'ପଞ୍ଜାବବାସୀ ଲୁଟେରାଙ୍କୁ ୫୦-୫୦ ହଜାର ଭୋଟରେ ହରାଇଛନ୍ତି, ଆମେ ଯାହା ପ୍ରତିଶ୍ରୁତି ଦେଇଛୁ ସବୁ ପୁରା କରିବୁ': ଅରବିନ୍ଦ କେଜରିଓ୍ବାଲ

Published By : Prameya-News7 Bureau | March 13, 2022 IST

ଅମୃତସର ୧୩/୦୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ଆମ୍‌ ଆଦମୀ ପାର୍ଟି । ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଆପ୍‌ ନେତା ଭଗଓ୍ବନ୍ ମାନ୍‌ । ଏହା ପୂର୍ବରୁ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲଙ୍କ ସହ ପଞ୍ଜାବରେ ରୋଡ୍‌ ସୋ' କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମାନ୍‌ । ରାଜ୍ୟରେ ମିଳିଥିବା ବୃହତ ବିଜୟ ପାଇଁ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ରୋଡ୍‌ ସୋ କରିଛି ଆପ୍‌ ।

ରୋଡ୍‌ ସୋ' ବେଳେ ପଞ୍ଜାବବାସୀଙ୍କୁ ସମ୍ବୋଧିତ କରି କେଜରିଓ୍ବାଲ କହିଛନ୍ତି, 'ପଞ୍ଜାବର ୩କୋଟି ଜନସାଧାରଣଙ୍କୁ ଧନ୍ୟବାଦ । ଆଜି ଆମେ ସ୍ବର୍ଣ୍ଣ ମନ୍ଦିର ଯାଇଥିଲୁ । ଜାନିୟାଲଓ୍ବାଲା ବାଗ୍‌ ଯାଇଥିଲୁ । ଆଶୀର୍ବାଦ ନେଲୁ । ଏବେ ପଞ୍ଜାବର ୩କୋଟି ଲୋକଙ୍କୁ ଧନ୍ୟବାଦ ଜଣାଉଛୁ । ଆପଣମାନଙ୍କ ଚର୍ଚ୍ଚା ପୁରା ବିଶ୍ବରେ ହେଉଛି । ଆପଣମାନେ ବଡ ବଡଙ୍କୁ ବି ହରାଇଛନ୍ତି । ଏହି ଇଂକଲାବ୍‌ ପଞ୍ଜାବ ହିଁ କରିପାରିବ । ଆଇ ଲଭ୍‌ ୟୁ ପଞ୍ଜାବ ।'

କେଜରିଓ୍ବାଲ କହିଛନ୍ତି, 'ପଞ୍ଜାବରେ କଟ୍ଟର ଇମାନ୍‌ଦାର ସରକାର ହେବ । ଆମ ଦଳରୁ ବି ଯଦି କେହି ବେଆଇନ କାମ କରିବେ ତେବେ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବ । ଗୋଟିଏ ଗୋଟିଏ ସରକାରୀ ଟଙ୍କା ବି ଲୋକଙ୍କ କାମରେ ହିଁ ଲାଗିବ । ଯେଉଁ ପ୍ରତିଶୃତି ଆପଣମାନଙ୍କୁ ଦେଇଛୁ ତାହା ପୁରଣ କରିବୁ । କିଛି କାର୍ଯ୍ୟ ଦିଆଯାଇଥିବା ପ୍ରତିଶୃତି ପୂର୍ବରୁ ହୋଇଯିବ ଆଉ କିଛି ପାଇଁ ସମୟ ଲାଗିପାରେ । ମାର୍ଚ୍ଚ ୧୬ ତାରିଖରେ ପଞ୍ଜାବର ଜଣ ଜଣ କରି ସମସ୍ତ ପିଲା ମୁଖ୍ୟମନ୍ତ୍ରୀ ହେବେ ।'

ପଞ୍ଜାବର ଭାବୀ ମୁଖ୍ୟମନ୍ତ୍ରି ଭଗଓ୍ବନ୍ତ ମାନ୍‌ କହିଛନ୍ତି, 'ପଞ୍ଜାବବାସୀ ଯାହା କରିଛନ୍ତି ତାହାକୁ ଏବେ ସାରା ବିଶ୍ବ ଦେଖୁଛନ୍ତି । ଭଲ କାମ ପାଇଁ ଆପଣମାନେ ଭୋଟ ଦେଇଛନ୍ତି । ଯେଉଁମାନେ ଲୁଟୁଥିଲେ ସେମାନଙ୍କୁ ଆପଣମାନେ ୫୦-୫୦ ହଜାର ଭୋଟରେ ହରାଇଛନ୍ତି । ଯେଉଁ ରେକର୍ଡ ପଞ୍ଜାବବାସୀ କରିଛନ୍ତି ତାହା ପୂର୍ବରୁ କେବେ ହୋଇନଥିଲା । ସରକାର ତିଆରି ହେବାର ପ୍ରଥମ ଦିନରୁ ହିଁ କାମ ଆରମ୍ଭ ହେବ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.