ନୀଳଗିରି ,୨୬/୦୯: ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ପୁଣି ଅନାସ୍ଥା ପ୍ରସ୍ତାଵ ଆସିଥିବା ବେଳେ ବିରୋଧୀମାନଙ୍କ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ ଜୁଲାଇ ୩୦ ତାରିଖରେ ଏକ ଅନାସ୍ଥା ପ୍ରସ୍ତାବ ଚେୟାରମ୍ୟାନଙ୍କ ବିରୁଦ୍ଧରେ ଆସିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପୂର୍ବରୁ ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଥିଲେ l ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଅଗଷ୍ଟ ୧୪ ତାରିଖରେ ଏନଏସି ସଭାଗୃହରେ ଆୟୋଜିତ ଏକ ବୈଠକରେ ମତଦାନ କରାଯିବାର ନିର୍ଦ୍ଦେଶନାମା ଦେଇଥିଲେ।
ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ମାତ୍ର ଅଗଷ୍ଟ ୧୨ ତାରିଖରେ ଅଧ୍ୟକ୍ଷା ଏହା ବିପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ସେପ୍ଟେମ୍ବର ୫ ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରି କର୍ତ୍ତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାୟୀ ସ୍ୱାଧୀନତା ପ୍ରଦାନ କରାଯାଇଥିଲା।
ଉକ୍ତ ଆଦେଶକୁ ପାଳନ କରି ଆସନ୍ତା ସେପ୍ଟେମ୍ବର ମାସ ୨୭ ତାରିଖ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ୧୨.୧୦ମିନିଟରେ ମତଦାନ ଏବଂ ୧୨. ୩୦ ମିନିଟରେ ଫଳାଫଳ ପ୍ରକାଶ କରିବାକୁ ବାଲେଶ୍ୱର ଜିଲ୍ଲାପାଳ ନିର୍ଦେଶନାମା ଜାରି କରିଥିଲେ।
ଏହାର ନକଲ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରେରଣ କରାଯିବା ପରେ ପୁଣି ଅନସ୍ଥା ପ୍ରସ୍ତାବ ହେବ କି ନାହିଁ ଆଶଙ୍କା ଘାରିଥିଲା। ପରେ ହାଇକୋର୍ଟରେ ମାମଲା ପହଞ୍ଚିଥିଲା।
ଗୁରୁବାର ସ୍ଥଗିତାଦେଶ ପାଇଁ ଚେୟାରମ୍ୟାନ ଆଶା ବାନ୍ଧି ରଖିଛନ୍ତି। ସେପଟେ ୧୧ ଜଣ କାଉନସିଲର ଚେୟାରମ୍ୟାନଙ୍କ ବିରୋଧରେ ଶୁକ୍ରବାର ଅନାସ୍ଥା ପାଇଁ ଚୂଡାନ୍ତ ପ୍ରସ୍ତୁତି କରିଛନ୍ତି। ବିରୋଧୀ କାଉନସିଲରମାନେ ଅଜ୍ଞାତବାସରେ ଯାଇଥିବା ବେଳେ ସେଠାରୁ ଭୋଟିଂ ପାଇଁ ପହଞ୍ଚିବେ ବୋଲି ଜଣାପଡିଛି।