ହୃଦୟ ବିଦାରକ: ଫ୍ୟାନ୍‌ରୁ ବିଦ୍ୟୁତ୍‌ ଆଘାତରେ ୪ ଶିଶୁଙ୍କ ଅକାଳ ମୃତ୍ୟୁ

Published By : Prameya-News7 Bureau | November 19, 2023 IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓରେ ଏକ ହୃଦୟ ବିଦାରକ ଘଟଣା ସାମ୍‌ନାକୁ ଆସିଛି। ଏଠାରେ ଏକ ଷ୍ଟାଣ୍ଡ୍‌ ଫ୍ୟାନ୍‌ରୁ କରେଣ୍ଟ ଲାଗି ୪ ଶିଶୁଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ୍‌ ଆଘାତରେ ଘଟଣାସ୍ଥଳରେ ହିଁ ଚାରି ଜଣକ ମୃତ୍ୟୁ ହୋଇଥିଲା। ଏମାନେ ସମସ୍ତେ ଭାଇ-ଭଉଣୀ। ଘଟଣା ପରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି। ସେପଟେ ସୂଚନା ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ପୋଷ୍ଟମର୍ଟମ ପାଇଁ ପଠାଇଛି।

ସୂଚନା ଅନୁଯାୟୀ, ଉନ୍ନାଓ ଜିଲ୍ଲାର ବାରାସଗବର ଥାନାର ଲାଲମନ ଖେଡ଼ା ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ବିଦ୍ୟୁତ୍‌ ଆଘାତରେ ଗ୍ରାମର ବିରେନ୍ଦ୍ର କୁମାରଙ୍କ ପୁଅ ମୟଙ୍କ(୯), ହିମାଂଶୀ (୨), ହିମାଙ୍କ(୬) ଏବଂ ମାନସୀ(୪)ଙ୍କ ମୃତ୍ୟୁ ହେଇଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ରାଲିକୁ ଯାଉଥିବା ପୋଲିସ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୬ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ରବିବାର ବିରେନ୍ଦ୍ର ସିଂହ ଏବଂ ତାଙ୍କ ପତ୍ନୀ ଖେତକୁ ଯାଇଥିଲେ। ଏପଟେ ଘରେ ଲାଗିଥିବା ଷ୍ଟାଣ୍ଡ୍‌ ଫ୍ୟାନ୍‌ରୁ ପ୍ରଥମେ ଜଣକୁ କରେଣ୍ଟ ଲାଗିଥିଲା। କରେଣ୍ଟ ଲାଗିବା ଫଳରେ ସେ ଚିତ୍କାର କରିଥିଲା। ଆଉ ତାକୁ ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିଲେ। ସେପଟେ ଏଭଳି ହୃଦୟବିଦାରକ ମୃତ୍ୟୁ ଦେଖି ସମସ୍ତେ ସ୍ତବ୍ଧ ହୋଇପଡ଼ିଛନ୍ତି । ଘଟଣା ପରେ ପରିବାର ଲୋକଙ୍କ ମ୍ରିୟମାଣ ହୋଇପଡ଼ିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.