ଜାତୀୟ ଦଳର ମାନ୍ୟତା ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଆମ୍‌ ଆଦ୍‌ମୀ ପାର୍ଟି; ଏପ୍ରିଲ ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ କୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | April 06, 2023 IST

ନୂଆଦିଲ୍ଲୀ: ଜାତୀୟ ଦଳ ମାନ୍ୟତା ଦାବି କରି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଆମ୍‌ ଆଦ୍‌ମୀ ପାର୍ଟି। ଆପ୍‌କୁ ଜାତୀୟ ଦଳର ମାନ୍ୟତା ଦେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦଳ ହାଇକୋର୍ଟରେ ଆବେଦନ କରିଛି। ଏନେଇ ଗୁରୁବାର କର୍ଣ୍ଣାଟକ ଆପ୍‌ର ଯୋଗାଯୋଗ ଦାୟିତ୍ୱରେ ଥିବା ବ୍ରିଜେସ୍‌ କଲପ୍ପା ସୂଚନା ଦେଇଛନ୍ତି। ସିମ୍ବଲ ଅର୍ଡର ଅନୁସାରେ ଆମ ଆଦ୍‌ମୀ ପାର୍ଟୀ ଜାତୀୟ ଦଳର ମାନ୍ୟତା ପାଇପାଇଁ ହକ୍‌ଦାର ବୋଲି ସେ କହିଛନ୍ତି।

ହାଇକୋର୍ଟରେ ହୋଇଥିବା ଆବେଦନ ସମ୍ପର୍କରେ ବ୍ରିଜେଶ କହିଛନ୍ତି ଯେ ହାଇକୋର୍ଟ ଏନେଇ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୩ ତାରିଖ ସୁଦ୍ଧା ଏନେଇ ନିଷ୍ପତ୍ତି ନେବାକୁ କୋର୍ଟ କମିଶନଙ୍କୁ କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ କମିଶନ ଦଳର ସ୍ଥିତି ଯାଞ୍ଚ କରୁଛି ବୋଲି ସେ ସୂଚନା ଦେଇଛନ୍ତି।  

ବ୍ରିଜେସ କଲପ୍ପା କହିଛନ୍ତି ଯେ ନିର୍ବାଚନ ଚିହ୍ନ(ସଂରକ୍ଷଣ ଓ ଆବଣ୍ଟନ) ନିର୍ଦ୍ଦେଶ ୧୯୬୮ର ଧାରା ୬ବି ଅନୁସାରେ, ଯେ କୌଣସି ପାର୍ଟିର ୪ରୁ ଅଧିକ ରାଜ୍ୟରେ ୬ ପ୍ରତିଶତରୁ ଅଧିକ ଭୋଟ ଶେୟାର ରହିଥିବା ତାକୁ ଜାତୀୟ ଦଳର ମାନ୍ୟତା ମିଳିବା ଉଚିତ୍। ଆମ ଆଦ୍‌ମୀ ପାର୍ଟି ଗତବର୍ଷ ଗୁଜରାଟ ନିର୍ବାଚନରେ ୧୪ ପ୍ରତିଶତ ଭୋଟ୍ ଜିତିବା ପରେ ଏହି ଯୋଗ୍ୟତା ହାସଲ କରି ସାରିଛି। ତେଣୁ ଦଳକୁ ନିଶ୍ଚିତ ଜାତୀୟ ମାନ୍ୟତା ମିଳିବ ବୋଲି ସେ ଦାବି କରିଛନ୍ତି।

 ସୂଚନା ଥାଉକି କର୍ଣ୍ଣାଟକ ନିର୍ବାଚନରେ ବିଜେପି-କଂଗ୍ରେସ ସହ ଆପ୍‌ ବି ଟକ୍କର ଦେଉଛି। ଦଳୀୟ ନେତାଙ୍କ ଘନ ଘନ ଗସ୍ତ ସହ ଶାସକ ଦଳଙ୍କୁ ଟାର୍ଗେଟ୍ ଏସବୁ ସ୍ଥିତି ରାଜ୍ୟରେ ଆପ୍‌ର ଉପସ୍ଥିତି ଜାହିର କରୁଛି। ନିର୍ବାଚନ ପାଇଁ ମଧ୍ୟ ଦଳ ପ୍ରଥମ ପର୍ଯ୍ୟାୟରେ ୮୦ ପ୍ରାର୍ଥୀ ଘୋଷଣା କରିସାରିଛି। ମେ ୧୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ସବୁ ଦଳ ପ୍ରଚାର ଅଭିଯାନ ଜୋର୍‌ସୋର୍‌ରେ ଆରମ୍ଭ କରିଦେଇଛନ୍ତି।

ପଞ୍ଜାବ ଓ ଦିଲ୍ଲୀରେ ଆପ୍ ସରକାର ରହିଛି। ସେହିପରି ଗୁଜରାଟ ନିର୍ବାଚନରେ ଦଳ ୫ ଆସନ ଜିତିଛି। ଦିଲ୍ଲୀ ମ୍ୟୁନିସିପାଲିଟ ନିର୍ବାଚନରେ ବି ବିଜେପିର ଗଡ଼ ଭେଦ କରି ଦଳ ସର୍ବାଧିକ ଆସନ ଜିତିଥିଲା। ତେଣୁ କର୍ଣ୍ଣାଟକର ଦଳକୁ ସମ୍ପୂର୍ଣ୍ଣ ସଫଳତା ନ ମିଳିଲେ ଦଳ କିଛି ଆସନ ହାତେଇବାର ଆଶା ରଖିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.