MCDରେ ପ୍ରଥମେ ମହିଳା ହେବେ ମେୟର, ଜାଣନ୍ତୁ କେମିତି ହୁଏ ମହାପୌର ନିର୍ବାଚନ

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ ୧୧।୧୨: ଦିଲ୍ଲୀ ନଗରନିଗମ (ଏମସିଡି)  ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ବିଜୟୀ ହୋଇଛି। ନିର୍ବାଚନ ଫଳାଫଳକୁ ନେଇ ଏବେ ମେୟର ପଦକୁ ନେଇ ଭିଡାଓଟରା ଆରମ୍ଭ ହୋଇଛି। ତେବେ ସବୁଠୁ ଯାହା ଖାସ କଥା ତାହା ହେଉଛି ପରାଜୟ ପରେ ବି ବିଜେପି ନିଜର ମେୟର କରିବ ବୋଲି ଦାବି କରୁଛି। ତେବେ ନିର୍ବାଚନରେ ଜିତି ଆପ୍‌ ମେୟର ପଦକୁ ନେଇ ସମ୍ପୂର୍ଣ୍ଣ ଆଶ୍ୱସ୍ତ ଥିବା ଦେଖା ଯାଉଛି।

ତେବେ ଏଠାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ବାଚନରେ ପାର୍ଟିର  ଜିତ୍ ମେୟର ନିର୍ବାଚନ ନିର୍ଦ୍ଧାରିତ କରିପାରେନି। ଏମସିଡି ନିୟମ ଅନୁଯାୟୀ ଏଠାରେ ମେୟର ନିର୍ବାଚନ କାମ କାଉନସିଲର କରିଥାନ୍ତି। ଏଣୁ ଏଥିରେ କିଛି ବି ହୋଇପାରେ। ଖାସ ଏହି ନିୟମ ଯୋଗୁ ଏମସିଡିରେ ବିଜେପିର ମେୟର ହେବେ ବୋଲି ଦଳ ଦାବି କରୁଛି।  ଏମସିଡିର ଏପରି କେତେକ ନିୟମ ଅଛି ଯେଉଁଥି ଲାଗି ବିଜେପି ମେୟର ପଦକୁ ନେଇ ଖାସ ଉତ୍ସାହିତ ଅଛି। ଏଠାରେ ଚଣ୍ଡିଗଡର ଉଦାହରଣ ଦିଆଯାଇପାରେ।  ଚଣ୍ଡିଗଡ଼ ପାଳିକା ନିର୍ବାଚନ ବିଜେପି ହାରିବା ପରେ ବି ନିଜର ମେୟର କରିଛି। ତେବେ ଏଥିରୁ ଆସନ୍ତୁ ଜାଣିବା କିପରି ନିର୍ବାଚିତ ହେବେ ଦିଲ୍ଲୀ ମେୟର।

ଦିଲ୍ଲୀ ନଗରନିଗମ ଅଧିନିୟମ ଅନୁସାରେ ପ୍ରଥମ ବର୍ଷ ମହିଳା ମେୟର ହେବା ବାଧ୍ୟତା ମୂଳକ। ଏଣୁ ପ୍ରଥମ ୧ ବର୍ଷ ନିମନ୍ତେ ମେୟର ପଦକୁ ମହିଳା କାଉନସିଲରଙ୍କ ନିମନ୍ତେ ଆରକ୍ଷଣ କରାଯାଇଛି। ଏଣୁ ଯେଉଁ ପାର୍ଟିର ବି ମେୟର ହୁଅନ୍ତୁ ସେ ଜଣେ ମହିଳା ହେବେ। ଏଠାରେ ଏହା ମଧ୍ୟ ନିୟମ ରହିଛି ତୃତୀୟ ବର୍ଷ ଅନୁସୂଚିତ ଜାତିର କାଉନସିଲର ମେୟର ହେବେ। ତେବେ ବାକି ୩ ବର୍ଷ ମେୟର ପଦ ଅଣ ସଂରକ୍ଷିତ ରହିବ। ଏଣୁ ଯେ କେହିବି କାଉନସିଲର ମେୟର ପଦବୀ ଲାଗି ଲଢି ପାରିବେ।

ଦିଲ୍ଲୀ ନଗରନିଗମ ଅଧିନିୟମ ଅନୁସାରେ ନିର୍ବାଚନ ଶେଷ ହେବା ପରେ ସଦନର ପ୍ରଥମ ବୈଠକ ହେବ, ଯେଉଁଥିରେ ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏଥିଲାଗି ପ୍ରଥମେ ପ୍ରାର୍ଥୀପତ୍ର ଦାଖଲ ହୁଏ ଓ କାଉନସିଲରମାନେ ଭୋଟ ଦେଇ ମେୟର ନିର୍ବାଚନ କରନ୍ତି। ଦିଲ୍ଲୀ ନଗରନିଗମରେ କାଉନସିଲରଙ୍କ କାର୍ଯ୍ୟକାଳ ୫ ବର୍ଷ ତେବେ ମେୟରଙ୍କ କାର୍ଯ୍ୟକାଳ ବର୍ଷେ। ଏଣୁ କାଉନସିଲର ପ୍ରତିବର୍ଷ ନୂଆ ମେୟର ନିର୍ବାଚନ କରିଥାନ୍ତି।

{"id":719898,"width":836,"height":508,"sizeSlug":"full","linkDestination":"none"}

ଦିଲ୍ଲୀ ନଗରନିଗମ ମେୟାର ନିର୍ବାଚନରେ କାଉନସିଲରଙ୍କ ବ୍ୟତୀତ ଅନ୍ୟ ଲୋକେ ମଧ୍ୟ ଭୋଟ ଦିଅନ୍ତି। ଏଥିରେ ୨୫୦ ବିଜୟୀ କାଉନସିଲର, ୭ ଲୋକସଭା ସାଂସଦ ଓ ୩ ରାଜ୍ୟ ସଭା ସାଂସଦ ମିଳିତ ମେୟର ନିର୍ବାଚନ କରନ୍ତି। ଏହା ଛଡା ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ମନୋନୀତ ୧୪ ବିଧାୟକ ମଧ୍ୟ ମେୟର ପଦ ଲାଗି ଭୋଟ ଦିଅନ୍ତି। ଏଣୁ ଏମସିଡିରେ ମେୟର ହେବାକୁ ହେଲେ ୧୩୮ଟି ଭୋଟ ପାଇବା ବାଧ୍ୟତାମୂଳକ।

ଏମସିଡି ଆକ୍ଟର ଧାରା ୫୩ ଅନୁସାରେ ପ୍ରତି ଆର୍ଥିକ ବର୍ଷ ପ୍ରଥମ ବୈଠକରେ ମହାପୌର ନିର୍ବାଚନ ହୋଇଥାଏ। ଅର୍ଥାତ ଏପ୍ରିଲ ମାସରେ ଏମସିଡିର ପ୍ରଥମ ଆର୍ଥିକ ବୈଠକ ଅନୁଷ୍ଠିତ ହୁଏ। ସଂଶୋଧିତ ଦିଲ୍ଲୀ ନଗରନିଗମ ଅଧିନିୟମ ଧାରା ୫୧୪(ଏ) ଅନୁସାରେ ଯେଉଁ ପର୍ଯ୍ୟନ୍ତ ମେୟରଙ୍କ ନିର୍ବାଚନ ନ ହୋଇଛି ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି କରାଯାଇପାରେ। ଯିଏ ପରିଷଦର ପ୍ରଥମ ବୈଠକ ଓ ମେୟର ନିର୍ବାଚନ ପର୍ଯ୍ୟନ୍ତ ଏମସିଡିର କାର୍ଯ୍ୟ ସଞ୍ଚାଳିତ କରିପାରିବେ। ତେବେ ନିର୍ବାଚନରେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଥିବା ଆମ ଆଦମୀ ପାର୍ଟିକୁ ଏବେ ନିଷ୍ପତ୍ତି ନେବାକୁ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବଳକା ୩ ମାସ ପାଇଁ ମେୟର ନିର୍ବାଚନ କରିବ କି ନା।

ଯଦି ଆପ ମେୟର ନିର୍ବାଚନ କରିବାକୁ ଚାହିଁବ ତେବେ କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୨୦୨୩ ସ୍ଥାନରେ ଡିସେମ୍ବର ୨୦୨୨ରେ ପାର୍ଟିର ପ୍ରଥମ ବୈଠକ, ମେୟର ନିଯୁକ୍ତି ଓ ନିର୍ବାଚିତ କାଉନସିଲରମାନଙ୍କ ଶପଥପାଠ ଉତ୍ସବ ଆୟୋଜନ ନିମନ୍ତେ ଅନୁରୋଧ କରିବାକୁ ହେବ। ମେୟର ନିର୍ବାଚନରେ ଦଳବଦଳ ଆଇନ ଲାଗୁ ହୁଏ ନାହିଁ। ଏଥିରେ ଯଦି ଆପ କାଉନସିଲର ବିଜେପି ମେୟର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି ତଥାପି ତାଙ୍କୁ ପାର୍ଟିରୁ ହଟା ଯାଇ ପାରିବନି। ତେବେ ଏଥିରେ କେଉଁ କାଉନସିଲର ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ କଲେ ତାହା ମଧ୍ୟ ଜାଣିବା ଅସମ୍ଭବ। ଏଣୁ ନିର୍ବାଚନ ଫଳାଫଳ ଆସିବା ପରଠାରୁ ଆପ୍ ତାଙ୍କ କାଉନସିଲରଙ୍କୁ ବିଜେପି ପାଲଉଥିବାର ଅଭିଯୋଗ କଲାଣି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.