ତାଲିବାନ ସରକାର ଉପରେ ଆମେରିକାର କଡ଼ା ପ୍ରତିକ୍ରିୟା, କହିଲା ଭୋଗିବାକୁ ପଡ଼ିପାରେ ପରିଣତି

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଳୀ, ୨୩/୧୨: ନିକଟରେ ମହିଳାଙ୍କ ପାଇଁ ବିଶ୍ବବିଦ୍ୟାଳୟରେ ଅନୁମତି ଉପରେ ପ୍ରତିବନ୍ଧକ ଲଗାଇଛି ଆଫଗାନିସ୍ତାନ । ଯାହାକୁ ଆଫଗାନରେ ବିରୋଧ କରାଯାଉଛି। ଆଫଗାନିସ୍ତାନର ତାଲିବାନ ସରକାର ଲଗାତାର ମହିଳାଙ୍କ ବିରୋଧରେ ପଦକ୍ଷେପ ନେଉଛି। ଆଉ ଏବେ ଏହି ପ୍ରସଙ୍ଗରେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଳିଙ୍କନ ତାଲିବାନକୁ ରୋକ୍‌ଠୋକ୍‌ ଶୁଣାଇଛନ୍ତି ଯଦି ତାଲିବାନ ଏହି ନିଷ୍ପତ୍ତି ପ୍ରତ୍ୟାହାର କରୁନାହିଁ ତେବେ​ ଏହାର ପରିଣାମ ଭୋଗିବାକୁ ପଡ଼ିବ।

ବ୍ଲିଙ୍କନ କହିଛନ୍ତି ଯଦି ଆଫଗାନିସ୍ତାନର ତାଲିବାନ ସରକାର ଏଭଳି ଭାବ​‌ରେ ଆଫଗାନ ମହିଳାଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିବ ତେବେ ବାକି ଦୁନିଆ ସହ ଏହାର ସମ୍ପର୍କ ସୁଧାର ପାରିବନି। ଆମେରିକା ବିଦେଶ ମନ୍ତ୍ରୀ ଓ୍ବାଶିଂଟନ ସାମ୍ବାଦିକ ସମ୍ମିଳନୀ ସମୟରେ କହିଛନ୍ତି ଯେ ତାଲିବାନ ଆଫଗାନ ମହିଳା ଏବଂ ଯୁବତୀଙ୍କୁ ଅନ୍ଧକାରମୟ ଭବିଷ୍ୟତକୁ ଠେଲିବା​‌ରେ ଲାଗିଛି। ଯଦି ତାଲିବାନ ଏହି ନିଷ୍ପତ୍ତି ପ୍ରତ୍ୟାହାର କରୁନାହିଁ ତେବେ​ ଏହାର ପରିଣାମ ଭୋଗିବାକୁ ପଡ଼ିବ। ସେପଟେ କିନ୍ତୁ ତାଲିବାନ ମହିଳାଙ୍କ ଶିକ୍ଷା ଉପରେ ଏଭଳି ପ୍ରତିବନ୍ଧକ ନିଷ୍ପତ୍ତିକୁ କହିଛି ଯେ ଏହା ଦେଶ ଏବଂ ମହିଳାଙ୍କ ସମ୍ମାନରେ ନିଆଯାଇଛି।

ତାଲିବାନର ନୂଆ ଆଦେଶ ଅନୁଯାୟୀ, ଯୁବତୀ କିମ୍ବା ମହିଳାଙ୍କୁ ବିଶ୍ବବିଦ୍ୟାଳୟରେ ପ୍ରବେଶ ମିଳିବନି। ତିନି ମାସ ପୂର୍ବରୁ ଆଫଗାନିସ୍ତାନରେ ହଜାର ହଜାର ମହିଳା ଏବଂ ଯୁବତୀ ବିଶ୍ବବିଦ୍ୟାଳୟରେ ଆୟୋଜିତ ଆଡମିଶନ ଟେଷ୍ଟ ଦେଇଥିଲେ। ଏହା ପୂର୍ବରୁ ତାଲିବାନ ଆଫଗାନ ଉପରେ କବ୍ଜା କରିବା ପରେ ମହିଳା ଏବଂ  ଯୁବତୀଙ୍କ ଶିକ୍ଷାକୁ ନେଇ ମାର୍ଗଦର୍ଶିକା ଜାରି କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ପୁରୁଷଙ୍କ ସ୍କୁଲରେ ମହିଳା ତଥା ଯୁବତୀ ପଢ଼ିପାରିବେ ନାହିଁ ଏବଂ ମହିଳାଙ୍କୁ କେବଳ ମହିଳା ଶିକ୍ଷକ ହିଁ ପଢ଼ାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.