ଗୁଜରାଟରେ ନୋମିନେସନ ପ୍ରତ୍ୟାହାର କଲେ ‘ଆପ୍’ ପ୍ରାର୍ଥୀ, ବିଜେପି ବିରୋଧରେ ଅପହରଣର ଅଭିଯୋଗ ଆଣିଲେ ସିସୋଦିଆ

Published By : Prameya-News7 Bureau | November 16, 2022 IST

ନୂଆଦିଲ୍ଲୀ ୧୬।୧୧: ଗୁଜରାଟର ସୁରଟ ପୂର୍ବ ବିଧାନସଭା ଆସନରେ ଆମଆଦମୀ ପାର୍ଟି (ଆପ) ପ୍ରାର୍ଥୀ କଞ୍ଚନ ଜରିୱାଲା ବୁଧବାର ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏହାକୁ ନେଇ ବିଜେପି ବିରୋଧରେ ଅଭିଯୋଗ କରିଛି ଆପ୍। ଗୁଜରାଟରେ ବିଜେପି ଗୁଣ୍ଡାମାନେ ଜରିବାଲାଙ୍କ ଅପହରଣ କରି ତାଙ୍କ ଉପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଚାପ ପକାଇଥିବା ଆପ କହିଛି। ଏହାକୁ ନେଇ ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜରିବାଲା ଓ ତାଙ୍କ ପରିବାର ସଦସ୍ୟ ମଙ୍ଗଳବାର ଠାରୁ ନିଖୋଜ ଥିବା କହିଥିଲେ। ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଏଥର ସୋଚନୀୟ ପରାସ୍ତ ହେଉଥିବା ସେ କହିଥିବା ବେଳେ ପରାଜୟ ଭୟରେ ଏବେ ଅତ୍ୟନ୍ତ ନିମ୍ନସ୍ତରର ଆଚରଣ କରୁଛି। ବିଜେପି ଗୁଣ୍ଡାମାନେ ଆମର ପୂର୍ବ ସୁରଟ ପ୍ରାର୍ଥୀଙ୍କୁ ଅପହରଣ କରିନେଇଛନ୍ତି ବୋଲି ସେ କହିବା ପରେ ଜରିବାଲା ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି।

{"id":710048,"sizeSlug":"full","linkDestination":"none"}

ଗୁଜରାଟରେ ଆପ୍ ପ୍ରଦେଶ ଅଧ୍ୟକ୍ଷ ଗୋପାଲ ଇଟାଲିଆ ମାମଲାର ନିର୍ବାଚନ ଆୟୋଗ ସଜ୍ଞାନ ନିଅନ୍ତୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ଜରିବାଲା କ୍ଷମତାସୀନ ଦଳର ଚାପରେ ବୁଧବାର ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ପୋଲିସର କଡା ସୁରକ୍ଷା ବଳୟରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ମଧ୍ୟ ତାଙ୍କୁ ବିଜେପି ଗୁଣ୍ଡାମାନେ ଘେରି ରହିଥିଲେ। ଏଣୁ ଗଣମାଧ୍ୟମକୁ ଏଡିବା ପାଇଁ ତାଙ୍କୁ ତୁରନ୍ତ ଘଟଣାସ୍ଥଳରୁ ନେଇ ଯାଇଛନ୍ତି।

ଏହା ବିରୋଧରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଧାରଣାରେ ସିସୋଦିଆଙ୍କ ସହ ପ୍ରାୟ ୧୨ରୁ ଅଧିକ ଆପ ବିଧାୟକ ମଧ୍ୟ ଧାରଣାରେ ବସିଥିଲେ। ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ସିସୋଦିଆଙ୍କୁ ବୁଝାସୁଝା କରି  ଇସିଆଇଙ୍କ କାର୍ଯ୍ୟାଳୟ ଫାଟକରୁ ଦୂରକୁ ହଟିବାକୁ ଅନୁରୋଧ କରିବାରୁ ଆମେ ଏଠାକୁ ଧାରଣା ଦେବାକୁ ଆସିନଥିବା ସିସୋଦିଆ କହିଥିଲେ।  ଆମ ପ୍ରାର୍ଥୀଙ୍କୁ ଅପହରଣ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଚାପ ପକାଯାଉଛି ବୋଲି କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.