ଭଗତପୁରରେ ଡେଙ୍ଗୁ ଜ୍ୱରରେ ଯୁବକଙ୍କ ମୃତ୍ୟୁ, ୭ ମାସ ଭିତରେ କଟକରେ ଚିହ୍ନଟ ହେଲ ୯ ଆକ୍ରାନ୍ତ
19/08/2022 at 4:08 PM

କଟକ ୧୯/୦୮: ଡେଙ୍ଗୁରେ ପୀଡ଼ିତ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ କଟକ ପୌର ନିଗମରେ ଏହା ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ହୋଇଛି। ୨୦୨୨ ଜାନୁଆରୀରୁ ଜୁଲାଇ ମାସ ମଧ୍ୟରେ ଜିଲ୍ଲାରେ ମୋଟ୍ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଏସସିବି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ଗୁରୁବାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ କଟକ ପୌର ନିଗମ ୨୬ ନଂ ୱାର୍ଡରେ ଥିବା ଭଗତପୁରର ବାସିନ୍ଦା ଦୀପକ କୁମାର ମୁଦୁଲି ବୋଲି କୁହଯାଇଛି। ଦୀପକଙ୍କୁ ଜ୍ୱର ହେବାରୁ ଚଳିତ ମାସ ୧୪ ତାରିଖରେ ତାଙ୍କୁ ହରିପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସେଠାରେ ତାଙ୍କର ଡେଙ୍ଗୁ ସହିତ କରୋନା ପରାକ୍ଷା କରାଯାଇଥିଲା। ପରେ ତାଙ୍କର ଡେଙ୍ଗୁ ହୋଇଥିବା ପରୀକ୍ଷା ରିପୋର୍ଟରୁ ଜଣାପଡ଼଼ିଥିଲା। ଚିକିତ୍ସା ସତ୍ତ୍ୱେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନହେବାରୁ ଗତ ୧୭ ତାରିଖ ବୁଧବାର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଡେଙ୍ଗୁ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବାରମ୍ବାର କବିହା ସତ୍ତ୍ୱେ ମଧ୍ୟ ଏନେଇ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ କର୍ପୋରେଟର ଗଗନ ଓଝା ଅଭିଯୋଗ କରିଛନ୍ତି। ସହରରେ ସଫେଇ କରାଯାଉନାହିଁ, ମଶା ତେଲବଣ୍ଟା ଯାଉନାହିଁ। ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ପୌର ନିଗମ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ବଢାଇବାକୁ ସାଧାରଣରେ ଦାବି ହୋଇଛି।