ପଦ୍ମ ଧରିଲେ ଆପର ସିଏମ ପ୍ରାର୍ଥୀ, କହିଲେ-ଘରେ ଘରେ ପହଞ୍ଚାଇବି ବିଜେପିର ଆଦର୍ଶ
24/05/2022 at 6:09 PM

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଉପସ୍ଥତିରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। କର୍ଣ୍ଣଲ( ସେବାନିବୃତ) ଅଜୟ କୋଠିଆଲ ମେ ୧୮ରେ ଆପରୁ ଇସ୍ତଫା ଦେଇଥିଲେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଗଗ୍ନୋତ୍ରୀ ଆସନରୁ ନିର୍ବାଚନ ଲଢିଥିବା କୋଠିଆଲ ଅମାନତ ହରାଇଥିଲେ।
ମଙ୍ଗଳବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କୋଠିଆଲଙ୍କ ସହ ତାଙ୍କର ୧୫୦ରୁ ଅଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବା କୋଠିଆଲ କହିଛନ୍ତି, ଆପରେ ସାମିଲ ହେବା ତାଙ୍କର ସବୁଠୁ ବଡ଼ ଭୁଲ ଥିଲା। ବିଜେପିର ବିଚାରଧାରାକୁ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କାମ କରିବି। ଏହାସହ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବିଜୟୀ ହେବେ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣଲ କୋଠିଆଲ, ପ୍ରଦେଶର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂପେଶ ଉପାଧ୍ୟାୟଙ୍କ ସହ ତାଙ୍କର ବହୁ ସମର୍ଥକ ବୁଧବାର ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ।