ମଦ କିଣିବାକୁ ଲାଇନରେ ଲୋକେ, ଫୁଲ ଛିଞ୍ଚି ବ୍ୟକ୍ତି କହିଲେ ଆପଣ ମାନେ ହିଁ ଆମ ଦେଶର ଅର୍ଥନୀତିକୁ ମଜବୁତ କରୁଛନ୍ତି
5/05/2020 at 5:58 PM

ନୂଆଦିଲ୍ଲୀ ୦୫।୦୫: କିଛି କୋହଳ ସହିତ ଦେଶରେ ଲକ୍ଡାଉନ୍ ୩.୦ ଲାଗୁ କରାଯାଇଛି। କୋହଳ ମଧ୍ୟରେ ମଦ ବିକ୍ରିକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନ୍ରେ ସର୍ତ୍ତମୂଳକ ସହ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ସୋମବାର ପ୍ରଥମ ଦିନରେ ମଦ କିଣିବା ନେଇ ଦେଶର ବିଭିନ୍ନ ଜାଗାରୁ ଚକିତ କରିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି।
ମଦ କିଣିବା ପାଇଁ ସକାଳୁ ଦୋକାନ ବାହାରେ ଲୋକଙ୍କ ଲମ୍ବା ଧାଡି ସହିତ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳିଛି। ଏହି ପରି ଏକ ଅଭିନବ ଦୃଶ୍ୟ ଦିଲ୍ଲୀ ଚନ୍ଦନ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ମଦ କିଣିବାକୁ ଦୋକାନ ବାହାରେ ଲାଇନ୍ରେ ଛିଡା ହୋଇଥିବା ଲୋକଙ୍କ ଉପରେ ଜଣେ ବ୍ୟକ୍ତି ଫୁଲ ସିଞ୍ଚନ କରୁଛନ୍ତି। ଜାତୀୟ ସରବରାହ ସଂସ୍ଥା(ANI) ଅନୁଯାୟୀ ଆଜି ସକାଳେ ଦୋକାନ ଖୋଲିବା ମାତ୍ରେ ମଦ କିଣିବାକୁ ଲୋକଙ୍କ ଲମ୍ବା ଧାଡି ଲାଗି ରହିଥିଲା। କିନ୍ତୁ ଲୋକେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ପାଳନ କରିଥିଲେ।
ଏହି ସମୟରେ ଜଣେ ବ୍ୟକ୍ତି ଲାଇନରେ ଛିଡା ଲୋକଙ୍କ ଉପରକୁ ଫୁଲ ଛିଞ୍ଚି କହୁଛନ୍ତି ଯେ, ଆପଣମାନେ ଆମ ଦେଶର ଅର୍ଥନୀତିକୁ ମବବୁତ କରୁଚନ୍ତି। ଆପଣ ମାନଙ୍କ ଦ୍ଵାରା ହିଁ ଦେଶର ରାଜକୋଷ ଭର୍ତ୍ତି ହେଉଛି। କେବଳ ଏତିକି ନୁହେଁ ଲାଇନରେ ଛିଡା ହୋଇଥିବା ଲୋକେ ହାତ ଯୋଡି ଉକ୍ତ ବ୍ୟକ୍ତିଙ୍କ ଅଭିବାଦନ ମଧ୍ୟ ସ୍ଵୀକାର କରୁଛନ୍ତି। ଏହି ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି।
ସେହି ପରି ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି କହିଛନ୍ତି ଯେ, ମଦ କିଣିବାକୁ ମୁଁ ସକାଳ ୬ଟାରୁ ଏଠାରେ ଅଛି। ବୋଧହୁଏ ଦୋକାନ ୯ଟାରେ ଖୋଲିବ। କିନ୍ତୁ ପୋଲିସ ଏଠାରେ ୮ଟା ୫୫ରେ ପହଞ୍ଚିଛି। ଯଦି ଏଠାରେ କିଛି ଅପ୍ରୀତିକର ପରିସ୍ଥିତି ଘଟିଥାନ୍ତା ସେଥିପାଇଁ କିଏ ଦାୟୀ ରହିଥାନ୍ତା। ମଦ ଉପରେ ୭୦ ପ୍ରତିଶତ ଟିକସ୍ ଲଗାଇବା ସେଥିରେ ଆମର କୌଣସି ଆପତ୍ତି ନାହିଁ, ଏହା ଦେଶ ପାଇଁ ଏକ ଦାନ ସଦୃଶ ହେବ।