ସୋସିଆଲ ମିଡିଆରେ ସିଦ୍ଦରମୈୟା ସରକାରକୁ କଲେ ସମାଲୋଚନା, କିଛି ମିନିଟ୍‌ରେ ସସପେଣ୍ଡ୍‌ ହେଲେ ସ୍କୁଲ ଶିକ୍ଷକ

Published By : Prameya-News7 Bureau | May 22, 2023 IST

ନୂଆଦିଲ୍ଲୀ, ୨୨/୦୫: ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଅଭିଯୋଗରେ ସସପେଣ୍ଡ୍‌ ହେଲେ ସ୍କୁଲ ଶିକ୍ଷକ। ରବିବାର କର୍ଣ୍ଣାଟକର ଚିତ୍ରାଦୁର୍ଗା ଜିଲ୍ଳାରେ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ବରଖାସ୍ତ କରାଯାଇଛି। ଅଭିଯୋଗ ହୋଇଛି ସେ ରାଜ୍ୟରେ ନୂଆ କରି ସରକାର ଗଢ଼ିଥିବା ସିଦ୍ଦରମୈୟା ସରକାରଙ୍କୁ ସମାଲୋଚନା କରିଥିଲେ। ଆଉ ତାଙ୍କର ଏପରି କରିବାର କିଛି ସମୟ ମଧ୍ୟରେ ହିଁ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚିତ୍ରଦୁର୍ଗା ହୋସାଦୁର୍ଗାର କାନୁବେନ୍ନାହାଲି ସରକାରୀ ସ୍କୁଲର ଶିକ୍ଷକ ଶାନ୍ତାମୂର୍ତ୍ତୀ ଏମଜିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ସେ ସରକାର ଏବଂ ସରକାରଙ୍କ ମାଗଣା ଯୋଜନାକୁ ନେଇ କଡ଼ା ସମାଲୋଚନା କରିଥିଲେ। ଏକ ଫେସ୍‌ବୁ୍‌କ୍‌ ପୋଷ୍ଟରେ ସତ୍ୟମୂର୍ତ୍ତୀ କହିଥିଲେ ‘‘ମାଗଣା ଯୋଜନା ବ୍ୟତୀତ ଆପଣ ଆଉ କ’ଣ କରିପାରିବେ ?’’ ଏହି ପୋଷ୍ଟରେ ସେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସମୟରେ ହୋଇଥିବା ଋଣ ବିଷୟରେ କହିଥିଲେ।

ସେ କହିଥିଲେ ‘‘ଏସଏମ କ୍ରିଷ୍ଣାଙ୍କ ସମୟରେ ୩,୫୯୦ କୋଟିର ଋଣ, ଧରମ ସିଂହଙ୍କ ସମୟରେ ୧୫,୬୩୫ କୋଟି, ଏଚଡି କୁମାରସ୍ବାମୀଙ୍କ ସମୟରେ ୩,୫୪୫ କୋଟି, ବିଏସ ୟେଦିୟୁରପ୍ପାଙ୍କ ସମୟରେ ୨୫,୬୫୩ କୋଟି, ଡିଭି ସଦାନନ୍ଦ ଗୌଡ଼ାଙ୍କ ସମୟରେ ୯,୪୬୪ କୋଟି, ଜଗଦୀଶ ସେଟ୍ଟରଙ୍କ ସମୟରେ ୧୩,୪୬୪ କୋଟି ଏବଂ ସିଦ୍ଦରମୈୟାଙ୍କ ସମୟରେ ୨,୪୨,୦୦୦ କୋଟିର ଋଣ ହୋଇଛି।’’

ଆଉ ତାଙ୍କର ଏହି ପୋଷ୍ଟ ପରେ ଶନିବାର ଫିଲ୍ଡ ଅଫିସର ଏଲ ଜୟାପ୍ପା ସସପେନସନ ଲେଟର ଜାରି କରିଥିଲେ। ଏଥିରେ କୁହାଯାଇଥିଲା ଯେ ଶାନ୍ତାମୂର୍ତ୍ତୀ, ବିଭିନ୍ନ ସମୟରେ ସରକାରଙ୍କ ଦ୍ବାରା ନିଆଯାଇଥିବା ଋଣ ବିଷୟରେ କହି ସରକାରୀ ନିୟମର ଉଲ୍ଳଘଂନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.