ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟିର ଗୋଟିଏ ପରେ ଗୋଟିଏ ଡାଳ କଟୁଛି। ଏବେ ଇଡି ଆପ୍ ବିଧାୟକ ଅମାନତୁଲ୍ଲା ଖାନ୍ଙ୍କୁ ଗିରଫ କରିଛି। ୱାକ୍ଫ ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ପିଏମ୍ଏଲ୍ଏ ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି।
ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଅମାନତୁଲ୍ଲାହଙ୍କୁ ପାଖାପାଖି ୯ ଘଣ୍ଟା ପଚରାଉଚରା କରିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର(ଏପ୍ରିଲ ୧୮) ଅମାନତୁଲ୍ଲାହ ପଚରାଉଚରା ପରେ ଇଡିରେ ହାଜର ହୋଇଥିଲେ। ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି।
ଆପ୍ ନେତା ତଥା ଓଖଲା ବିଧାୟକ ଅମାନତୁଲ୍ଲା ଖାନ୍ଙ୍କ ବିରୋଧରେ ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ୍ ଭାବରେ ବେଆଇନ ଭାବେ ୩୨ ଜଣଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ରହିଛି। ଏଥିସହିତ ସେ ବେଆଇନ ଭାବେ ଦିଲ୍ଲୀ ୱାକଫ ବୋର୍ଡର ଅନେକ ସମ୍ପତ୍ତି ଭଡା ଦେଇଛନ୍ତି। ଏହାସହ ସେ ଦିଲ୍ଲୀ ୱାକଫ ବୋର୍ଡର ପାଣ୍ଠିର ଅପବ୍ୟବହାର କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଦିଲ୍ଲୀ ୱାକଫ ବୋର୍ଡର ତତ୍କାଳୀନ ସିଇଓ ବେଆଇନ ନିଯୁକ୍ତି ବିରୋଧରେ ଆପ୍ ବିଧାୟକଙ୍କ ବିରୋଧରେ ବୟାନ ଦେଇଛନ୍ତି।
ପଢ଼ନ୍ତୁ-ତୃତୀୟ ଥର ମୋଦୀ ସରକାର ଆସିଲେ ଦୁଇ ବର୍ଷ ମଧ୍ୟରେ ଦେଶରେ ନକ୍ସଲବାଦର ମୂଳୋତ୍ପାଟନ କରିଦେବୁ: ଅମିତ ଶାହ
ଏହାକୁ ନେଇ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂହ। ମୋଦୀ ସରକାର ଏକଛତ୍ରବାଦୀ ଶାସନ ଚଳାଇଛନ୍ତି। ତାଙ୍କ ସରକାର ଅପରେସନ ଲୋଟସ୍ରେ ଲାଗିପଡ଼ିଛନ୍ତି। ମିଛ ମାମଲା ତିଆରି କରି ମନ୍ତ୍ରୀ ଓ ବିଧାୟକଙ୍କୁ ଗିରଫ କରାଯାଉଛି। ଖୁବ୍ଶୀଘ୍ର ଏକଛତ୍ରବାଦ ଶାସନର ଅନ୍ତ ହେବ ବୋଲି ସଞ୍ଜୟ ସିଂହ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିସହିତ ସେ ଅମାନତୁଲ୍ଲାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ବୋଲି ସେ ପୋଷ୍ଟରେ ଲେଖିଛନ୍ତି।
ଏହି ମାମଲାରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ସେପ୍ଟେମ୍ବର ୨୦୨୨ ରେ ଅମାନତୁଲ୍ଲା ଖାନଙ୍କୁ ପଚରାଉଚରା କରିଥିଲା। ଏହାକୁ ଆଧାର କରି ଏସିବି ଚାରୋଟି ସ୍ଥାନରେ ଚଢ଼ାଉ କରିଥିଲା। ଯେଉଁଠାରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ବ୍ୟତୀତ ଦୁଇଟି ବେଆଇନ ତଥା ଲାଇସେନ୍ସପ୍ରାପ୍ତ ପିସ୍ତଲ, କାର୍ଟ୍ରିଜ ଏବଂ ଗୁଳି ଜବତ କରାଯାଇଥିଲା। ଏହାପରେ ଅମାନାତୁଲ୍ଲାଙ୍କ ବିରୋଧରେ ପ୍ରମାଣ ଏବଂ ଆପତ୍ତିଜନକ ସାମଗ୍ରୀ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ୨୮ ଡିସେମ୍ବର ୨୦୨୨ରେ ଜାମିନ ମିଳିଯାଇଥିଲା।