ଗାଧୋଇବା ହେଲା କାଳ, ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ
27/09/2023 at 6:09 PM

ପୁରୀ: ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ପର୍ଯ୍ୟଟକଙ୍କ ମୃତ । ମୃତ ଯୁବକ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ବିଶାଳ ଓରାମ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୧ ଜଣିଆ ଦଳରେ ସେ ପୁରୀ ବୁଲିବାକୁ ଆସିଥିଲେ । ସମସ୍ତେ ଚକ୍ରତୀର୍ଥ ଅଞ୍ଚଳରେ ଏକ ହୋଟେଲରେ ରହୁଥିଲେ ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ସମସ୍ତେ ଶଙ୍କର ଇଣ୍ଟରନ୍ୟାସନାଲ ନିକଟ ବେଳାଭୂମିକୁ ଯାଇଥିଲେ । ତେବେ ସମୁଦ୍ରରେ ଗାଧୋଇବା ବେଳେ ଜଣେ ଯୁବକ ସମୁଦ୍ରକୁ ଭାସି ଯାଇଥିଲେ । ଏହା ପରେ ତୁରନ୍ତ ୧୧୨ ନମ୍ବରରେ ଯୋଗାଯୋଗ କରି ଖବର ଦେଇଥିଲେ ।
ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରରେ ପୁଣି ଅଘଟଣ, ସ୍ନାନ ବେଳେ ବୁଡିଗଲେ ପର୍ଯ୍ୟଟକ
ଏହା ପରେ ଘଟଣାସ୍ଥଳରେ ଲାଇଫଗାର୍ଡ଼ ଓ ଅଗ୍ନିଶମ ବାହିନୀ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ ଏବଂ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏନେଇ ସମୁଦ୍ରକୂଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।