ଏଭଳି ରୋଗ ଯେଉଁଥିରେ ଫିଙ୍ଗରପ୍ରିଣ୍ଟ ହୋଇଯାଏ ଗାଏବ, ହୋଇଥାଏ ଅନେକ ଅସୁବିଧା
15/12/2022 at 4:26 PM

ନୂଆଦିଲ୍ଲୀ, ୧୫/୧୨: ବିଭିନ୍ନ ଡକ୍ୟୁମେଣ୍ଟରେ ବାୟୋମେଟ୍ରିକ୍ ଜରୁରୀ ହୋଇଥାଏ। ବାୟୋମେଟ୍ରିକ୍ ଆଙ୍ଗୁଳି ଚିହ୍ନ ନିଆଯାଇଥାଏ। କୁହାଯାଏ ଦୁନିଆରେ ଦୁଇ ଜଣକ ଚେହେରା, ସ୍ବର ହୁଏତ ସମାନ ହୋଇପାରେ କିନ୍ତୁ ଆଙ୍ଗୁଳି ଚିହ୍ନ ବା ଫିଙ୍ଗରପ୍ରିଣ୍ଟ କେବେବି ସମାନ ହୋଇନପାରେ। ଅପରାଧିଙ୍କୁ ଧରିବା ହେଉ କିମ୍ବା ହଜିଯାଇଥିବା ଶିଶୁକୁ ଖୋଜିବା ହେଉ ଫିଙ୍ଗରପ୍ରିଣ୍ଟ ସବୁବେଳେ କାମରେ ଆସିଥାଏ। ପ୍ରମାଣ ପତ୍ର ତିଆରି କରିବା ପାଇଁ ପ୍ରଥମେ ଆଙ୍ଗୁଠି ଚିହ୍ନ ନିଆଯାଇଥାଏ। କିନ୍ତୁ ଏଭଳି ଏକ ରୋଗ ଅଛି, ଯେଉଁଥରେ ରୋଗୀଙ୍କ ହାତରେ କୌଣସି ଚିହ୍ନ ରହିନଥାଏ।
ଏହି ରୋଗର ନାମ ଆଡ୍ରମେଟୋଗ୍ଲିଫିଆ। ଏହା ଏକ ଆନୁବଂଶିକ ରୋଗ ଅଟେ। ଏହାର ପ୍ରଥମ ମାମଲା ୨୦୦୭ରେ ମିଳିଥିଲା। ଯେତେବେଳେ ଜଣେ ବିଦେଶୀ ମହିଳା ଆମେରିକା ଯିବାକୁ ଚାହୁଥିଲେ। ପାସପୋର୍ଟରେ ତାଙ୍କର ଚେହେରା ଫଟୋ ସହ ମେଳହେଉଥିଲେ ବି ତାଙ୍କ ଫିଙ୍ଗରପ୍ରିଣ୍ଟ ମେଳ ଖାଇନଥିଲା। କାରଣ ତାଙ୍କର ଫିଙ୍ଗରପ୍ରିଣ୍ଟ ହିଁ ନଥିଲା। ଏହାପରେ ବାଙ୍ଗଲାଦେଶରେ ଏକ ପରିବାରଠାରେ ଏଭଳି ରୋଗ ଦେଖିବାକୁ ମିଳିଥିଲା। ଏଭଳି ମାମଲା ସାମ୍ନାକୁ ଆସିବା ପରେ ଏହା ଉପରେ ଗବେଷଣା ଆରମ୍ଭ ହୋଇଥିଲା। ଯାହାପରେ ଆଡ୍ରମେଟୋଗ୍ଲିଫିଆ ରୋଗର ଜଣାପଡ଼ିଥିଲା। ଏହା ଏକ ଦୁର୍ଲଭ ରୋଗ ଯେଉଁଥିରେ ଆଙ୍ଗୁଳିରୁ ଚିହ୍ନ ବା ରେଖା ନଥାଏ।
୨୦୧୧ ରେ ଜଣାପଡ଼ିଥିଲା ଯେ ଗର୍ଭାବସ୍ଥା ସମୟରେ ଭ୍ରୁଣ ଶରୀରର ଏକ ଜିନ୍ SMARCAD1 ରେ ବିଘଟନ ହୋଇଥାଏ। ଏହା ସେହି ଜିନ୍ ଯାହା ଯାହା ଗର୍ଭବାସ୍ଥାରେ ଭ୍ରୁଣର ଆଙ୍ଗୁଠିରେ ଚିହ୍ନ ପାଇଁ ଦାୟୀ ରହିଥାଏ। ଏହି ରୋଗର ଅନ୍ୟ ଏକ ଅସୁବିଧା ହେଉଛି ଏହାଦ୍ବାରା ସ୍ବେଟ୍ ଗ୍ଲାଣ୍ଡ୍ ଅର୍ଥାତ୍ ଝାଳ ଗ୍ରନ୍ଥୀ ହ୍ରାସ ପାଇଥାଏ। ଏହାଯୋଗୁଁ ଠିକ୍ ଭାବରେ ଝାଳ ବାହାରିନଥିାଏ। ଫଳରେ ଅନ୍ୟ ସମସ୍ୟା ହୋଇଥାଏ। ଏହି ରୋଗ ଯୋଗୁଁ ଫିଙ୍ଗରପ୍ରିଣ୍ଟ ନେବା ସମ୍ଭବ ହୋଇନଥାଏ। ଫଳରେ ଅନେକ ଅସୁବିଧା ହୋଇପାରେ। ଚାକିରି ମିଳିବା ଠାରୁ ଆରମ୍ଭ କରି ଅନ୍ୟ ଦେଶକୁ ଯିବାରେ ସମସ୍ୟା ହୋଇପାରେ।