ମୁମ୍ଵାଇ ୨୬।୦୯: ଜଣେ ବୟସ୍କ ଦମ୍ପତିଙ୍କ ମଧ୍ୟରେ ଭରଣପୋଷଣ ଭତ୍ତାକୁ ନେଇ ଚାଲିଥିବା ଲମ୍ବା ଅବଧିର ନ୍ୟାୟିକ ଲଢ଼େଇ ଉପରେ ଗତ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି, ଲାଗୁଛି କଳିଯୁଗ ଆସିଗଲା । ୮୦ ବର୍ଷ ବୟସ ପରେ ମଧ୍ୟ ଏଭଳି ନ୍ୟାୟିକ ଲଢ଼େଇ ଚିନ୍ତାର ବିଷୟ । ଅଲିଗଡ଼ ବାସିନ୍ଦା ମୁନେଶ କୁମାର ଗୁପ୍ତାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍ ସୌରଭ ଶ୍ୟାମ ଶମଶେରୀ ବୟସ୍କ ଦମ୍ପତିଙ୍କୁ ପରାମର୍ଶ ଦେବାକୁ ଚେଷ୍ଟା କରିଛନ୍ତି ।
ସୂଚନାଯୋଗ୍ୟ, ୮୦ ବର୍ଷୀୟ ମୁନେଶ କୁମାର ଗୁପ୍ତା ସ୍ୱାସ୍ଥ୍ୟ ବିଭାଗର ଜଣେ ଅବସରପ୍ରାପ୍ତ ସୁପରଭାଇଜର । ତାଙ୍କ ପତ୍ନୀ ଗାୟତ୍ରୀ ଦେବୀଙ୍କ ବୟସ ୭୬ ବର୍ଷ। ଉଭୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଚାଲିଛି। ଚଳିତ ବର୍ଷ ଫେବ୍ରୁଆରୀରେ ଫ୍ୟାମିଲି କୋର୍ଟ ଏ ମାମଲାରେ ନିଜର ନିଷ୍ପତ୍ତି ଶୁଣାଇଥିଲେ । ବିଚାରପତି ଜ୍ୟୋତି ସିଂହ ଆଦେଶ ଦେଇଥିଲେ, ପତ୍ନୀଙ୍କ ଭରଣପୋଷଣ ପାଇଁ ସ୍ୱାମୀ ପ୍ରତି ମାସ ୫ ହଜାର ଟଙ୍କା ଦିଅନ୍ତୁ । ଏହି ଆଦେଶକୁ ଚ୍ୟାଲେଞ୍ଜ୍ କରି ମୁନେଶ କୁମାର ଆହ୍ଲାବାଦ ହାଇକୋର୍ଟର ଦ୍ୱାରସ୍ଥ ହେଲେ ।
ସମ୍ପତ୍ତିକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ ଗାୟତ୍ରୀ ୨୦୧୮ ମସିହାରେ ଫ୍ୟାମିଲି କୋର୍ଟରେ ଭରଣପୋଷଣ ପାଇଁ ଆବେଦନ କରିଥିଲେ । ସ୍ୱାମୀଙ୍କଠୁ ମାସକୁ ୧୫ ହଜାର ଟଙ୍କା ପାଇଁ ସେ ଦାବି କରିଥିଲେ । ତାଙ୍କ କହିବା ଅନୁସାରେ, ସ୍ୱାମୀଙ୍କୁ ପ୍ରତି ମାସ ୩୫ ହଜାର ଟଙ୍କା ପେନ୍ସନ ମିଳୁଛି । ତେଣୁ ଭରଣପୋଷଣ ବାବଦକୁ ୧୫ ହଜାର ଟଙ୍କା ତାଙ୍କୁ ମିଳିବା ଉଚିତ୍ । କିନ୍ତୁ କୋର୍ଟ ମୁନେଶଙ୍କୁ ପ୍ରତି ମାସ ୫ ହଜାର ଟଙ୍କା ପତ୍ନୀଙ୍କୁ ଦେବାକୁ ଆଦେଶ ଦେଲେ । ମୁନେଶ ଏହା ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କଲେ । ଗତ ୨୪ ତାରିଖରେ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ସୌରଭ ଶ୍ୟାମ ଶମଶେରୀ କଳିଯୁଗ ଆସିଗଲା ବୋଲି କହିଥିଲେ