୮ ଲକ୍ଷ କୋଟି ଟଙ୍କାର ନିବେଶ, ୬ ଲକ୍ଷ ଲୋକଙ୍କୁ ନିଯୁକ୍ତି, ଭାରତକୁ ଉର୍ଜାର କେନ୍ଦ୍ର କରିବ ସରକାରଙ୍କ ସବୁଜ ହାଇଡ୍ରୋଜେନ ମିଶନ

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଭାରତ ସାରା ବିଶ୍ୱରେ ନୂଆ ପରିଚୟ ହାସଲ କରିବାରେ ଲାଗିଛି । ଏବେ ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜେନ ମିଶନକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ମିଶନ ଅଧିନରେ ଭାରତ ଇନ୍ଧନ ମାମଲାରେ ଆତ୍ମନିର୍ଭର ହେବା ଦିଗରେ ଅଗ୍ରସର ହେବ । ଅନ୍ୟପଟେ ଦେଶରେ ଲକ୍ଷ ଲକ୍ଷ ନାଗରିକଙ୍କୁ ରୋଜଗାର ମଧ୍ୟ ମିଳିବ । କେନ୍ଦ୍ର ସରକାର ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜେନ ମିଶନ ଜରିଆରେ ଆସନ୍ତା କିଛି ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି ।

କେନ୍ଦ୍ର ସରକାର ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜେନ ମିଶନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ୧୯୭୪୪ କୋଟି ଟଙ୍କାର ପ୍ରାଥମିକ ବଜେଟ୍ ରଖାଯାଇଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏହି ମିଶନରୁ ଭାରତ ଏକ ଇନ୍ଧନ ରପ୍ତାନୀକାରୀ ଦେଶ ଭାବେ ବିଶ୍ୱରେ ଠିଆ ହେବ।  କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ମିଶନ ଅଧିନରେ ୨୦୩୦ ସୁଦ୍ଧା ୧.୨୫ ଲକ୍ଷ ମେଗାୱାଟର ଉର୍ଜା ବୃଦ୍ଧି ହେବ, ଅନ୍ୟପଟେ ଅତି କମରେ ୫୦ ଲକ୍ଷ ଟନ ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷମତା କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଜେକ୍ଟ ଅନୁସାରେ, ୨୦୩୦ ସୁଦ୍ଧା ୮ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ । ଏହାଦ୍ୱାରା ପ୍ରାୟ ୬ ଲକ୍ଷଙ୍କୁ ନିଯୁକ୍ତି ପ୍ରଦାନ ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ୨୦୩୦ ସୁଦ୍ଧା ଭାରତର ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ୫ ଏମଏଟି ହେବ । ବିଶ୍ୱରେ ହାଇଡ୍ରୋଜେନ ଉତ୍ପାଦନରେ ଏହା ଏକ ବଡ଼ ଅଂଶୀଦାର ହେବ । ରାଷ୍ଟ୍ରୀୟ ହାଇଡ୍ରୋଜେନ ମିଶନ ଯୋଜନା ଅନୁସାରେ ୧୩,୦୦୦ କୋଟି ଟଙ୍କାର ସବୁଜ ହାଇଡ୍ରୋଜେନ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ । ସେହିପରି ଇଲେକ୍ଟ୍ରୋଲାଇଜର ନିର୍ମାଣ ପାଇଁ ପ୍ରାୟ ୪,୫୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି । ଏହି ମିଶନକୁ କ୍ୟାବିନେଟ ସଚିବ ଏବଂ ସଚିବସ୍ତରୀୟ ଅଧିକାରପ୍ରାପ୍ତ ଗ୍ରୁପ ନେତୃତ୍ୱ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.