ମନ୍ଦିରରେ ହୁଏ କୁକୁରର ନାମକରଣ, ପୂଜକ ଦିଅନ୍ତି ନାଁ
4/02/2023 at 1:28 PM

ନୂଆଦିଲ୍ଲୀ ୦୪/୦୨; ଭାରତରେ ଏପରି ଅନେକ ମନ୍ଦିର ରହିଛି। ଯେଉଁଠାରେ ସ୍ବତନ୍ତ୍ର ରୀତିନୀତି ଏବଂ ମାନ୍ୟତା ଥାଏ। ଯଦି ଆପଣ ଦକ୍ଷିଣ ଭାରତକୁ ଯିବେ ତେବେ କିଛି ମନ୍ଦିର ପାଇବେ ଯେଉଁଠି ଲୋକେ କିଛି ଭିନ୍ନ ବିଶ୍ବାସ ନେଇ ଚଳୁଛନ୍ତି । କେରଳର ଏକ ମନ୍ଦିରରେ ଲୋକେ ତାଙ୍କ କୁକୁରକୁ ନେଇ ନାମକରଣ ପାଇଁ ଆସନ୍ତି। ପୂଜାରୀ ନାଁ ରଖିବା ପରେ ଘରକୁ ଫେରେ କୁକୁର। କେରଳର କନ୍ନୁର ଜିଲ୍ଲାର ମୁଥାପନ୍ ମନ୍ଦିରରେ ଦେଖିବାକୁ ମିଳେ କିଛି ଏମିତି ଦୃଶ୍ୟ। ଯେଉଁଠାରେ ଲୋକମାନେ ସେମାନଙ୍କର କୁକୁର ଆଣି ତାର ନାମକରଣ କରନ୍ତି। କନ୍ନୁର ତାଲିପାରମ୍ବା ଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ବଲପତନମ୍ ନଦୀ ଅଛି। ଯାହାର କୂଳରେ ଏହି ମନ୍ଦିର ଅଛି |
ଏଠାରେ ଲୋକମାନେ ଦୂର ସ୍ଥାନରୁ ଆସି କୁକୁରର ନାମକରଣ କରି ଯାଆନ୍ତି। ତିରୁଭାପନ୍ ଭେଲାଟ୍ଟମ୍ ପରମ୍ପରା ସମୟରେ ଏଠାରେ କୁକୁରମାନଙ୍କର ନାମକରଣ କରାଯାଇଥାଏ। ମନ୍ଦିର ପ୍ରଶାସନର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏଠାରେ କୁକୁରମାନଙ୍କର ନାମକରଣ ସମାରୋହ ଆୟୋଜିତ ହୋଇଛି। ଏଥିପାଇଁ କୌଣସି ଶୁଳ୍କ ନିଆଯାଇନଥାଏ।
ସ୍ଥାନୀୟ ଲୋକ କୁହନ୍ତି ଯେ ଶନିବାର ଏବଂ ରବିବାରରେ କୁକୁର ନାମକରଣ ପାଇଁ ମନ୍ଦିରରେ ବହୁ ଭିଡ଼ ଦେଖାଯାଏ | ଏଠାରେ ଥିବା ପୁରୋହିତଙ୍କୁ ମୁଥାପନ୍ ତେୟମ୍ କୁହାଯାଏ ଏବଂ ନାମକରଣ ସମୟରେ ସେ କୁକୁରର କାନରେ କିଛି ଫୁସ୍ଫୁସ୍ କରି ଶେଷରେ କୁକୁରକୁ ପ୍ରସାଦ ଖାଇବାକୁ ଦିଅନ୍ତି | ଏହା କରିବା ପରେ ସେମାନେ ଗୃହପାଳିତ ପଶୁକୁ ତାର ମାଲିକଙ୍କୁ ହସ୍ତାନ୍ତର କରନ୍ତି। ଏବଂ ମାଲିକକୁ ତାର ନାଁ କୁହନ୍ତି। ଏହାପରେ କୁକୁରକୁ ପୂଜକ ଦେଇଥିବା ନାଁରେ ଡାକନ୍ତି ଲୋକେ।