ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ରୋଗୀ ମୃତ୍ୟୁ ଘଟଣା: ଆକ୍ସନ ମୁଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଚାକିରିରୁ ବହିଷ୍କୃତ ହେଲେ ଫାର୍ମାସିଷ୍ଟ
16/09/2020 at 5:42 PM

ଢେଙ୍କାନାଳ ୧୬।୦୯: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ବାରଣ୍ଡାରେ ରୋଗୀ ମୃତ୍ୟୁ ଘଟଣାରେ ଆକ୍ସନ ମୁଡକୁ ଆସିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା,ସୁଜାତରାଣୀ ମିଶ୍ର ଘଟଣାର ତଦନ୍ତ କରି ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ରିପୋର୍ଟରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଆଉଟ ଡୋର ସମ୍ମୁଖରେ କୋଭିଡ ପୋଜିଟିଭ ରୋଗୀଙ୍କର ମୃତ୍ୟୁ ଘଟଣାରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଏହି ଘଟଣାରେ କାର୍ଯ୍ୟନୁଷ୍ଟାନ ସ୍ଵରୂପ ସେଠାରେ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟ ଶୁଭସ୍ମିତା ସାହୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।
ଅପରପକ୍ଷରେ ଘଟଣା ସମୟରେ କାର୍ଯ୍ୟରତ ଡାକ୍ତର ସ୍ୱାଗତିକା ସାହୁ ଜଣେ ଆୟୁଷ ଡାକ୍ତର ହୋଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗୀୟ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶରେ ଏକ ଆକ୍ସନ ଟେକେନ ରିପୋର୍ଟ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଏହା ସହ ଦାୟିତ୍ୱରେ ଥିବା ସୁରକ୍ଷା ଏଜେନ୍ସିର ମୁଖ୍ୟଙ୍କୁ ମଧ୍ୟ ଏକ ଚରମପତ୍ର ପଠାଇଥିବା ପ୍ରକାଶ କରିଛନ୍ତି ସିଡିଏମଓ ।
ଉଲ୍ଲେଖଯୋଗ୍ୟ, ଗତକାଲି ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ବ୍ୟକ୍ତି କୋଭିଡ୍ ପରୀକ୍ଷାରେ ପଜିଟିଭ୍ ଥିବା ଜଣା ପଡିବା ପରେ ଡାକ୍ତର ରୋଗୀଙ୍କୁ ଚିକିତ୍ସା କଲେ ନାହିଁ। ଫଳରେ ହୃଦଘାତରେ ଛଟପଟ ହୋଇ ହସ୍ପିଟାଲ ବାରଣ୍ଡାରେ ଛଟ ପଟ ହୋଇ ସ୍ତ୍ରୀ ଆଗରେ ସ୍ଵାମୀଙ୍କ ଜୀବନ ଚାଲି ଯାଇଥିଲା। ସ୍ତ୍ରୀ ଯେତେ ଆକୁଳ ନିବେଦନ କଲେ ମଧ୍ୟ ସେହି ସମୟରେ ହସ୍ପିଟାଲରେ ଥିବା କର୍ମଚାରୀ ଶୁଣି ନଥିଲେ। ଏହି ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଚାରିଆଡ ଚହଳ ପଡିଥିଲା।