କଳାହାଣ୍ଡି ପୋଲିସର ନିଆରା ପଦକ୍ଷେପ, ମାଓ ଅଞ୍ଚଳରେ ଜନ ସମ୍ପର୍କ ଶିବିର

Published By : Prameya-News7 Bureau | November 10, 2022 IST

କଳାହାଣ୍ଡି, ୧୦/୧୧: କଳାହାଣ୍ଡିରେ ଧୀରେଧୀରେ ମାଓ କାର୍ଯ୍ୟକଳାପ ବଢୁଥିବା ବେଳେ ମାଓବାଦୀ ସକ୍ରିୟ ହେବାର ଦେଖିବାକୁ ମିଳୁଛି । ଅନେକ ଜାଗାରେ ମାଓ ପୋଷ୍ଟର ଲାଗିବା ସହିତ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ମାଓ କ୍ୟାମ୍ପ ଧ୍ବଂସ କରାଯାଉଥିବାର ଦେଖିବାକୁ ମିଳୁଛି । ମାଓବାଦୀମାନେ କ୍ୟାମ୍ପ ତିଆରି କରି ଲୋକଙ୍କ ସହ ମିଶି ଲୋକମାନଙ୍କୁ ନିଜ ପ୍ରତି ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ଦେଖି କଳାହାଣ୍ଡି ଏସ୍‌ପି ଅଭିଳାଷଙ୍କ ନେତୃତ୍ୱରେ ପୋଲିସ ଦ୍ୱାରା ମାଓ ଅଞ୍ଚଳମାନଙ୍କରେ ଜନ ସମ୍ପର୍କ ଶିବିର ଅନୁଷ୍ଠିତ କରାଯାଉଛି ।

କଳାହାଣ୍ଡିର ମାଓ ପ୍ରଭାବିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକର କର୍ଲାପାଟରେ ମଧ୍ୟ ଏଭଳି ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହେଇଥିଲା । ପୋଲିସ ବିଭାଗ ତରଫରୁ ଏହି ପଞ୍ଚାୟତର ୮ଟି ଗାଁର ଲୋକଙ୍କୁ ଏକାଠି କରି ପୁରୁଷମାନଙ୍କ ମଧ୍ୟରେ ଭଲିବଲ, କ୍ରିକେଟ ଭଳି ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା, ମହିଳା ମାନଙ୍କ ମଧ୍ୟରେ ଝୋଟି, ଚିତା, ହୁଳହୁଳି ଭଳି ବିଭିନ୍ନ ପ୍ରତିଯୋଗିତା ଓ ଛୋଟ ଛୁଆମାନଙ୍କ ମଧ୍ୟରେ ନୃତ୍ୟ ଗୀତ ଭଳି ପ୍ରତିଯୋଗିତା କରି ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ତା ସହ ଗାଁରେ ଥିବା ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ଏବଂ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ବହି, କଲମ, ଖାତା, ପେନସିଲ, ସ୍କୁଲ ବ୍ୟାଗ ଓ ବିଭିନ୍ନ ପ୍ରକାର ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ଯେମିତି ସେମାନେ ସ୍କୁଲ ଯିବା ପାଇଁ ଆଗ୍ରହୀ ହେବେ ଏବଂ ଭୁଲ ରାସ୍ତାକୁ ନଯାଇ ପାଠ ପଢିବେ ।

ଏହା ସହିତ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ କରାଯାଇଥିଲା ଏବଂ ମାଗଣାରେ ଲୋକଙ୍କୁ ଔଷଧ ବଣ୍ଟନ କରାଯାଇଥିଲା । କଳାହାଣ୍ଡି ପୋଲିସ ବିଭାଗ ତରଫରୁ ମଧ୍ୟ ଅନେକ ପୋଲିସ କର୍ମଚାରୀ ନାଚ, ଗୀତ ପ୍ରଦର୍ଶନ କରିଥିଲେ । ଯେଉଁ ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବ ବେଶି ରହିଛି, ଯେଉଁଠି ଲୋକେ ଭୟଭୀତ ଅଛନ୍ତି ସେହି ଅଞ୍ଚଳରେ ପୋଲିସର ଏଭଳି ପ୍ରୟାସକୁ ଗାଁ ଲୋକେ ମଧ୍ୟ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ମାଓବାଦୀଙ୍କ ଦ୍ଵାରା ପ୍ରଭାବିତ ହେଇ ସାଧାରଣ ଜନତା ଏବଂ ପୋଲିସ ମଧ୍ୟରେ ଯେଉଁ ଦୂରତା ସୃଷ୍ଟି ହେଉଛି ତାକୁ ଦୂରେଇବାକୁ ପୋଲିସର ଏଭଳି ପ୍ରୟାସକୁ ଜନ ସାଧାରଣରେ ଖୁବ ପ୍ରଶଂସା କରାଯାଉଛି । ଲୋକେ ପୋଲିସକୁ ନ ଡରି ପୋଲିସ ସହିତ କେମିତି ସୁସମ୍ପର୍କ ସ୍ଥାପନ କରିବେ ସେଥପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ପୋଲିସ୍‌ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.