ସିରିୟଲ କିଲର ଚାର୍ଲ୍ସଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କ ଫଟୋ ଛାପିଲା ଏହି ପ୍ରତିଷ୍ଠିତ ଖବରକାଗଜ, ଅଭିନେତା କହିଲେ- ରିଲ୍ ଏବଂ ରିୟଲ ଭିତରେ…
23/12/2022 at 8:59 PM

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିକିନି ସିରିୟଲ କିଲର ଚାର୍ଲ୍ସ ଶୋଭରାଜ ନେପାଳ ଜେଲ୍ରୁ ମୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଶୁକ୍ରବାର ଏସିଆ ମହାଦେଶର ଅନେକ ଦେଶରେ ବିଭିନ୍ନ ସଙ୍ଗୀନ ଅପରାଧରେ ଜେଲ୍ ଦଣ୍ଡ ଭୋଗୁଥିବା ଶୋଭରାଜ ମୁକୁଳିଛନ୍ତି। ତେବେ ଏହା ମଧ୍ୟରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଭାରତର ଏକ ପ୍ରତିଷ୍ଠିତ ଖବର କାଗଜ ନେପାଳ ସୁପ୍ରିମକୋର୍ଟଙ୍କ ଚାର୍ଲ୍ସଙ୍କୁ ନେଇ ରାୟ ଦେଇଥିବା ଖବର ଉପରେ ଖବର ପ୍ରକାଶ କରିଛନ୍ତି। ତେବେ ଖବରକାଗଜ ଖବରର ଫଟୋରେ ସିରିୟଲ କିଲର ଚାର୍ଲ୍ସ ଶୋଭରାଜଙ୍କ ସ୍ଥାନରେ ରଣଦୀପ ହୁଡ୍ଡାଙ୍କ ଫଟୋ ଛାପିଛି। ଚାର୍ଲ୍ସ ଶୋଭରାଜଙ୍କ ଅପରାଧ ଏବଂ ଜୀବନୀକୁ ନେଇ ନିର୍ମିତ କ୍ରାଇମ ଡ୍ରାମା ଫିଲ୍ମ ମେଁ ଔର ଚାର୍ଲ୍ସ ୨୦୧୫ରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଚାର୍ଲ୍ସଙ୍କ ଚରିତ୍ରରେ ଅଭିନୟ କରିଥିଲେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା। ତେବେ ଦେଶର ଖ୍ୟାତାନାମା ଖବର କାଗଜରେ ସିରିୟଲ କିଲର ଚାର୍ଲ୍ସଙ୍କ ସ୍ଥାନରେ ତାଙ୍କ ଫଟୋ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହୁଡ୍ଡା ଏବଂ ଏ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
Is that a back handed compliment @timesofindia or did you genuinely get confused between the "real" and “reel” Charles Sobhraj ? 🤔😜 pic.twitter.com/5Fa1DwMjra
— Randeep Hooda (@RandeepHooda) December 23, 2022
ସେ ଟ୍ଵିଟ୍ କରି ଲେଖିଛନ୍ତି, କଣ ଏହା @timesofindiaର ଗତ ଥରର ପ୍ରଶଂସା ନା ବାସ୍ତବରେ ଅସଲି ଏବଂ ରିଲ୍ ଚାର୍ଲ୍ସ ଶୋଭରାଜକୁ ନେଇ ଭ୍ରମିତ ହୋଇଗଲେ ? ଏହା ସହିତ ହୁଡ୍ଡା ପ୍ରବାଲ ରମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଅସଲି ଶୋଭରାଜ ଏବଂ ନିଜର ଏକ ଫଟୋ ସେୟାର କରିଛନ୍ତି।
ହୁଡ୍ଡାଙ୍କ ଟ୍ଵିଟର ଉପରେ ତାଙ୍କର ଅନେକ ପ୍ରଶଂସକ ପ୍ରତିକ୍ରିୟା ଦେଇଛନ୍ତି। ଉକ୍ତ ଫିଲ୍ମରେ ହୁଡ୍ଡାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଛି। ସେ ଚାର୍ଲ୍ସ ଶୋଭରାଜଙ୍କ ଚରିତ୍ରରେ ଏମିତି ନିଖୁଣ ଅଭିନୟ କରିଛନ୍ତି ଯେ, ବାସ୍ତବରେ ହୁଡ୍ଡାଙ୍କୁ ଚିହ୍ନିବା ବହୁତ ମୁସ୍କିଲ। ତେଣୁ ଏଠାରେ କାହାକୁ ବଦନାମ କରାନଯାଉ ବୋଲି ଜଣେ ଟ୍ଵିଟର ୟୁଜର କହିଛନ୍ତି।
ଅନ୍ୟ ଜଣେ ଟ୍ଵିଟର ୟୁଜର ଲେଖିଛନ୍ତି, ବର୍ତ୍ତମାନ ସମୟର ଏହା ହେଉଛି ଖବର କାଗଜର ଅବସ୍ଥା। ବୈଦ୍ୟୁତିକ ଗଣମାଧ୍ୟମ ବି ଏଥିରେ ବହୁ ପଛରେ ନାହିଁ। ପ୍ରଥମ ସତ କଣ ଏବଂ ଏହା ଉପରେ ସତ୍ୟତା କଣ ଦେଖିବା ଉଚିତ୍ ବୋଲି ୟୁଜର କହିଛନ୍ତି। ଆପଣ ଯେଉଁଭଳି ଭାବେ ଚରିତ୍ରରେ ଅଭିନୟ କରିଛନ୍ତି, ଉକ୍ତ ଖବରକାଗଜ ଭୁଲି ଯାଇଛନ୍ତି ଯେ, ଆପଣ ରଣଦୀପ ହୁଡ୍ଡା।