ପାଇଲଟଙ୍କୁ ଭାରି ପଡ଼ିଲା ମହିଳା ବନ୍ଧୁଙ୍କୁ ବିମାନ କକ୍‌ପିଟ୍‌ ବୁଲାଇବା, ଯାଞ୍ଚ ଆରମ୍ଭ କଲା DGCA

Published By : Prameya-News7 Bureau | April 21, 2023 IST

ନୂଆଦିଲ୍ଲୀ, ୨୧/୦୪: ବିଗତ କିଛି ଦିନରୁ ବିମାନ ଉଡ଼ାଣ କ୍ଷେତ୍ରରେ ଅନେକ ଉଲ୍ଲଘଂନ ଖବର ଆସୁଛି। କେତେବେଳେ ସହଯାତ୍ରୀଙ୍କ ଉପରକୁ ପରିସ୍ରା ଘଟଣା, ତ’ପୁଣି କେତେବେଳେ ମାରପିଟ୍‌ ଘଟଣା ସାମ୍ନାକୁ ଆସୁଛି। ଆଉ ଏବେ ପୁଣି ଏକ ଉଲ୍ଲଘଂନ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପାଇଲଟ ନିଜର ମହିଳା ବନ୍ଧୁଙ୍କୁ ବିମାନର କକ୍‌ପିଟ୍‌କୁ ଯିବାକୁ ଅନୁମତି ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୭ ଫେବ୍ରୁଆରୀରେ ଦୁବାଇରୁ ଦିଲ୍ଳୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ପାଇଲଟ ମହିଳା ବନ୍ଧୁଙ୍କୁ ବିମାନର କକ୍‌ପିଟ୍‌କୁ ବୁଲାଇବାକୁ ନେଇଥିଲେ। ଆଉ ଏମିତି କରି ସେ ବେସାମରିକ ବିମାନ ଚଳାଚଳା ମନ୍ତ୍ରାଳୟ (ଡିଜିସିଏ)ର ନିୟମର ଉଲ୍ଲଘଂନ କରିଛନ୍ତି। କୁହାଯାଉଛି ଯେ ପାଇଲଟ କ୍ୟାବିନ୍ କର୍ମଚାରୀଙ୍କୁ ଖାସ୍‌ ନିର୍ଦ୍ଦେଶ ଦେଇଥିଲେ ଯେ ଯେତେବେଳେ ତାଙ୍କ ବନ୍ଧୁ କକପିଟ୍‌ରେ ଆସିବେ ସେତେବେଳେ ତାଙ୍କୁ ସ୍ବାଗତ କରାଯିବା ଦରକାର। ଏତିକି ନୁହେଁ ପାଇଲଟ ନିଜ ବନ୍ଧୁଙ୍କୁ ବିଜନେସ୍‌ କ୍ଲାସ୍‌ର ଖାଦ୍ୟ ମଧ୍ୟ ଖୁଆଇଥିଲେ।

ପାଇଲଟ ନିଜ ବନ୍ଧୁଙ୍କୁ କକପିଟ୍‌ରେ ବସାଇ ଡିଜିସିଆଇର ସୁରକ୍ଷା ନିୟମର ଉଲ୍ଲଘଂନ କରିଥିବା ନେଇ ଡିଜିସିଏରେ ଅଭିଯୋଗ ହୋଇଛି। ଜଣେ ଅଧିକାରୀ କହିଛନ୍ତି ଏୟାର ଇଣ୍ଡିଆ ପ୍ରସଙ୍ଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଛି। ଡିଜିସିଏ ବିମାନ କର୍ମଚାରୀଙ୍କୁ ସମନ କରିଛି। ତାଙ୍କୁ ଶୁକ୍ରବାର ଉପସ୍ଥିତ ହେବାକୁ କୁହାଯାଇଛି।

ସେପଟେ ଏୟାର ଇଣ୍ଡିଆ ତରଫରୁ ମାମଲାକୁ ଗୁରୁତର ସହ ନିଆଯାଇଥିବା ଏବଂ ଘଟଣାର ଯାଞ୍ଚ ଜାରି ରହିଥିବା କୁହାଯାଇଛି। ଡିଜିସିଏକୁ ଘଟଣାର ସୂଚନା ଦିଆଯାଇଛି ଏବଂ ଯାଞ୍ଚରେ ସହଯୋଗ କରାଯାଉଥିବା କୁହାଯାଇଛି। ଏଭଳି ପ୍ରସଙ୍ଗରେ କମ୍ପାନୀ ଶୂନ୍ୟ ସହନଶୀଳତା ଅବଲମ୍ବନ କରିଥାଏ। ଯାତ୍ରୀଙ୍କ ସୁରକ୍ଷା ସର୍ବୋପରି ଏବଂ ଘଟଣାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛି ଏୟାର ଇଣ୍ଡିଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.