ବିଳମ୍ବିତ ରାତିରେ ସହର ଭିତରେ ବୁଲିଲା, ଆତଙ୍କ ଖେଳାଇଲା ବିରାଟକାୟ ବଣୁଆ ଦନ୍ତା ହାତୀ
14/09/2022 at 12:08 PM

କେନ୍ଦୁଝର 14/09 : ସହର ଭିତରେ ଗୋଠଛଡ଼ା ଗଜରାଜର ଗୁଣ୍ଡାରାଜ। ଗତକାଲି କେନ୍ଦୁଝର ସହରବାସୀଙ୍କ ନିଦ ହଜେଇ ଦେଇଛି ହାତୀ। ରାତିସାରା ସହରବାସୀଙ୍କୁ ନାକେଦମ୍ କରି ରଖିଥିଲା। ଏକାଧିକ ଘର ଓ ବାଡ଼ିର ପାଚେରୀ ଭାଙ୍ଗିବା ସହ ଖାଇଯାଇଥିଲା ଫସଲ ।
ଗତକାଲି ବିଳମ୍ବିତ ରାତିରେ ସିଦ୍ଧମଠ ଜଙ୍ଗଲରୁ ଏକ ବିରାଟକାୟ ଗୋଠଛଡା ବଣୁଆ ଦନ୍ତା ହାତୀ ପୁରୁଣା ବଜାର ଠାରୁ ବାହାରି ଗୋବିନ୍ଦପୁର ପର୍ଯ୍ୟନ୍ତ ବୁଲୁଥିଲା। ହାତୀ ବାହାରିବା ଖବର ପାଇ ବିଦ୍ୟୁତ ବିଭାଗ ସମ୍ପୁର୍ଣ୍ଣ ସହରରୁ ବିଦ୍ୟୁତ କାଟି ବ୍ଳାକ ଆଉଟ୍ କରି ଦେଇଥିଲେ । ଏହି ଭିତରେ ଗଜରାଜ ପୁରୁଣା ବଜାର ଠାରୁ ଆଟୋପୋର , ମେଡ଼ିକାଲ , ଭାଲକି ପାତଳା , ମଣ୍ଡୁଆ ହୋଇ ପହଞ୍ଚିଥିଲା ଗୋବିନ୍ଦପୁର ମନ୍ଦିର ନିକଟରେ । ସେଠାରୁ ପୁଣି ମାଇନିଂ , ଗାୟତ୍ରୀ କଲୋନୀ କାଶିପୁର , ମଣ୍ଡୁଆ ହୋଇ ପୁଣି ଫେରିଯାଇଛି ସିଦ୍ଧମଠ ଜଙ୍ଗଲକୁ ।
ରାତି ତମାମ ବନ ବିଭାଗ ହାତୀ ଓ ଜନ ସାଧାରଣଙ୍କୁ ସୁରକ୍ଷା ଦେବାକୁ ଯାଇ ନାକେଦମ ହୋଇଥିଲା । ବହୁ ଚେଷ୍ଟା ଫଳରେ ଶେଷରେ ଦନ୍ତା ହାତୀଟିକୁ ଜଙ୍ଗଲ ଭିତରକୁ ଘୋଉଡାଇବାରେ ସଫଳ ହୋଇଛି ବନ ବିଭାଗ । ହେଲେ ହଠାତ ରାତିରେ ହାତୀ ସହରରେ ବୁଲିବା ନେଇ ଭୟଭିତ ହୋଇପଡ଼ିଛନ୍ତି ସହରବାସୀ।