ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ, ଜୀବନ ପାଇଁ କ୍ଷତିକାରକ ନନ୍‌ ସୁଗାର ସ୍ୱିଟନର

Published By : Prameya-News7 Bureau | May 27, 2023 IST

ନୂଆଦିଲ୍ଲୀ ୨୭/୦୫: ଜୀବନ ନେଉଛି ନନ୍‌ ସୁଗାର ସ୍ୱିଟନର । ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) । ଚିନି ପରିବର୍ତ୍ତେ ବ୍ୟବହୃତ ମିଠା ଉତ୍ପାଦ ବା ନନ୍‌ ସୁଗାର ସ୍ୱିଟନର (ଏନ୍‌ଏସ୍‌ଏସ୍‌ )କୁ ନେଇ ଜାରି କରିଛି ଗାଇଡଲାଇନ୍ । ଓଜନ ଏବଂ ନନ୍‌ କମ୍ୟୁନିକେବୁଲ ରୋଗକୁ ହ୍ରାସ କରିବା ଲାଗି ଏହା ସାଧାରଣତଃ ବ୍ୟବହାର ହେଉଛି । ତେବେ ଏହାକୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି ଡବ୍ଲ୍ୟୁଏଚ୍‌ଓ ।

ଦୀର୍ଘମିଆଦୀ ଭିତ୍ତିରେ ପ୍ରାପ୍ତ ବୟସ୍କ ଏବଂ ଶିଶୁଙ୍କ ଓଜନ ହ୍ରାସ କ୍ଷେତ୍ରରେ ଏନ୍‌ଏସ୍‌ଏସ୍‌ ଏତେଟା ପ୍ରଭାବୀ ନୁହେଁ ବୋଲି ତର୍ଜମାରୁ ଜଣାପଡିଛି । ତେବେ ଦୀର୍ଘମିଆଦୀ ଭିତ୍ତିରେ ଏନ୍‌ଏସ୍‌ଏସ୍‌ ବ୍ୟବହାର ଟାଇପ ୨ ଡାଇବେଟିସ, ହୃଦରୋଗ ଏବଂ ପ୍ରାପ୍ତ ବୟସ୍କଙ୍କ ପାଇଁ ଆତ୍ମଘାତୀ ହୋଇପାରେ ବୋଲି ସତର୍କ କରାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଡବ୍ଲ୍ୟୁଏଚ୍‌ଓର ପୋଷଣ ଏବଂ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ଫ୍ରାନସେସ୍‌କୋ ବ୍ରେନକା କହିଛନ୍ତି, ଚିନି ପରିବର୍ତ୍ତେ ଏନ୍‌ଏସ୍‌ଏସ୍‌ ବ୍ୟବହାର ଦ୍ୱାରା ଦୀର୍ଘମିଆଦୀ ଭିତ୍ତିରେ ଓଜନ ନିୟନ୍ତ୍ରଣ କରିବା କଷ୍ଟକର । ଲୋକମାନେ ଚିନିର ବିକଳ୍ପ ମଧ୍ୟ ଗ୍ରହଣ କରିପାରିବେ । ପ୍ରାକୃତିକ ଫଳରେ ରହିଥିବା ଉପାଦାନ, ବିନା ସ୍ୱିଟନର ବ୍ୟବହାରରେ ପ୍ରସ୍ତୁତ ଖାଦ୍ୟ ଏବଂ ପାନୀୟ ବ୍ୟବହାର କରାଯାଇପାରିବ । ସେହିପରି ଖାଦ୍ୟାଭ୍ୟାସରେ ଚିନିର ମାତ୍ରା କମାଇବା, ଦିନ ଚର୍ଯ୍ୟା ଶୀଘ୍ର ଆରମ୍ଭ କରିବା ସହ ସ୍ୱାସ୍ଥ୍ୟକୁ ସୁଧାରି ହେବ ବୋଲି ବ୍ରେନକା ଉଲ୍ଲେଖ କରିଛନ୍ତି ।

ମଧୁମେହ ଥିବା ଲୋକଙ୍କୁ ଛାଡି ଦେଲେ ଏନ୍‌ଏସ୍‌ଏସ୍‌ ସମ୍ପର୍କିତ ଏହି ପରାମର୍ଶ ସବୁ ଲୋକଙ୍କ ଲାଗି କାର୍ଯ୍ୟକାରୀ ହେବ । ସାଧାରଣତଃ ଏନ୍‌ଏସ୍‌ଏସ୍‌ ମଧ୍ୟରେ ରହିଛି ଆସଲଫେମ୍‌ କେ, ଆସପରଟେମ, ଆଡଭାନ୍ସଟେମ, ସାଇକ୍ଲେମେଟସ, ନିଓଟେମ, ସାକାରିନ, ସୁକ୍ରାଲୋଜ, ଷ୍ଟିଭିଆ ଏବଂ ଷ୍ଟିଭିଆ ଡେରିଭେଟିଭ୍‌ସ । ସେହିଭଳି ଏନ୍‌ଏସ୍‌ଏସ୍‌ ବ୍ୟବହାର ହୋଇଥିବା ପର୍ସନାଲ କେୟାର ଏବଂ ହାଇଜିନ ପ୍ରଡକ୍ଟକୁ ଏହି ପରାମର୍ଶ ପରିସରରୁ ବାହାରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.