ରାତି ଅଧରେ ଯୁବକ ଗାୟବ, ନିଖୋଜ ଯୁବକଙ୍କ ଟେର୍ ପାଉନାହିଁ ଆଠଗଡ଼ ପୋଲିସ୍
6/02/2020 at 6:33 PM

ଆଠଗଡ଼୬/୨: ରାତି ଅଧରେ ଗାୟବ ହୋଇଗଲେ ଯୁବକ। ସୌମେନ୍ଦ୍ର କୁମାର ସାହୁ କୁଆଡ଼େ ଚାଲି ଯାଇଛନ୍ତି ନା ତାଙ୍କୁ ଅପହରଣ କରାଯାଇଛି। କିଏ ଓ କାହିଁକି ସୌମେନ୍ଦ୍ର କୁମାର ସାହୁଙ୍କୁ କରିବ ଅପରହଣ? ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ନିଜ ଲୋକ ଏଭଳି କରି ନାହାନ୍ତି ତ? ଏଭଳି ଅନେକ ପ୍ରଶ୍ନ ସୌମେନ୍ଦ୍ରଙ୍କ ପରିବାର ଲୋକଙ୍କ ମନରେ ଉଙ୍କି ମାରୁଛି। ମାତ୍ର ଆଠଗଡ଼ ପୋଲିସ ଯୁବକଙ୍କ ନିଖୋଜ ଘଟଣାର ଟେର୍ ପାଉ ନାହିଁ।

ଆଠଗଡ଼ର ସହରର ବୀରକିଶୋରପୁରରେ ନିକଟରେ ଏକ ଭଡ଼ାଘରେ ରହି ରେଙ୍ଗାଲି ଦକ୍ଷଣି କେନାଲ ଖନନ କରୁଥିବା ଜଣେ ଠିକାଦାରଙ୍କ ପାଖରେ କାମ କରୁଥିବା ସୌମେନ୍ଦ୍ର କୁମାର ସାହୁ(୨୪) ରହସ୍ୟ ଜନକ ଭାବେ ଗତ ସୋମବାରରୁ ନିଖୋଜ ହୋଇଯାଇଛନ୍ତି। ହେଲେ ଯୁବକଙ୍କ ଅଚାନକ କୁଆଡ଼େ ଗାୟବ ହୋଇଯିବା ତାଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ଶୋଧ ଗ୍ରାମର ନିତ୍ୟାନନ୍ଦଙ୍କ ସାହୁଙ୍କ ପୁଅ ସୌମେନ୍ଦ୍ର କେନ୍ଦ୍ରପଡ଼ାର ଅକ୍ଷୟ ସାହୁଙ୍କ ଶିବଜ୍ୟୋତି କନଷ୍ଟ୍ରକ୍ସନ ଅଧିନରେ କାମ କରୁଥିଲେ।

ଗୋଟିଏ ଘରେ ସୌମେନ୍ଦ୍ର ଓ ଅନ୍ୟ ଜଣେ କର୍ମଚାରୀ ବିଶ୍ବଜିତ ସାହୁ ମିଶି ସାଙ୍ଗ ହୋଇ ରହୁଥିଲେ। ସୋମବାର ରାତିରେ ଖାଇପିଇ ଶୋଇ ଯାଇଥିଲେ। ତା ପରଦିନ ସକାଳୁ ଆଉ ସୌମେନ୍ଦ୍ରଙ୍କ ପତ୍ତା ମିଳି ନ ଥିଲା। ଗତ ବୁଧବାର ସୌମେନ୍ଦ୍ରଙ୍କ ପରିବାର ଲୋକେ ଆଠଗଡ଼ ଥାନାରେ ପୁଅର ନିଖୋଜ ଅଭିଯୋଗ କରିଥିଲେ। କିନ୍ତୁ ଜଣେ ଯୁବକ ରାତି ଅଧରେ କୁଆଡ଼େ ଗାୟବ ହୋଇଯିବ ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ କି? କିନ୍ତୁ ସୌମେନ୍ଦ୍ରଙ୍କ ସଂପର୍କୀୟ ତଥା ପ୍ରମେୟ ଦୈନିକ ଖବର କାଗଜର ପ୍ରତିନିଧି ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ ସୋମବାର ରାତିରେ ନିଖୋଜ ଯୁବକ ସୌମେନ୍ଦ୍ରଙ୍କ ଭଡ଼ାଘର ସାମ୍ନାରେ ଗୋଟେ କାର୍ ପହଞ୍ଚିଥିଲା। ଏହି ସବୁ ଦୃଶ୍ୟ ସିସିଟିଭିରେ ମଧ୍ୟ ରେକର୍ଡ ହୋଇଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କଲେ ହୁଏତ ସୌମେନ୍ଦ୍ରଙ୍କ ସଂପର୍କରେ ଜାଣି ହେବ ବୋଲି ପ୍ରଶାନ୍ତ କହିଛନ୍ତି।

ବୁଧବାରରେ ପରିବାର ଲୋକେ ଆଠଗଡ଼ ଥାନାରେ ଅଭିଯୋଗ କରିବା ପରେ ଏପର୍ଯ୍ୟନ୍ତ କିଛି ସୁଫଳ ମିଳି ନାହିଁ। ମାତ୍ର ଆଠଗଡ଼ ପୋଲିସ୍ ଏହି ନିଖୋଜ ଘଟଣାକୁ କେତେ ଗୁରୁତର ସହ ନେଉଛି ତାହା ସମୟ କହିବ। ତେଣୁ ଘରର ୨୪ ବର୍ଷୀୟ ପୁଅ ନିଖୋଜ ହେବା ଘଟଣାରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଯଦି ଏହି ଯୁବକଙ୍କ ସମ୍ପର୍କରେ କେହି ସନ୍ଧାନ ପାଆନ୍ତି ତେବେ ଏହି 9090767390, 9237012313, 9437315836. ନମ୍ବରରେ ଯୋଗାଯୋଗ କରିବାକୁ ସୌମେନ୍ଦ୍ରଙ୍କ ସଂପର୍କୀୟ ପ୍ରଶାନ୍ତ ଅନୁରୋଧ କରିଛନ୍ତି।