ନୂଆଦିଲ୍ଲୀ ୨୭।୯: ଅନଲାଇନ ଫୁଡ ଡେଲିଭରି ତଥା କ୍ୱିକ୍ କମର୍ସ କମ୍ପାନୀ ଜୋମାଟୋର ସହ ସଂସ୍ଥାପକ ତଥା ଚିଫ୍ ପ୍ୟୁପିଲ ଅଫିସର ଆକୃତି ଚୋପ୍ରା କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ଆକୃତିଙ୍କ ଏହି ଇସ୍ତଫା ୨୭ ସେପ୍ଟେମ୍ବର ଶୁକ୍ରବାର ଠାରୁ ମାନ୍ୟ ହେବ। ଜୋମାଟୋ ଷ୍ଟକ ଏକ୍ସଚେଞ୍ଜରେ ଶୁକ୍ରବାର ଦାଖଲ କରିଥିବା ନିୟାମକୀୟ ଫାଇଲିଂରେ ଏହି ସୂଚନା ଦେଇଛି। କମ୍ପାନୀ କହିଛି ଯେ ସେ ତାଙ୍କର ଅନ୍ୟ ଋଚିକୁ ଆଗକୁ ବଢାଇବା ପାଇଁ କମ୍ପାନୀରୁ ଇସ୍ତଫା ଦେଇଛନ୍ତି।
ଆକୃତି ଚୋପ୍ରା ଜୋମାଟୋ ସଂସ୍ଥାପକ ଦୀପେନ୍ଦର ଗୋୟଲଙ୍କୁ ଇ-ମେଲ ଦ୍ୱାରା ତାଙ୍କର ଇସ୍ତଫା ପଠାଇ ଦେଇଛନ୍ତି। ସେ ତାଙ୍କ ଇ-ମେଲରେ ଲେଖିଛନ୍ତି ଯେ ଆଲୋଚନା ମୁତାବକ ମୁଁ ମୋର ଇସ୍ତଫା ପଠାଇ ଦେଉଛି। ଏହି ଇସ୍ତଫା ୨୭ ସେପ୍ଟେମ୍ବର ଶୁକ୍ରବାର ଠାରୁ ମାନ୍ୟ ହେବ। ୧୩ ବର୍ଷର ଅତୁଳନୀୟ ସମୃଦ୍ଧିଶାଳୀ ଯାତ୍ରା ଉଲ୍ଲେଖନୀୟ ଥିଲା। ସବୁ କଥା ଲାଗି ଅନେକ ଅନେକ ଧନ୍ୟବାଦ। ତେବେ ମୁଁ ସର୍ବଦା ମାତ୍ର ଗୋଟିଏ କଲ ଦୂରରେ ରହିବି।
ଆକୃତି ୨୦୧୧ ମସିହାରେ ଜୋମାଟୋରେ କାମ କରିବା ଆରମ୍ଭ କରିଥିଲେ। ୧୦ ବର୍ଷରେ କମ୍ପାନୀକୁ ଢେର ଉଚ୍ଚତା ପର୍ଯ୍ୟନ୍ତ ଉଠାଇବା ପରେ ୨୦୨୧ ମସିହାରେ ଆକୃତିଙ୍କୁ ଜୋମାଟୋ କୋ-ଫାଉଣ୍ଡର ରୂପେ ପ୍ରମୋଟ କରାଯାଇଥିଲା। ଯେଉଁ ବର୍ଷ ତାଙ୍କୁ ପଦୋନ୍ନତି ମିଳିଥିଲା ସେହି ବର୍ଷ ସେ କମ୍ପାନୀର ଫାଇନାନ୍ସ ଓ ଅପରେସନ ଭାଇସପ୍ରେସିଡେଣ୍ଟ ପଦବୀରେ କାମ କରୁଥିଲେ। ସେ ସିଏଫଓ ଭାବେ ମଧ୍ୟ କମ୍ପାନୀରେ କାମ କରିଛନ୍ତି। ଜୋମାଟୋରେ ସେ ଥିବା ବେଳେ କମ୍ପାନୀ ଦୀର୍ଘ ଲମ୍ପ ପ୍ରଦାନ କରିଥିଲା। ଜୋମାଟୋ ପୂର୍ବରୁ ଆକୃତି ପିଡବ୍ଲୁସି ରେ କାମ କରୁଥିଲେ।