ସାମ୍ଵାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଗାଇଡ୍ ଲାଇନ୍, ଗଠନ ହେଲା ତିନି ଜଣିଆ କମିଟି
1/12/2022 at 2:57 PM

ନୂଆଦିଲ୍ଲୀ: ନିଜ ଜୀବନକୁ ବାଜିରେ ଲଗାଇ ଜଣେ ଖବରଦାତା ଖବର ସଂଗ୍ରହ କରିଥାଏ। ପ୍ରାକୃତିକ ବିପର୍ଯ୍ୟୟ ପରି ଯେ କୌଣସି ପରିସ୍ଥିତିରେ ବି ହେଉ ଖବର ସଂଗ୍ରହ ଏବଂ ପ୍ରସାରଣ ସମୟରେ ନିଜ କର୍ତ୍ତବ୍ୟ ସଂପାଦନ କରିଥାନ୍ତି ସାମ୍ବାଦିକ। ତେବେ ଏହି ସମୟରେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ। ଏହାକୁ ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାଧାକାନ୍ତ ତ୍ରିପାଠୀ। ଏହାକୁ ଗୁରୁତର ସହ ନେଇ ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ଆୟୋଗ ପ୍ରେସ କାଉନସିଲ ଅଫ ଇଣ୍ଡିଆକୁ କହିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିମ୍ବା ଗ୍ରାଉଣ୍ଡ ଜିରୋରେ ଖବର ସଂଗ୍ରହ ଏବଂ ପ୍ରସାରଣ ସମୟରେ ସାମ୍ବାଦିକ ଓ ରିପୋର୍ଟରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯିବ ବୋଲି ଆୟୋଗ କହିଛନ୍ତି। ଏ ନେଇ ଏକ ତିନି ଜଣଙ୍କୁ ନେଇ ସବ କମିଟି ଗଠନ କରିଛି ପ୍ରେସ୍ କାଉନସିଲ ଅଫ ଇଣ୍ଡିଆ। ଏଥିରେ ଅଛନ୍ତି ପ୍ରସନ୍ନ କୁମାର ମହାନ୍ତି, ଗୁରବୀର ସିଂହ ଏବଂ ସୁମନ ଗୁପ୍ତା। ପ୍ରସନ୍ନ କୁମାର ମହାନ୍ତି ଆବାହକ ରହିଥିବା ବେଳେ ଅନ୍ୟ ଦୁଇ ଜଣ ସଦସ୍ୟ ଭାବେ ରହିଛନ୍ତି। ସବ କମିଟି ତିନି ମାସ ଭିତ ରିପୋର୍ଟ ଦେବ। ଏ ନେଇ ଗତକାଲି ନୂଆଦିଲ୍ଲୀ ପ୍ରେସ୍ କାନଉସିଲ ଅଫ ଇଣ୍ଡିଆର ବୈଠକ ବସିଥିଲା।