ବିଫଳତାରୁ ବୃହତ ସଫଳତା ! ହାଇସ୍କୁଲ୍‌ରୁ ପାଠ ଛାଡ଼ିବା ପରେ ୧୭ ବର୍ଷରେ ଘରୁ ତଡ଼ା ଖାଇଥିଲେ, ଏବେ ୭୪୦୦ କୋଟି ଟଙ୍କାର ମାଲିକ

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ ୧୧/୧୨: ସମୟ ଅନୁସାରେ ଭାଗ୍ୟ ବି ବଦଳେ !  ପ୍ରାୟତଃ ଉକ୍ତିଟି ଚେଷ୍ଟିତ ବ୍ୟକ୍ତିମାନଙ୍କ ମନ ବୁଝାଇବା ପାଇଁ କୁହାଯାଏ। କିନ୍ତୁ ବେଳେ ବେଳେ ଏହା ସତରେ ପରିଣତ ମଧ୍ୟ ହୋଇଥାଏ। ସେମିତି ଜଣେ ବ୍ୟକ୍ତିଙ୍କ ସଂଘର୍ଷମୟ ଜୀବନ କାହାଣୀ ପ୍ରେରଣା ଯୋଗାଇବ ନିଶ୍ଚିତ। ମାତ୍ର ୧୭ ବୟସରୁ ଘରୁ ତଡ଼ା ଖାଇବା ପରେ ସହରରେ ଗଳି ଗଳିରେ ଶୀତୁଆ ରାତିରେ ଶୋଇ ଶୋଇ ସ୍ବପ୍ନ ଦେଖୁଥିବା ନାବାଳକ ଆଜି ଆରବପତି ବ୍ୟକ୍ତିଙ୍କ ପରିଚୟ ପାଇସାରିଛି। ମାତ୍ର ୨୦ ବର୍ଷରେ ଆରବପତି ପାଲଟିଥିବା ବ୍ୟକ୍ତିଙ୍କ କାହାଣୀ କେତେକ ଲକ୍ଷ୍ୟହରାଙ୍କୁ ଲକ୍ଷ୍ୟ ଦେବ।

ଜାପାନର ଟୋକିଓ ସହର। ଟୋକିଓ ଭଳି ବିକଶିତ ଓ ଜନଗହଳିପୂର୍ଣ୍ଣ ସହରରେ ଏକଲା ୧୭ ବର୍ଷୀୟ ବାଳକ ତାହି କୋବାୟାସି । ଯିଏକି ହାଇସ୍କୁଲ ପଢ଼ା ଅଧାରୁ ଛାଡ଼ି ସାରିଛି। ଘରୁ ବାପା ମା ବି ତାଙ୍କୁ ତଡ଼ି ଦେଇଛନ୍ତି। ପାଖରେ ଗୋଟିଏ ମାତ୍ର ସମ୍ବଳ ସେ ଭଲ ବ୍ୟାଣ୍ଡ ବଜାଇପାରନ୍ତି। ବାସ୍‌ ଏତିକିରୁ ଆରମ୍ଭ ହୁଏ ଦୈନନ୍ଦିନ ସଂଘର୍ଷ। ଦିନରେ ଗୀତ ବୋଲି କିଛି ପଇସା ମିଳିବା ପରେ କଣ ଗଣ୍ଡେ ପେଟକୁ ଖାଇଦେବା ପରେ ଶୋଇବା ପାଇ ଚିନ୍ତା। ଶୋଇବା ପାଇଁ ଚିନ୍ତା ଯେତିକି ନଥାଏ ପରଦିନ ସକାଳ କେମିତି କଟିବ ସେନେଇ ଚିନ୍ତା ଅଧିକ ଘାରେ। ଏମିତି ସଂଘର୍ଷମୟ ଜୀବନ ଗତି କରୁଥିବା ବେଳେ ତାହି କୋବାୟାସିଙ୍କୁ ଗୋଟିଏ ସଫ୍ଟଓ୍ବାୟର ଇଞ୍ଜିନିୟର ଭାବେ କାମ ମିଳାଲା।

ପରେ ପରେ ଟେକ୍‌ନୋଲୋଜି ଷ୍ଟାଟଅପ୍‌ ଆରମ୍ଭ କରିଥିବା ତାହି କୋବାୟାସି ଆଜି ଆରବପତି ଭାବେ ପରିଚିତ । ତାଙ୍କ କମ୍ପାନୀ ‘ସନ୍‌ ଆଷ୍ଟେରିସ୍’ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ଭିଏତନାମରେ ଥିବା ଏହି କମ୍ପାନୀ ଷ୍ଟାଟଅପ୍‌ କମ୍ପାନୀଗୁଡ଼ିକୁ ପ୍ରଡକ୍ଟ ଯୋଗାଇଥାଏ। ‘ସନ୍‌ ଆଷ୍ଟେରିସ୍’ ସିଇଓ ତାହି କୋବାୟାସି ଆଜି ଏକ ବିଲିୟନ ଡଲାର (ପାଖାପାଖି ୭୪୦୦ କୋଟି ଟଙ୍କା)ର ମାଲିକ। ୩୭ ବର୍ଷୀୟ ତାହି କୋବାୟାସି ବଡ଼ ଧନୀ​‌ରେ ପରିଶତ ହେବା ପରେ ନିଜ ସଂଘର୍ଷ କାହାଣୀ ଏବେ ଲୋକ ପଢ଼ୁଛନ୍ତି।

ୟୁସି ଫୁକାଗାଓ୍ବା ଯିଏକି ତାହି କୋବାୟାସିଙ୍କ  ପିଲାଦିନର ବନ୍ଧୁ ତାଙ୍କ ସଂଘର୍ଷ କାହାଣୀ ବଖାଣିଛନ୍ତି। ଗଳି ଗଳିରେ ବ୍ୟାଣ୍ଡ ବଜାଉଥିବା ତାହି କୋବାୟାସିଙ୍କୁ ଗୋଟିଏ ଲାଇଭ୍‌ ମ୍ୟୁଜିକ୍‌ କମ୍ପାନୀ ଅଫର କରିଥିଲା ଚାକିରୀ। କ୍ଲବ୍‌ରେ ତାହି କୋବାୟାସି ପାଖାପାଖି ୬ ବର୍ଷ ଚାକିରୀ କରିଥିଲେ ବୋଲି ତାଙ୍କ ବନ୍ଧୁ କହିଛନ୍ତି। କିନ୍ତୁ ତାହି କୋବାୟାସି କିଛି ବଡ଼ କରିବାକୁ ଚାହିଁଥିଲେ। ହଠାତ ଖବର କାଗଜରେ ଦେଖିବାକୁ ପାଇଥିଲେ ବିନା ଯୋଗ୍ୟତାରେ ଚାକିରି ମିଳୁଛି। ଏହା ଦେଖିବା ପରେ ତାହି କୋବାୟାସି ପରୀକ୍ଷା ଦେବାକୁ ଯାଇଥିଲେ। ୬ ଘଣ୍ଟାର ପରୀକ୍ଷାରେ ପାସ କରିବା ପରେ ଫାର୍ମରେ କାମ କରିଥିଲେ ତାହି କୋବାୟାସି। ଯାହାକି ତାଙ୍କୁ ସଫ୍ଟଓ୍ବାୟର ଇଞ୍ଜିନିୟର ହେବାକୁ ପ୍ରେରଣା ଯୋଗାଇଥିଲା ବୋଲି କୋବାୟାସିଙ୍କ ବନ୍ଧୁ କହିଛନ୍ତି।

ସେଠାରେ ସେ ମାକୋଟୋ ହିରାଇ ଯିଏକି ‘ସନ୍‌ ଆଷ୍ଟେରିସ୍’ର ପ୍ରତିଷ୍ଠାତା ତାଙ୍କୁ ଭେଟିଥିଲେ। ସେଠାରେ ସେମାନେ ଦୁଇ ଜଣ କିଛି କରିବାକୁ ରାଜି ହୋଇଥିଲେ। ପରେ ପରେ ସେ ଭିଏତନାମ ଯାଇ ଯୁବ ଇଞ୍ଜିନିୟରମାନଙ୍କୁ ଖୋଜି ଥିଲେ। ପରେ ଏହି କମ୍ପାନୀ ଜାପାନର ଫ୍ରାମଜିଆ କମ୍ପାନୀ ସହ ମିଶି କାମ କରିଥିଲା। ପରେ କମ୍ପାନୀର ନାଁ ପରିବର୍ତ୍ତନ ହୋଇ ୨୦୧୯ରେ ସନ୍‌ ଷ୍ଟାର କରିଦିଆଗଲା। ଏବେ ଏହି କମ୍ପାନୀ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେପ୍ଟେମ୍ବରରେ ଏହାର ମାର୍କେଟ ସେୟାର ୬ ଗୁଣ ବୃଦ୍ଧି ପାଇଛି। ୧ ବିଲିୟନ୍‌ ଡଲାରର ଏହି କମ୍ପାନୀରେ କୋବାୟାସିଙ୍କ ସେୟାର ୭୧ ମିଲିୟନ ଡଲାର ।

ସେପଟେ କମ୍ପାନୀର ରୋଜଗାର ପ୍ରତିବର୍ଷ ୨୦ରୁ ୩୦ ପ୍ରତିଶତ ବୃଦ୍ଧି କରିବାକୁ କୋବାୟାସି ଲକ୍ଷ୍ୟ ରଖିଥିବା ବେଳେ ଟୋକିଓ ଅଫିସ୍‌ରେ ଏବେ କାର୍ଯ୍ୟରତ ୧୩୦ ଷ୍ଟାଫ୍‌ ସଂଖ୍ୟା ବଢ଼ାଇ ୧୩ ହଜାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ କଠିନ ପରିଶ୍ରମ କରି କମ୍ପାନୀର ଲକ୍ଷ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରଇବା ହିଁ ଲକ୍ଷ୍ୟ ବୋଲି କୋବାୟାସି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.