫଳତା ମିଳିଛି। ଏଠାରେ ବିଜେପିକୁ ୨୨ଟି ଆସନ ମିଳିଥିବା ବେଳେ ଆପ ୧୧ଟି ମିଳିଛି। ସେହିପରି ମନୋଜ ତିୱାରୀଙ୍କ ଲୋକସଭା କ୍ଷେତ୍ରରେ ବିଜେପିକୁ ୧୮ଟି ଆସନ ମିଳିଥିବା ବେଳେ ୧୭ଟିରେ ଆପ ପ୍ରାର୍ଥୀମାନେ  ହାତେଇ ନେଇଛନ୍ତି। ମିନିକ୍ଷୀ ଲେଖିଙ୍କ ନିର୍ବାଚନମଣ୍ଡଳିରେ ବିଜେପିକୁ ୫ଟି ୱାର୍ଡ ମିଳିଛି। ତେବେ ଏଠାରେ ଆପ ୨୦ଟି ୱାର୍ଡ ହାତେଇ ନେଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.