ବ୍ରହ୍ମପୁର: ନିଜ ଜାଲରେ ନିଜେ ଫସିଲା ଅଭିଯୁକ୍ତ... ଟଙ୍କା ଲୁଟର ନାଟକ ରଚି ଗିରଫ ହେଲା ଡ୍ରାଇଭର... ଗିରଫ ପରେ ଏବେ ସାମ୍ନାକୁ ଆସିଛି ସବୁ ଘଟଣା। ଘଟଣା ଘଟିଛି ବ୍ରହ୍ମପୁର ଗୋଳନ୍ଥରା ଥାନା ଅଧୀନରେ। ଅଭିଯୁକ୍ତ ଡ୍ରାଇଭର ନାଁ ବିରହ ବସନ୍ତ ଶତପଥୀ (୩୭)। ଘର ପୁରୁଣା ବ୍ରହ୍ମପୁର, ରାଧାକାନ୍ତ ସାହିରେ। ପୋଲିସ୍ କହିଛି ବିରହ ନିଜ ମାଲିକଙ୍କ ଟଙ୍କା ଲୁଟ କରିବା ପାଇଁ ଯୋଜନା କରିଥିଲା।
ସୂଚନା ଅନୁଯାୟୀ, ବିରହ, ଡିସେମ୍ବର ୫ ତାରିଖରେ ଗୋଳନ୍ଥରା ଥାନାରେ ଏକ ଏଫଆଇର ରୁଜୁ କରାଇଥିଲା। ଏଥିରେ ସେ କହିଥିଲା ଯେ, ଗତ ତିନି ତାରିଖରେ କାମ ସାରି ଟାଟା ଏସି ଗାଡ଼ିରେ ଘରକୁ ଫେରିବା ବେଳେ ଜୟନ୍ତୀପୁର ନିକଟରେ ତା’ ଠାରୁ ୨.୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ବିରହ କହିଥିଲା ଯେ, ଚିକିଟି ବ୍ରହ୍ମୁପର ରୋଡ୍ରେ ଥିବା ଘଟକେଶ୍ବର ମନ୍ଦିର ନିକଟରେ ଜଣେ ମହିଳା ରାତି ପ୍ରାୟ ୯ଟା ବେଳେ ତାଙ୍କୁ ଲିଫ୍ଟ ମାଗିଥିଲେ। କିନ୍ତୁ ଯେତେବେଳେ ସେ ଗାଡ଼ି ରଖିଥିଲେ ସେହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଘେରି ନେଇଥିଲେ ଏବଂ ମାଡ଼ ମାରିବା ସହ ତାଙ୍କ ଠାରୁ ମୋବାଇଲ ଏବଂ ମନି ପର୍ସ ସହ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟିନେଇଥିଲେ।
ଆହୁରି ପଢ଼ନ୍ତୁ: ଗୁଣ୍ଡିଚା ମନ୍ଦିର ନିକଟରେ ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନ ଉଚ୍ଛେଦ
ତେବେ ଅଭିଯୋଗ ଆଧାରରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ଗୋଳନ୍ଥରା ପୋଲିସ୍। ଆଉ ତଦନ୍ତରୁ ପୋଲିସ୍ ଜାଣିବାକୁ ପାଇଥିଲା ଯେ, ଏହି ଟଙ୍କାର ମାଲିକ ଆଇନାବନ୍ଧ ସାହିର ପ୍ରଦୀପ କୁମାର ବେହେରା ଜଣେ ହାର୍ଡଓୟାର ବ୍ୟବସାୟୀ। ଏହି ବ୍ୟବସାୟୀ ବସନ୍ତଙ୍କୁ ଡ୍ରାଇଭର ଭାବରେ ରଖିଥିଲେ।
୩ ତାରିଖରେ ପ୍ରଦୀପ, ବସନ୍ତଙ୍କ ଦ୍ବାରା ହାର୍ଡଓୟାର ସାମଗ୍ରୀ ଜଣେ ଗ୍ରାହକଙ୍କୁ ପଠାଇଥିଲେ ଏବଂ ଗ୍ରାହକଙ୍କ ଠାରୁ ଟଙ୍କା ଆଣିବାକୁ ମଧ୍ୟ କହିଥିଲେ। ଆଉ ଏହି ଟଙ୍କାଙ୍କୁ ହିଁ ବିରହ ଲୁଟ୍ କରିବାକୁ ଯୋଜନା କରିଥିଲା । ଆଉ ଲୁଟ୍ ପରେ ବିରହ ନିଜ ମୋବାଇଲ ଏବଂ ପର୍ସକୁ ଫିଙ୍ଗିଦେଇଥିଲା ଏବଂ ସବୁ ଟଙ୍କା ନିଜ ଘରେ ଲୁଚାଇଦେଇଥିଲା। ଏହା ପରେ ସେ ପ୍ରଦୀପଙ୍କ ନିକଟରେ ପୂରା ମିଛ ଘଟଣାକୁ କହିଥିଲା ଏବଂ ଏକ ମିଥ୍ୟା ଏଫଆଇଆର ମଧ୍ୟ ରୁଜୁ କରିଥିଲା। ହେଲେ ଏବେ ପୋଲିସ୍ ତଦନ୍ତ ପରେ ସବୁ ଘଟଣା ପଦାକୁ ଆସିଛି।
ଆହୁରି ପଢ଼ନ୍ତୁ: ଅପହର୍ତ୍ତାଙ୍କୁ ଚକ୍ମା ଦେଇ ଖସିଆସିଲେ ଓମ୍, ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ଅଘଟଣ