ବିଜେପିରେ ମିଶିବେ ନାହିଁ ଗୁଜରାଟ ଆପ୍ ବିଧାୟକ କହିଲେ: ଲୋକଙ୍କୁ ପଚାରି ନିଷ୍ପତ୍ତି ନେବି

Published By : Prameya-News7 Bureau | December 11, 2022 IST

ଅହଦାବାଦ: ଏଥର ଗୁଜରାଟରେ ଆମ ଆଦ୍‌ମୀ ପାର୍ଟି ମାତ୍ର ୫ଟି ଆସନରେ ବିଜୟୀ ହୋଇଛି। ଆଉ ବିଜେପି ଏହି ୫ ଜଣଙ୍କୁ ନିଜ ଦଳରେ ସାମିଲ୍ କରି ରାଜ୍ୟରେ ଲଗାତର ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଆପ୍‌ର ୫ ବିଧାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି।

ଖବରକୁ ନେଇ ଜୁନାଗଡ଼ ଜିଲ୍ଲା ବିସାବଦର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ଆପ୍‌ ବିଧାୟକ ଭୂପତୀ ଭୟାନୀଙ୍କୁ ପଚାରିବାରୁ ସେ କିନ୍ତୁ ଦଳ ଛାଡ଼ିବାକୁ କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି " ମୁଁ ବିଜେପିରେ ଯୋଗ ଦେବି ନାହିଁ। ମୁୁଁ ଲୋକଙ୍କୁ ପଚାରିବି। ସେମାନଙ୍କ ମତ ନେଇ ମୁଁ ନିଷ୍ପତ୍ତି ନେବି।" ତେବେ ଦଳ ବାହାରେ ରହି ସେ ବିଜେପିକୁ ସମର୍ଥନ କରିବେ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି ଭୂପତି।

ଗୁଜରାଟରେ ଆପ୍‌ କିଛି ବଡ଼ ପରିବର୍ତ୍ତନ କରିବ ବୋଲି ଭାବିଥିଲା। ହେଲେ ଦଳ ମାତ୍ର ୫ଟି ଆସନ ପାଇଛି। ଆଉ ବିଜେପି ମୋଟ ୧୮୨ ଆସନରୁ ୧୫୬ ଟି ଜିତିଛି।

ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ କିନ୍ତୁ ଏଥର କ୍ଷତି ସହିଛି। ଦଳକୁ ମାତ୍ର ୧୭ ଆସନ ମିଳିଛି। ବିଜେପିର ଏଥର ବିଜୟ ରେକର୍ଡ କରିଛି। ୧୯୮୫ରେ କଂଗ୍ରେସ ଗୁଜରାଟରେ ସର୍ବାଧିକ ୧୪୯ ଜିତିଥିଲା। ହେଲେ ବିଜେପି ଏଥର କଂଗ୍ରେସ ରେକର୍ଡକୁ କାଟି ଦେଇ ୧୫୬ ଆସନ ଜିତିଛି। ତା ପୂର୍ବରୁ ୨୦୦୨ରେ ବିଜେପି ରାଜ୍ୟରେ ସର୍ବାଧିକ ୧୨୭ ଆସନ ଜିତିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.