ବ୍ୟାଙ୍କକ୍ ୨୮/୧୧: ୫୦୦୦ ବର୍ଷ ପୂରୁଣା ତିମି କଙ୍କାଳ ଉଦ୍ଧାର କରିଛନ୍ତି ଗବେଷକ । କଙ୍କାଳର ୮୦ ଭାଗ ଗବେଷକମାନେ ଖୋଜି ବାହାର କରିସାରିଥିବା ବେଳେ ଏହା ଏକ ବିରଳ ଉପଲବ୍ଧି ବୋଲି କହିଛନ୍ତି। ହଜାର ହଜାର ବର୍ଷ ପୂରୁଣା ତିମି କଙ୍କାଳ ଉଦ୍ଧାର ହେବା ପରେ ବାୟୁମଣ୍ଡଳ ପରିବର୍ତ୍ତନ ସମ୍ପର୍କରେ ବ୍ୟାପକ ସୂଚନା ମିଳିପାରିବ ବୋଲି ଗବେଷକମାନେ ଆଶା କରିଛନ୍ତି। ତେବେ ଏହା ବ୍ରାଇଡ୍ ତିମି ବୋଲି ବିଶ୍ବାସ କରାଯାଉଥିବା ବେଳେ କଙ୍କାଳ(ସ୍କେଲିଟନ୍)ର ଲମ୍ବ ୧୨ ମିଟର ଅର୍ଥାତ ୩୯ ଫୁଟ୍ ବୋଲି ସୂଚନା ମିଳିଛି।
{"id":369058,"sizeSlug":"large"}ଏମିତି ଏକ ତିମି କଙ୍କାଳ ବ୍ୟାଙ୍ଗକ୍ର ସାମୁତ ସାଖୋନରୁ ଗବେଷକମାନେ ଖୋଜି ବାହାର କରିଛନ୍ତି। କଙ୍କାଳର ୮୦ ପ୍ରତିଶତ ମିଳିସାରିଥିବା ବେଳେ ଏବେ ସୁଦ୍ଧା ୧୯ଟି ହାଡ଼, ୫ଟି ରବ୍, ଗୋଟିଏ କାନ୍ଧ ବ୍ଲେଡ୍ ଓ ପଖି ଉଦ୍ଧାର କରିଛନ୍ତି ବଶେଷଜ୍ଞ। ହାଡ଼ ମିଳିବା ପରେ ଏହାର କାର୍ବନ ଡେଟିଂ କରାଯାଇଥିଲା। ପରୀକ୍ଷା ପରେ ଏହା ୩୦୦୦ ବା ୫୦୦୦ ବର୍ଷ ପୂରୁଣା ବୋଲି ବିଶେଷଜ୍ଞ ଦାବି କରିଛନ୍ତି।
ବ୍ରାଇଡସ୍ ପ୍ରଜାତିର ତିମି ଏବେ ବି ଥାଇଲାଣ୍ଡ ସ୍ଥିତ ସମୁଦ୍ରରେ ଅଛନ୍ତି। ସେମାନେ ୧୬ ସେଲସିୟସ୍ରୁ ଅଧିକ ଗରମ ପାଣିରେ ରହିବାକୁ ଭଲପାଆନ୍ତି। ତେବେ ଏମାନଙ୍କୁ ବିଭିନ୍ନ ଛୋଟ ମାଛ ସାହାଯ୍ୟରେ ପର୍ଯ୍ୟଟକମାନେ ଶିକାର କରୁଥିବା ଜଣାପଡ଼ିଛି। ତେବେ ତିମିର କଙ୍କାଳ ସମୂଦ୍ରରୁ ୧୨ କିମି ଦୂରରେ ମିଳିଛି। ଏହାକୁ ଭିତ୍ତି କରି କିଭଳି ଜୀବଜଗତ ସାଙ୍ଗକୁ ସମୂଦ୍ର ସ୍ତରର ପରିବର୍ତ୍ତନ ହୋଇଛି ସେନେଇ ଗବେଷକ ଜାଣିପାରିବେ ବୋଲି ପରିବେଶ ମନ୍ତ୍ରୀ ଶିଳ୍ପା ଆର୍ଚା କହିଛନ୍ତି।
ସେପଟେ ତିମିର କଙ୍କାଳ ମିଳିବା ପରେ ଏହା ଜଣାପଡ଼ିଛି ଯେ, ସମୁଦ୍ର ସ୍ତର ୬୦୦୦ରୁ ୩୦୦୦ ବର୍ଷ ପୂର୍ବେ ଯେମିତି ଥିଲା ଏବେ ତାହା ବହୁ କି.ମି ଆଗକୁ ଚାଲିଯାଇଥିବା ନେଇ ସିଙ୍ଗାପୋର ଜାତୀୟ ବିଶ୍ବବିଦ୍ୟାଳୟର ଗବେଷକ ମାର୍କସ୍ ଚୁଆ କହିଛନ୍ତି। ପୂର୍ବରୁ ସମୁଦ୍ରରୁ ଦୂରରେ କେବଳ ସେଲ୍ସ କିମ୍ବା କଙ୍କାଡ଼ର ଦେହାବଶେଷ ମିଳୁଥିଲା। କିନ୍ତୁ ତାହା ମଣିଷ ଦ୍ବାରା ପଡ଼ିଛି କି ନାହିଁ ଜଣାନଥିଲା। କିନ୍ତୁ ଏଭଳି ଏକ ବିରାଟ ତିମିର କଙ୍କାଳ ମିଳିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ପ୍ରକୃତରେ ସମୁଦ୍ରର ତଟ ବହୁତ ବଡ଼ ଥିଲା ବୋଲି ଚୁଆ କହିଛନ୍ତି।
{"id":369059,"sizeSlug":"large"}ଏଭଳି ପ୍ରମାଣ ସ୍ପଷ୍ଟ କରୁଛି କିଭଳି ଜଳବାୟୁ ପରିବର୍ତ୍ତନ ସମୁଦ୍ରର ଜଳସ୍ତର ବୃଦ୍ଧିରେ ସହାୟକ ହୋଇଛି। ଏବଂ ତଳିଆ ଅଞ୍ଚଳ ସମୁଦ୍ର ଜଳରେ ବୁଡ଼ିଯାଇଥିବା ଭଳି ଘଟଣା ଏବେ ନଜରକୁ ଆସୁଛି ବୋଲି ମଧ୍ୟ ଚୁଆ କହିଛନ୍ତି। ଏଭଳି ଆବିଷ୍କାର ବ୍ରାଇଡସ୍ ତିମି ଓ ଅନ୍ୟ ପ୍ରଜାତିର ସମୂଦ୍ର ଜୀବାମାନଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ଖୋରାକ ଯୋଗାଇବ।
ଏହା ସହ ସେହି ସବୁ ସ୍ଥାନରେ ଆଉ କିଛି କଙ୍କାଳ ମିଳିବ କି ନାହିଁ ସେ ସମ୍ପର୍କରେ ସନ୍ଧାନ କରିବାକୁ ଗବେଷକମାନଙ୍କ ଉତ୍ସାହ ବୃଦ୍ଧି କରିବ। ତିମି କଙ୍କାଳ ଭଳି ଯଦି ଅନ୍ୟ କିଛି ପ୍ରଜାତିର ଜୀବଙ୍କ କଙ୍କାଳ ମିଳିଲେ ତାହାକୁ ଆଜିର ଜୀବମାନଙ୍କ ସହ ତୁଳନା କରି ଗବେଷକ ଅନେକ ତଥ୍ୟ ହାସଲ କରିପାରିବେ ବୋଲି ଚୁଆ କହିଛନ୍ତି। ତେବେ କଙ୍କାଳର ପ୍ରକୃତ ବୟସ ଡିସେମ୍ବରରେ ସ୍ପଷ୍ଟ ହୋଇପାରିବ ବୋଲି ଜଣାପଡ଼ିଛି।