କଟକରେ ଆରମ୍ଭ ହୋଇଛି ନିଆରା ପ୍ରଦର୍ଶନୀ, ଗୃହିଣୀମାନଙ୍କୁ ସକ୍ଷମ କରିବା ଦିଗରେ ଯୋଗାଇଛି ମଞ୍ଚ

Published By : Prameya-News7 Bureau | September 01, 2024 IST

କଟକ: ଗୃହିଣୀମାନେ ବି ନିଜ ଘର ଜଞ୍ଜାଳରୁ ସମୟ ବାହାର କରି ଅନେକ କିଛି କରିପାରିବେ, ଯାହା ସେମାନଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ କରିପାରିବ। ଏହି ବାର୍ତ୍ତା ଦେବା ପାଇଁ ଓ ଏଭଳି କିଛି କରୁଥିବା ମହିଳାମାନଙ୍କୁ ବଜାର ସୁବିଧା ଯୋଗାଇ ଦେବା ପାଇଁ କଟକରେ ଆରମ୍ଭ ହୋଇଛି ଏକ ନିଆରା ପ୍ରଦର୍ଶନୀ ଓ ବିକ୍ରି ମେଳା। ଇନରହୁଇଲ କ୍ଲବ ଓ ସ୍ବୟଂ ସିଦ୍ଧା ସଙ୍ଗଠନ ତରଫରୁ ଆରମ୍ଭ ହୋଇଥିବା ଏହି ମେଳାରେ କେବଳ ଗୃହିଣୀମାନେ ପ୍ରସ୍ତୁତ କରିଥିବା ଜିନିଷ ଗୁଡ଼ିକ ପ୍ରଦର୍ଶିତ ହେବା ସହ ବିକ୍ରି ମଧ୍ୟ ହେଉଛି।

ପ୍ରଦର୍ଶନୀ ଦେଖିବାକୁ ମିଳିଛି କଟକ ସାଆନ୍ତ ସାହିର ଗୃହିଣୀ ଅଙ୍କିତା କ୍ୟାଲ ମଧୁବନୀ ଚିତ୍ରକାରୀ। ଜଣେ ଗୃହିଣୀ ହେଲେବି ନିଜର କଳା ମାଧ୍ୟମରେ କିଛି ରୋଜଗାର ପାଇଁ ଅଣ୍ଟା ଭିଡିଛନ୍ତି ଅଙ୍କିତା। କୌଣସି ପ୍ରଶିକ୍ଷଣ ନନେଇ ମଧ୍ୟ ଖୁବ୍ ସୁନ୍ଦର ଭାବେ ମଧୁବନୀ ପେଣ୍ଟିଂକୁ କାନଭାସରେ ଖୁବ୍ ଉତାରି ପାରୁଛନ୍ତି ଅଙ୍କିତା ।  ତେବେ ବାହାଘର ପରେ ବିହାରରୁ କଟକ ଆସିବା ପରେ ଅଙ୍କିତା ଓଡ଼ିଶାର ପାରମ୍ପରିକ ଚିତ୍ରକଳା 'ପଟ୍ଟଚିତ୍ର' ଆଙ୍କିବା ମଧ୍ୟ ଅଭ୍ୟାସ ଆରମ୍ଭ କଲେ। 

ଆଉ ଏବେ ପାରମ୍ପରିକ ଚିତ୍ରକଳାର ଜଣେ ସୁନ୍ଦର ଚିତ୍ରକର ପାଲଟିଛନ୍ତି ଅଙ୍କିତା।  ଅଙ୍କିତା ଏତିକିରେ ଅଟକି ଯାଇ ନାହାଁନ୍ତି। ନିଜ ପସନ୍ଦର ଚିତ୍ରକଳାକୁ ନେଇ କିଛି ରୋଜଗାର କରି ଆତ୍ମନିର୍ଭରଶୀଳ ହେବାକୁ ଯୋଜନା କରିଛନ୍ତି ଅଙ୍କିତା। ତେଣୁ କଟକ ଇନରହୁଇଲ କ୍ଲବ ଓ ସ୍ଵୟଂ ସିଦ୍ଧା ଦ୍ବାରା ଆୟୋଜିତ ଏହି ଭଳି ଏକ ପ୍ରଦର୍ଶନୀ ଓ ବିକ୍ରି ମେଳାକୁ ଆସିଛନ୍ତି।

କେବଳ ଅଙ୍କିତା ନୁହଁନ୍ତି। କଟକ କ୍ଲବରେ ଇନରହୁଇଲ କ୍ଲଵ ଓ ସ୍ବୟଂ ସିଦ୍ଧା ସଙ୍ଗଠନର ମିଳିତ ସହଯୋଗରେ ଆୟୋଜିତ ଏକ ପ୍ରଦର୍ଶନୀରେ ଏକାଠି ହୋଇଛନ୍ତି ଏହି ଭଳି କିଛି ଗୃହିଣୀ। ନିଜ ଖାଲି ସମୟରେ କିଛି ଏହି ଭଳି କରି ରୋଜଗାରକ୍ଷମ ହେବା ପାଇଁ ଅଣ୍ଟା ଭିଡିଛନ୍ତି ଏହି ମହିଳାମାନେ। କାଜି ବଜାରର ଗୃହିଣୀ ମନସ୍ଵିନୀ ମହାପାତ୍ରଙ୍କ କ୍ଲେ ଆର୍ଟ, ମାଟିର ଗହଣା ଆଦି ଲୋକଙ୍କୁ ବେଶ୍ ଆକର୍ଷିତ କରୁଥିବା ବେଳେ ମନୀଷା କରଙ୍କର ଶାଢ଼ିରେ ପାରମ୍ପରିକ ଚିତ୍ରକଳା ମଧ୍ୟ ଚମତ୍କାର ହୋଇଛି। ଗୃହିଣୀ ଓ ଆୟୋଜକ କହିଛନ୍ତି ମହିଳାମାନେ ନିଜ ସଉକକୁ ବ୍ୟବସାୟରେ ବଦଳାଇ ପାରିଲେ ବାସ୍ତବ ଅର୍ଥରେ ଅର୍ଦ୍ଧାଙ୍ଗିନୀ ହୋଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.