ସୁଭଦ୍ରା ପାଇଁ ଜାରି ରହିଛି ଆଧାର ଯନ୍ତ୍ରଣା, ପୋଷ୍ଟ ଅଫିସରୁ ଆସିଲା ସାଂଘାତିକ ଅଭିଯୋଗ

Published By : Prameya-News7 Bureau | September 05, 2024 IST

ଭୁବନେଶ୍ଵର: ସୁଭଦ୍ରା ପାଇଁ ଜାରି ରହିଛି ଆଧାର ଯନ୍ତ୍ରଣା । ବିଭିନ୍ନ ଜିଲ୍ଲାରେ ଆଧାର କେନ୍ଦ୍ର ଓ ପୋଷ୍ଟ ଅଫିସଗୁଡ଼ିକରେ ଦେଖିବାକୁ ମିଳୁଛି ଲୋକଙ୍କ ଲମ୍ବା ଧାଡ଼ି । ଛୋଟ ପିଲାଙ୍କୁ କୋଳରେ ଧରି ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେଉଛନ୍ତି ମହିଳାମାନେ । ଅନେକ ସ୍ଥାନରେ ଠେଲାପେଲା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି ।  ଏସବୁ ଭିତରେ ଭଦ୍ରକ ଜିଲ୍ଲା ପୋଷ୍ଟ ଅଫିସରୁ ଆସିଛି ସାଂଘାତିକ ଅଭିଯୋଗ । ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବା ପାଇଁ ୨ଶହ ଟଙ୍କା ଏବଂ ଆଧାର ଲିଙ୍କ ପାଇଁ ୫୦ଟଙ୍କା ନଦେଲେ ଲୋକଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ସେହିଭଳି ବିଭିନ୍ନ ଆଧାରକେନ୍ଦ୍ରରେ ଲୋକଙ୍କ ଠାରୁ ଟଙ୍କା ଆଦାୟର ଅଭିଯୋଗ ମଧ୍ୟ ଆସିଛି ।  

ସୁଭଦ୍ରା ପାଇଁ ସାରା ରାଜ୍ୟରେ ଜାରି ରହିଛି ଆଧାର ଯନ୍ତ୍ରଣା ।  କେଉଁଠି ଲୋକେ ରାତି ଅନିଦ୍ରା ହୋଇ ପୋଷ୍ଟ ଅଫିସ ଖୋଲିବାକୁ ଅପେକ୍ଷା କରୁଛନ୍ତି ।  ପୁଣି କେଉଁଠି କୁନି ପିଲାଙ୍କୁ କୋଳରେ ଧରି ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେଉଛନ୍ତି ମହିଳା । ଏସବୁ ଭିତରେ ଭଦ୍ରକ ଜିଲ୍ଲା ପୋଷ୍ଟ ଅଫିସରୁ ଆସିଛି ସାଂଘାତିକ ଅଭିଯୋଗ । ୨୫୦ଟଙ୍କା ନଦେଲେ ଆଧାର ଲିଙ୍କ ହେବନି କହି ଲୋକଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବା ପାଇଁ ୨ଶହ ଟଙ୍କା ଏବଂ ଆଧାର ଲିଙ୍କ ପାଇଁ ୫୦ଟଙ୍କା ଦେବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି । ଜଣେ ଗରିବ ମହିଳାଙ୍କ ପାଖରେ ମାତ୍ର ଶହେ ଟଙ୍କା ଥିବାରୁ ତାଙ୍କର ଆଧାର ସଂଶୋଧନ ନକରି ଫେରାଇ ଦିଆଯାଇଥିବା କହିଛନ୍ତି ।

Also read: ଆଧାରରେ ମୋବାଇଲ୍ ଲିଙ୍କ ଜରୁରୀ ନୁହେଁ, ୩ ଜିଲ୍ଲାର ଜିଲ୍ଲାପାଳଙ୍କ ବଡ଼ ଘୋଷଣା

ବାଲେଶ୍ବର ଜିଲ୍ଲା ଭୋଗରାଇର ଚିତ୍ର । ଯେଉଁଠି ଲୋକେ ରାତି ଅନିଦ୍ରା ହୋଇ ଆଧାର ସଂଶୋଧନ ପାଇଁ ପୋଷ୍ଟଅଫିସ ଓ ବ୍ଲକ ଅଫିସରେ  ଧାଡ଼ି ଲଗାଇଛନ୍ତି । ପ୍ରବଳ ଗରମ ଗୁଳୁଗୁଳିରେ କୁନି କୁନି ପିଲାଙ୍କୁ କୋଳରେ ଧରି ଦୀର୍ଘ ସମୟ ଅପେକ୍ଷା କରିଥିଲେ ମହିଳାମାନେ । ସେପଟେ ପୋଷ୍ଟ ଅଫିସରରେ ଅବ୍ୟବସ୍ଥାକୁ ନେଇ ଧୈର୍ଯ୍ୟହରା ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ଜଳେଶ୍ବର-ଚନ୍ଦନେଶ୍ବର ୫୭ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । 

ଯାଜପୁରର ଚିତ୍ର ଯେଉଁଠି ଆଧାର ଲିଙ୍କ୍ ପାଇଁ ପୋଷ୍ଟ ଅଫିସରେ ସକାଳୁ ସକାଳୁ ଲାଗିଛି ଲୋକଙ୍କ ଭିଡ଼ । କୋରାପୁଟ ଜିଲ୍ଲା ଜୟପୁରରେ ମଧ୍ୟ ଆଧାର ଲିଙ୍କ୍ ପାଇଁ ପୋଷ୍ଟ ଅଫିସରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି । କମ ସଂଖ୍ୟକ କର୍ମଚାରୀ ସାଙ୍ଗକୁ ଇଣ୍ଟରନେଟ୍ ସ୍ଲୋ ଯୋଗୁଁ ଆଧାର ଅପଡେଟ୍‌ରେ ସମସ୍ୟା ହେଉଛି। ଫଳରେ  ଛୋଟ ପିଲାଙ୍କୁ ଧରି ମହିଳାମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ଏବେ ନଜର ପକାନ୍ତୁ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଦୃଶ୍ୟ ଉପରେ । ଛତ୍ରପୁର ପୋଷ୍ଟ ଅଫିସରେ ଭିଡ଼ ନିୟନ୍ତ୍ରଣ କରୁଛି ପୋଲିସ ।

ସେହିଭଳି ପୁରୀରେ ମଧ୍ୟ ପୋଷ୍ଟ ଅଫିସଗୁଡ଼ିକରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି । ଏସବୁ ଭିତରେ ପୁରୀ ତାଳବଣିଆ ସ୍ପୋର୍ଟସ୍ କମ୍ପେକ୍ସ ଠାରେ ଅନୁଷ୍ଠିତ ଗୁରୁ ଦିବସ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ,  ସୁଭଦ୍ରା ଯୋଜନା ପାଇଁ ଆବେଦନକାରୀମାନେ ବ୍ୟସ୍ତ ବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ । ସୁଭଦ୍ରା ଯୋଜନା ପାଇଁ ଆବେଦନର ଶେଷ ସମୟ ସୀମା ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ସେପ୍ଟେମ୍ବର ୧୭ପରେ ମଧ୍ୟ ଆବେଦନ କଲେ ସୁଭଦ୍ରା କିସ୍ତି ମିଳିପାରିବ । ତେଣୁ ଅଯଥାରେ ଭିଡ଼ ନକରି ଶାନ୍ତି ଶୃଙ୍ଖଳାର ଆବେଦନ କରିବାକୁ ମହିଳାମାନଙ୍କୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । 

ସେହିଭଳି ନୟାଗଡ଼ରେ ସୁଭଦ୍ରା ଫର୍ମ ପାଇଁ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସରକାରୀ ଅଧିକାରୀ କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.