ନଭେମ୍ବରରେ ଲଘୁଚାପ; ୧୬ ତାରିଖ ବେଳକୁ ପ୍ରବଳ ବର୍ଷା

Published By : Prameya-News7 Bureau | November 09, 2023 IST

ଭୁବନେଶ୍ୱର ୯/୧୧/୨୩: ନଭେମ୍ବର ୧୪ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାୟୁ ମଣ୍ଡଳର ଉପର ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୫ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି।

ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଉତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବା ବେଳେ ଏହା ଦିଗ ପରିବର୍ତ୍ତନ କରି ନଭମ୍ବେର ୧୬ ସୁଦ୍ଧା ଉତ୍ତର ଦିଗ ଆଡ଼କୁ ମୁହାଁଇପାରେ ବୋଲି ସିଇସି ପକ୍ଷରୁ ଜାରୀ ହୋଇଥିବା ବୁଲେଟିନ୍‌ରେ କୁହାଯାଇଛି

ଏହାର ପ୍ରଭାବରେ ନଭେମ୍ବର ୧୫ ରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଇପାରେ। ଏହାପର ଦିନ ଅର୍ଥାତ୍ ୧୬ ତାରିଖରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ଘୂର୍ଣ୍ଣିବଳୟ ଉତ୍ତର ଦିଗ ଆଡ଼କୁ ମୁହାଁଉଥିବାରୁ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ନଭେମ୍ବର ୧୬ ତାରିଖ ରାତିରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପଢ଼ନ୍ତୁ-ରାଜ୍ୟରେ ପାଗରେ ଆସିବ ପରିବର୍ତ୍ତନ; ଗୁରୁବାର ଠାରୁ ବଢ଼ିବ ଶୀତ

ସେହିପରି ନଭେମ୍ବର ୧୬ ରୁ ୧୮ ମଧ୍ୟରେ ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

କେନ୍ଦ୍ରୀୟ ଭାରତରେ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ହ୍ରାସ ପାଇବ ଓ ଦିନର ତାପମାତ୍ରା ବୃଦ୍ଧି ପାଇବ । ନଭେମ୍ବର ୧୩ ତାରିଖରୁ ରାତିର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.