ହୃଦୟ ନା ପଥର ? ପଥର ଭଳି ଶକ୍ତ ହୃଦୟ ଦେଖି ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | February 10, 2021 IST

ଗୋଆ ୧୦/୦୨ : ଜଣେ ଅଜଣା ବ୍ୟକ୍ତିଙ୍କ ଶବ ବ୍ୟବଛେଦ ଚାଲିଥିଲା। ବ୍ୟବଛେଦ ବେଳେ ଡାକ୍ତର ଦେଖିଲେ ବ୍ୟକ୍ତିଙ୍କ ହୃଦୟ ପୁରା ଶକ୍ତ ଥିଲା। ବରିଷ୍ଠ ଡାକ୍ତର ଏ ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। ମାମଲା ଗୋଆର। ଜଣେ ବ୍ୟକ୍ତିଙ୍କ ଶବର ଅଟୋପ୍ସି ବେଳେ ଉକ୍ତ ବ୍ୟକ୍ତିଙ୍କ ହୃଦୟ ପଥର ଭଳି ଶକ୍ତ ଥିବା ଡାକ୍ତର ଜାଣିବାକୁ ପାଇଲେ। ଏହି ଦୁର୍ଲଭ ମାମଲା ପଛରେ କଣ କାରଣ ରହିଛି ପଢନ୍ତୁ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଗୋଆ ମେଡିକାଲ କଲେଜରେ ଡାକ୍ତର ଏକ ଶକ୍ତ ହୃଦୟ ବିଷୟରେ ପତା କରିଛନ୍ତି। ରିପୋର୍ଟ ଅନୁସାରେ ହୃଦୟର ଏହି ଦୁର୍ଲଭ ହୃଦ ଟିସୁର କ୍ୟାଲ୍ସିଫିକେଶନ ଯୋଗୁଁ ହୋଇଛି। ଏହି ଅବସ୍ଥାରେ ଟିସୁ ପଥର ପାଲଟିଯାଏ।

ଅଟୋପ୍ସି କରୁଥିବା ଡାକ୍ତର ଭରତ ଶ୍ରୀକୁମାର କହିଛନ୍ତି ଯେ, ହୃଦୟ ଏତେ ଶକ୍ତ ଥିଲା ସତେ ଯେମିତି ପଥର। ସିନିୟର ଡାକ୍ତରଙ୍କୁ ସେ ଯେତେବେଳେ ଏ ସମ୍ପର୍କରେ କହିଥିଲେ ସେ ହୃଦୟର ଏହି ଅଂଶକୁ ଜିଏମସି ପାଥୋଲୋଜି ବିଭାଗ ସାହାଯ୍ୟରେ ହିଷ୍ଟୋପାଥୋଲୋଜିକାଲ୍ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଡାକ୍ତର ଶ୍ରୀକୁମାର ଜିଏମସିର ଫରେନସିକ ମେଡ଼ିସିନ ବିଭାଗର ପିଜି ଦ୍ୱିତୀୟ ବର୍ଷର ଛାତ୍ର। ସେ ଜୁଲାଇରେ ଏହି ଅଟୋପ୍ସି କରିଥିଲେ। ତେବେ ସାଉଥ ଗୋଆର ଏକ ପାର୍କ ମିଳିଥିବା ମୃତକଙ୍କ ପରିଚୟ ମିଳି ପାରିନଥିଲା | ତାଙ୍କ ପେପର 'ଏ ହାର୍ଟ ସେଟ ଇନ ଷ୍ଟୋନ'କୁ ଓଡିଶାରେ ସମ୍ପନ୍ନ ହୋଇଥିବା ଇଣ୍ଡିଆ ଏକାଡେମୀ ଅଫ୍ ଫରେନସିକ ମେଡିକାଲର ରାଷ୍ଟ୍ରୀୟ କନ୍ଫରେନ୍ସର ୪୨ତମ ସଂସ୍କରଣରେ ପ୍ରଥମ ପୁରସ୍କାର ମିଳିଛି। 

ଏହାର ପତା କରିବା ପାଇଁ ହୋଇଥିବା ମାଇକ୍ରୋସ୍କୋପିକ ଯାଞ୍ଚକୁ ହିଷ୍ଟୋପାଥୋଲୋଜି କୁହାଯାଏ। ଯାଞ୍ଚରୁ ଜଣାପଡିଥିଲା ଯେ ବ୍ୟକ୍ତିଙ୍କ ହୃଦୟ କ୍ୟାଲ୍ସିଫିକେଶନ ଯୋଗୁଁ ପଥର ପାଲଟି ଯାଇଥିଲା। ଏହା କିଡନୀରେ ଷ୍ଟୋନ ହେବା ଭଳି ମାମଲା। ଟିସୁ ଫାଇବ୍ରୋସିସ୍ ଯୋଗୁଁ ଶକ୍ତ ହୋଇଯାଇଥିଲା। ଭାରତରେ ଏଣ୍ଡୋମାଇକାର୍ଡିଆଲ୍ ଫାଇବ୍ରୋସିସ୍ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.