କ୍ୟାପ୍ଟେନଙ୍କ ନାଁରେ ଲାଗିଲା କଳଙ୍କ: ନାବାଳିକା ଦୁଷ୍କର୍ମ ନେଇ ଥାନାରେ ମାମଲା ରୁଜୁ

Published By : Prameya-News7 Bureau | September 08, 2022 IST

କାଠମାଣ୍ଡୁ ୦୮/୦୯: କ୍ରିକେଟ୍‌ ଟିମ୍‌ କ୍ୟାପ୍ଟେନ୍‌ ଅଧିନାୟକଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ। ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଥାନାରେ ମାମଲା ରୁଜୁ। ନେପାଳ କ୍ରିକେଟ୍‌ ଟିମ୍‌ର ଅଧିନାୟକ ସନ୍ଦୀପ ଲାମିଛାନେଙ୍କ ନାଁରେ ଏଭଳି ସଂଗୀନ ଅଭିଯୋଗ ଆସିଛି। ଲାମିଛାନେ କାଠମାଣ୍ଡୁର ଏକ ହୋଟେଲ୍‌ର ୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର କାଠମାଣ୍ଡୁ ପୋଲିସ ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁସାରେ,ଏନେଇ ନାବାଳିକା ଜଣଙ୍କ ମଙ୍ଗଳବାର କାଠମାଣ୍ଡୁ ଗୌଶାଳା ମେଟ୍ରୋପଲିଟାନ୍‌ ଥାନାରେ ଅଭିଯୋଗ କରିଛନ୍ତି। ପ୍ରାୟ ମାସେ ତଳେ ଲାମିଛାନେ କାଠମାଣ୍ଡୁର ଏକ ହୋଟେଲ୍‌ରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

ଗୌଶାଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ସନ୍ଦୀପ ଅଗଷ୍ଟ ୨୧ରେ ନାବାଳିକାଙ୍କୁ କାଠମାଣ୍ଡୁ ଓ ଭକ୍ତପୁରର ବିଭିନ୍ନ ସ୍ଥାନକୁ ବୁଲାଇ ନେଇ ଯାଇଥିଲେ। ସେଦିଦିନ ରାତିରେ କାଠମାଣ୍ଡୁର ଏକ ହୋଟେଲରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣାରେ ସିସିଟିବି ଫୁଟେଜ ସହ ଅନ୍ୟାନ୍ୟ ପ୍ରମାଣ ଯୋଗଡା କରୁଛି ପୁଲିସ। ବିନା ତଦନ୍ତରେ କୌଣସି ଟିପ୍ପଣ ଦେଇ ହେବ ନାହିଁ ବୋଲି ପୁଲିସ କହିଛି।   

ବର୍ତ୍ତମାନ ଲାମିଛାନେ କେରିବିଅନ ପ୍ରିମିୟର ଲିଗ୍‌ (CPL) ଖେଳୁଛନ୍ତି। ପ୍ରଥମ ନେପାଳ ଖେଳାଳି ଭାବେ ସେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଛନ୍ତି। ଏହା ପୂର୍ବରୁ ୨୦୧୮ରେ ସେ ନେପାଳରୁ ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ ପକ୍ଷରୁ ମ୍ୟାଚ୍ ଖେଳିଥିଲେ। କ୍ରିକେଟ୍‌ରେ ତାଙ୍କର ଉପଲବ୍ଧି ଯୋଗୁ ନିକଟରେ ତାଙ୍କୁ ନେପାଳି କ୍ରିକେଟ୍ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତି କରାଯାଇଛି।

ତେବେ ତାଙ୍କ ବିରୋଧରେ ଲାଗିଥିବା ସଂଗୀନ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଏହାକୁ ଖଣ୍ଡନ କରିଛନ୍ତି ଲାମିଛାନେ। ତାଙ୍କର କିଛି ଦୋଷ ନାହିଁ। ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ନେପାଳ କ୍ରିକେଟ୍ ଆସୋସିଏସନ୍‌ ପକ୍ଷରୁ ଏହି ମନ୍ତବ୍ୟ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.