Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲିବ୍ୟାରେ ସୁନାମୀ ଭଳି ବନ୍ୟାରେ ଭାସିଗଲା ସହର, ୨୦ ହଜାର ଲୋକଙ୍କ ମୃତ୍ୟୁ ଆଶଙ୍କା

15/09/2023 at 5:54 PM

ଡେରନା ୧୫।୯: ଲିବ୍ୟା ଇତିହାସର ସବୁଠୁ ଭୟାବହ ବନ୍ୟାର ସମ୍ମୁଖୀନ ହୋଇଛି। ସାମୁଦ୍ରିକ ଝଡ଼ ‘ଡାନିୟଲ’ ସାଙ୍ଗକୁ ବନ୍ୟା ପ୍ରଳୟ ରଚିଛି। ପରିସ୍ଥିତି ଏପରି ହୋଇଛିଯେ ସାମୁଦ୍ରିକ ବାତ୍ୟା ଓ ବନ୍ୟାରେ ପୂର୍ବ ଲିବ୍ୟାର ବନ୍ଦର ସହର ଡେରନାର ଏକ ଚତୁର୍ଥାଂଶ ଭାସି ଯାଇଛି। ପ୍ରକୃତିର ଏହି ପ୍ରଳୟରେ ଅନୁନ୍ୟ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଡେରନା ସହରର ସଡ଼କରେ ଏବେ ଲୋକଙ୍କ ଶବ ମିଳୁଥିବା ବେଳେ ସମୁଦ୍ରରେ ମଧ୍ୟ ଶବ ଭାସି ଆସି କୂଳରେ ଲାଗୁଛି।

ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି ଯେ ଶବାଗାରରେ ସ୍ଥାନାଭାବ ଦେଖା ଦେଇଛି। ଏହି ବିନାଶକାରୀ ବନ୍ୟାରେ ଜୀବିତ ବଞ୍ଚିଯାଇଥିବା ଲୋକେ ସେମାନଙ୍କ ଉପରେ ବିତିଥିବା ପରିସ୍ଥିତି ବଖାଣୁଛନ୍ତି। ରବିବାର ସାମୁଦ୍ରିକ ବାତ୍ୟା ଡାନିୟେଲ ପ୍ରବାହୀତ ହେଉଥିବା ବେଳେ ସୁନାମୀ ଭଳି ସାମୁଦ୍ରିକ ବନ୍ୟା ମାଡି ଆସିଥିଲା। ଲୋକେ ଏଥିରୁ ନିଜକୁ ବଞ୍ଚାଇବା ପାଇଁ କିଛି ପଦକ୍ଷେପ ନେବା ପୂର୍ବରୁ ସମୁଦ୍ରକୁ ଭାସି ଯାଇଥିଲେ ବୋଲି ଲୋକେ କହୁଛନ୍ତି। ପ୍ରକୃତି ଏପରି ପ୍ରଳୟ ରଚିଥିଲା ଯେ ଲୋକେ ଜୀବନ ବଞ୍ଚାଇବାକୁ ସମୟ ମଧ୍ୟ ପାଇନଥିଲେ।

ରିପୋର୍ଟ ଅନୁସାରେ ହଜାର ହଜାର ଲୋକେ ଏବେବି ନିଖୋଜ ଅଛନ୍ତି  ଏଥିରେ ସମୁଦ୍ର ଲଗାତାର ଶବ କୂଳକୁ ଭସେଇ ଆଣୁଛି। ଲୋକେ ଏଥିରୁ ନିଜର ପ୍ରିୟଜନଙ୍କୁ ଖୋଜିବାକୁ ଉଦ୍ୟମ କରୁଛନ୍ତି। ସାମୁଦ୍ରିକ ବାତ୍ୟା ଓ ବନ୍ୟା ବେଳେ ନଦୀ ବନ୍ଧ ମଧ୍ୟ ଭାଙ୍ଗିଯାଇଥିଲା। ଏଣୁ ଲୋକେ ଏହାକୁ ମୃତ୍ୟୁର ବନ୍ଧ ବୋଲି ଏବେ କହୁଛନ୍ତି। ଏହି ବାତ୍ୟା ଓ ତତ୍ ଜନିତ ବନ୍ୟା ଲୋକଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏହାକୁ ଲୋକେ ପ୍ରାକୃତିକ ବିପର୍ଯ୍ୟୟ ବୋଲି ସ୍ୱୀକାର କରୁ ନାହାନ୍ତି ଏହା ଏକ ପ୍ରଳୟ ବୋଲି କହୁଛନ୍ତି। ସହରରୁ ଏବେ ବି ୧୦ ହଜାର ଲୋକେ ନିଖୋଜ ଥିବା କୁହାଯାଉଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।

ଆଫ୍ରିକୀୟ ଦେଶ ଲିବ୍ୟାରେ ଭୟଙ୍କର ସ୍ଥିତି: ବାତ୍ୟା-ବନ୍ୟା ନେଲାଣି ୨୦ ହଜାର ଜୀବନ

   Related Posts